ରାଜନଗର ଡ଼ିଏଫଓଙ୍କୁ ଗୋଡ଼ାଇ ଗୋଡ଼ାଇ ବିଦାକଲା ବନ୍ୟପ୍ରାଣୀ ସଂଘର୍ଷ ସମିତି

247

କଟକ(ଉତ୍କଳ ନିଉଜ)ତିହିଡି, ୨୧.୧୦: ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ଚାନ୍ଦବାଲିକୁ ପ୍ରଶାସନିକ ସ୍ତରରେ ଅନ୍ୟତ୍ର ଉଠାଇ ନେବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରି ଅସଫଳ ହୋଇଥିବା ବେଳ ଚଳିତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଡ଼ିଭିଜନ ରିଅର୍ଗାନାଇଜେସନ୍ ନାମରେ ଚାନ୍ଦବାଲି ବନ୍ୟପ୍ରାଣୀ ଡି଼ଭିଜନ୍‌କୁ ରାଜନଗର ଡ଼ିଭିଜନ୍‌ରେ ମିଶ୍ରଣ କରିବାକୁ ହାଇଲେବୁଲ୍ ଫୋରମରେ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା । ଏହାକୁ କେନ୍ଦ୍ରକରି ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜିବୀ, ପରିବେଶ ପ୍ରେମୀ ମିଳିତ ଭାବେ ‘ବନ୍ୟପ୍ରାଣୀ ସଂଘର୍ଷ ସମିତି’ ନାମରେ ଏକ ସଂଗଠନ ଗଢି ସରକାରଙ୍କ ନିଷ୍ପତି ବିରୁଦ୍ଧରେ ଆନ୍ଦୋଳନ କରିବା ସହ ନିୟମିତ ଡ଼ିଏଫଓ ମୃତୟନ କରିବାକୁ ଦାବୀ କରିଛନ୍ତି । ଏଥିସହ ଚାନ୍ଦବାଲି ବିଧାୟକ ଡ଼କ୍ଟର ବ୍ୟୋମକେଶ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କଲାପରେ ଏହି ପ୍ରସ୍ତାବ ଆଉ କାର୍ଯ୍ୟକାରୀ ହୋଇ ପାରି ନାହିଁ । ହେଲେ ଦୀର୍ଘ ୮ ମାସ ହେବ ଏଠାରେ କୌଣସି ଡ଼ିଏଫଓଙ୍କୁ ନିୟମିତ ଭାବେ ମୃତୟନ କରା ନଯାଇ ରାଜନଗର ଡ଼ିଏଫଓ ଯଜ୍ଞଦତ୍ତ ପତିଙ୍କୁ ଭାରପ୍ରାପ୍ତ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ସଂଘର୍ଷ ସମିତି ତୀବ୍ର ବିରୋଧ କରୁଥିବା ବେଳେ ଚଳିତ ମାସ ୨୧ ତାରିଖ ଦିନ ଡ଼ିଏଫଓ ଶ୍ରୀ ପତି କାର୍ଯ୍ୟଭାର ନେବାକୁ ଚାନ୍ଦବାଲି ଆସି ହଟହଟା ହୋଇଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ଭଦ୍ରକ ଡ଼ିଭିଜନର ସମସ୍ତ ପଦାଧିକାରୀମାନେ ଚାନ୍ଦବାଲିସ୍ଥିତ ଡ଼ିଏଫଓ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି ସାରି ଅପେକ୍ଷା କରିଥିବା ବେଳେ ସଂଘର୍ଷ ସମିତିର ସଦସ୍ୟମାନେ ଭାରପ୍ରାପ୍ତ ଡ଼ିଏଫଓ ଫେରିଯାଅ, ନିୟମିତ ଡ଼ିଏଫଓ ମୃତୟନ ଆମର ଦାବୀ ଇତ୍ୟାଦି ଲେଖା ହୋଇଥିବା ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରିଥିଲେ । କୌତୁହଳର ବିଷୟଯେ, ଏହି ସୂଚନା ପାଇ ଡ଼ିଏଫଓ ଶ୍ରୀ ପତି ଚାନ୍ଦବାଲିସ୍ଥିତ ଡ଼ିଏଫଓ କାର୍ଯ୍ୟାଳୟ ନ ଆସି ବିନତରା ବାଟ ଦେଇ ଲୁଚି ଲୁଚି ବାଲିଗାଁସ୍ଥିତ ରେଞ୍ଜ ଅଫିସରେ ଏସିଏଫଙ୍କ ଠାରୁ ଦାୟିତ୍ୱ ନେଉଥିବା ସମୟରେ ଖବର ପାଇ ସଂଘର୍ଷ ସମିତିର ସଦସ୍ୟ ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟାମାନେ ସେଠାରେ ଯାଇ ଡ଼ିଏଫଓଙ୍କୁ ବିରୋଧ କରିବା ସହ କୌଣସି କାର୍ଯ୍ୟ କରାଇ ଦେଇ ନଥିଲେ ଏବଂ ସେଠାରୁ ଡ଼ିଏଫଙ୍କୁ ଫେରିଯିବା ପାଇଁ ଜିଦ୍ ଧରିଥିଲେ । ଫଳରେ ଡ଼ିଏଫଓ ଶ୍ରୀ ପତି ବାଧ୍ୟ ହୋଇ ରାଜନଗର ଫେରି ଯାଇଥିଲେ । ହେଲେ ସଂଘର୍ଷ ସମିତିର ସଦସ୍ୟମାନେ ତାଙ୍କ ଉପରେ ଭରଷା କରି ନପାରି ତାଙ୍କ ଗାଡ଼ିର ଆଗ ଓ ପଛରେ ବାଇକ ଧରି ଗୋଡ଼ାଇ,ଗୋଡ଼ାଇ ଚାନ୍ଦବାଲି ଠାରୁ ବିଦା କରିଥିଲେ । ଏହି ଆନ୍ଦୋଳନରେ ଚାନ୍ଦବାଲି ବନ୍ୟପ୍ରାଣୀ ସଂଘର୍ଷ ସମିତିର ଆବାହକ ପ୍ରଫୁଲ ସାହୁ, ଚାନ୍ଦବାଲି ଏନ୍‌ଏସି ବିଜେଡ଼ି ସଭାପତି ଖଗେଶ୍ୱର ବଳ, ସମାଜସେବୀ ସୁଧୀର ମହାନ୍ତି, ଅଟୋ ସଂଘ ସଂପାଦକ ବ୍ରଜସୁନ୍ଦର ମହାନ୍ତି, ବଣିକ ସଂଘ ସଂପାଦକ ରଘୁନାଥ ସାହୁ, ପ୍ରାକ୍ତନ ସରପଞ୍ଚ ନିର୍ମଳ ତାଡ଼ୁ, ବିଜେପି ନେତା ବିଶ୍ୱନାଥ ସୂତାର, ସିପିଆଇଏମ୍ ଆଂଚଳିକ କମିଟିର ସମ୍ପାଦକ ମଳୟ ଭୋଇ, ଘନଶ୍ୟାମ ଦାସ, ଓଡ଼ିଶା ବହୁଜନ ସାମୁଖ୍ୟ ରାଜ୍ୟ ନେତା କାହ୍ନୁଚରଣ ମହାଳିକ, ପ୍ରକାଶ ନାୟକ, ସମାଜସେବୀ ଅରୁଣ ମହାନ୍ତି, ଓକିଲ ସଂଘ ସଭାପତି ରମେଶ ସାହୁ, ଆଇନ୍‌ଜୀବି ସୁରେଶ ସାହୁ, ସଂଗ୍ରାମସେନା ସଂପାଦକ ଭାରତ ଭୂଷଣ ରାଏ, ରତିକାନ୍ତ ସାହୁ, ସାମ୍ବାଦିକ ଭାଗ୍ୟରଥୀ ସେଠୀ, ବଣିକସଂଘ କୋଷାଧ୍ୟ ଗୋପିରାମ ଅଗ୍ରୱାଲ, ନାରୀନେତ୍ରୀ ଚନ୍ଦ୍ରକାନ୍ତୀ ଦାସ, ପ୍ରମିଳା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।