ହନୁମାନ ପଇସା ପାଇଁ ହେଲା ଡିଲ୍ ମିଳିଲା ତମ୍ବା ପଇସା ଉଭୟ ପକ୍ଷରୁ ୮ ଗିରଫ୍‌, ମୂଳ ଖିଅ ଖୋଜୁଛି ପୋଲିସ

318

କଟକ(ଉତ୍କଳ ନିଉଜ)ତିହିଡି, ୨୨.୧୦: ବେଆଇନ୍ କାରବାରରେ ବିଶ୍ୱାସ ଘାତକତା କରାଯାଉନଥିବା କୁହାଯାଏ । ପଦେ ପଦେ କଥାରେ ହୋଇଥାଏ ଡିଲ୍ ଏବଂ ସେହି ଡିଲ୍ ମୁତାବକ ଲୁଚାଛୁପାରେ ହୋଇଥାଏ କାରବାର । ପ୍ରଶାସନ ଆଖିରେ ଧୂଳି ଦେବାପାଇଁ ଏପରି ପରମ୍ପରା ବଜାୟ ରହୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବ୍ୟତିକ୍ରମ ହୋଇଥିବା ବାରି ହୋଇଛି । ହନୁମାନ ପଇସା କିଣାବିକକୁ ନେଇ ଡିଲ୍ ହୋଇଥିଲା । ଏବେଇ ଅଗ୍ରୀମ ଟଙ୍କା ଦିଆଯାଇଥିଲା । ମାତ୍ର କାରବାର ସମୟରେ ତାହା ବ୍ରିଟିଶ ଅମଳର ତମ୍ବା ପଇସା(ଯୋଡି ନାଗ) ହୋଇଥିବା ନେଇ ବିବାଦ ଦେଖା ଦେଇଥିଲା । ଅଗ୍ରୀମ ଟଙ୍କା ଫେରସ୍ଥ କରାନଯିବା ପର୍ଯ୍ୟନ୍ତ ହନୁମାନ ପଇସା ନାଁରେ ତମ୍ବା ପଇସା ଦେଇଥିବା ଲୋକଙ୍କୁ ବାନ୍ଧି ଘରେ ପୂରାଇ ଅଟକ କରାଯାଇଥିଲା । ପରେ ମୁଣ୍ଡ ଜାମିନ ପାଇଁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ପରିବାର ଲୋକେ ପୋଲିସକୁ ସୂଚନା ଦେବାପରେ ଘଟଣା ପଦାକୁ ଆସିଛି । ୨ ଦିନ ତଳେ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ବେଳେ ସେମାନଙ୍କ ଠାରୁ ସୂଚନା କ୍ରମେ ଆଉ ୩ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଧରା ଯାଇଛି । ଏନେଇ ୨ଟି ମାମଲା ମଧ୍ୟ ରୁଜୁ କରାଯାଇଛି । ସମସ୍ତଙ୍କୁ ଏକସଂଗେ ଯାଞ୍ଚ କରିବା ପରେ ଉଭୟ ପକ୍ଷରୁ ଏକସଂଗେ ୮ ଜଣଙ୍କୁ ଗିରଫ୍ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ସୁବାସ ପରିଡାଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ୨୮୬୨୧, ଦଫା ୩୪୧, ୩୨୩, ୩୪୨, ୩୮୬, ୨୯୪, ୫୦୬ ଓ ୩୪ ଆଇପିସି ବଳରେ ପୂଜକ ମଉସୁଧା ଗାଁର ବାବୁଲୀ ଓରଫ୍ ଗୋପିନାଥ ପଣ୍ଡା(୫୦), ପାଟଣାସାହି ଗାଁରଆର୍ତ୍ତ ଦାସ(୫୧), ଶ୍ରୀକାନ୍ତ ମହାଳିକ(୨୦) ଓ ହୃଷିକେଶ ନାୟକ(୩୮) ପୋଲିସ ଗିରଫ୍ କରିଥିବା ଏହି ମାମଲାରେ ଆହୁରି ୫ ଜଣଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଜାଣିବାକୁ ପାଇଛି । ସେହିପରି ଭାଗିରଥି ପରିଡା ଏତଲା କ୍ରମେ ଅନ୍ୟ ଏକ ମାମଲା ୨୮୭/୨୧, ଦଫା ୪୨୦ ଓ ୩୪ ଆଇପିସି ରୁଜୁ ହୋଇଛି । ଏଥିରେ ସୁନାକର ଦାସ, ଜୀବନ ଦାସ, ରମେଶ ଜେନା ଓ ବିଦ୍ୟାଧର ପରିଡାଙ୍କୁ ଗିରଫ୍ କରାଯାଇ ମୋଟ୍ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ କାରବାରରେ ଅଗ୍ରୀମ ଦିଆଯାଇଥିବା ଅଢେଇ ଲକ୍ଷ ଟଙ୍କା ମଧ୍ୟରୁ ପୋଲିସ ୨ ଲକ୍ଷ ୪୦ ହଜାର ଟଙ୍କା ଜବତ୍ କରିବା ସହିତ ତମ୍ବା ପଇସା, ବାଇକ୍ ସମେତ ୭ଟି ମୋବାଇଲ୍ ଜବତ୍ କରିଛି । ଏହିସବୁ ମୋବାଇଲ୍‌ରୁ ପୋଲିସ ଅଧିକ ସୂରାକ୍ ପାଇବ ବୋଲି ଆଶା ପ୍ରକଟ କରିଛି । ତେବେ ଆଳୁ ଖୋଳୁ ଖୋଳୁ ମହାଦେବା ବାହାରିବା ପରେ ପୋଲିସ ଗୋଟିଏ ପରେ ଗୋଟିଏ ଖିଅ ପାଇବାରେ ଲାଗିଛି । ଏହି ଘଟଣା ବିଭିନ୍ନ ରାଜନୈତିକ ଦଳର ପରିବାର ଲୋକେ ସାମିଲ ଥିବାନେଇ ମଧ୍ୟ ଚର୍ଚ୍ଚାକୁ ଆସୁଛି । ନାଲଗୁଣ୍ଡାରୁ ଆରମ୍ଭ ହୋଇଥିବା ଏହି କେଳେଙ୍କାରି ଉଗ୍ରତରା, ବାଲକୁରୀ ଓ ମଉସୁଧା ଆଦି ପର୍ଯ୍ୟନ୍ତ ଗାଁର ଅଭିଯୁକ୍ତମାନେ ସାମିଲ ହୋଇଥିବା ଜଣାଯାଇଛି । ତେବେ ଏହି ଘଟଣା ଆଜିର ନୁହେଁ ବହୁ ବର୍ଷ ଧରି ଚାଲୁଥିବା ଏବଂ ପୂର୍ବରୁ ଅଭିଯୁକ୍ତମାନେ ରଣା ସାପ ଓ ଡ୍ରଗସ୍ କାରବାରରେ ଜଡିତ ଥିବା ନେଇ ମଧ୍ୟ ଚର୍ଚ୍ଚାକୁ ଆସୁଛି । ଚାନ୍ଦବାଲି ପୋଲିସ ଆଗକୁ କି ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।