ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଚୟନକୁ ନେଇ ରାଜନୀତି ସରଗରମ

286

କଟକ(ଉତ୍କଳ ନିଉଜ)ତିହିଡି, ୧୯.୧୦: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରାର୍ଥୀ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ତିହିଡ଼ିର ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇ ଉଠିଛି । ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ପଞ୍ଚାୟତରେ ଗୋଟିଏ ଦଳରୁ ଏକାଧିକ ଆଶାୟୀ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ନେଇ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଲବି ଆରମ୍ଭ କରି ଦେଇଛନ୍ତି । ଏହାକୁ ନେଇ ଦଳୀୟ ଛକାପଞ୍ଝା ବି ଜୋର୍‌ଦାର ହେଉଥିବା ସାଧାରଣରେ ଆଲୋଚନା ହେଉଛି । କୌଣସି ଦଳ ପକ୍ଷରୁ ଏଯାଏଁ ବିଧିବଦ୍ଧ ଭାବେ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନଥିବା ବେଳେ ମଙ୍ଗଳପୁର ପଞ୍ଚାୟତ ବିଜେଡି ପାଦେ ଆଗକୁ ଯାଇ ପ୍ରାର୍ଥୀ ଚୟନ କାମ ସାରିଦେଇ ଦଳୀୟ ହାଇକମାଣ୍ଡଙ୍କ ଅନୁମୋଦନ ପାଇଁ ପଠାଇ ନିର୍ବାଚନୀ ବିଗୁଲ୍ ବଜାଇ ଦେଇଛି । ଦଳର ପ୍ରାର୍ଥୀ ଚୟନ ପାଇଁ କମାରିଆ ବଜାର ଠାରେ ମଙ୍ଗଳପୁର ପଞ୍ଚାୟତର ଶତାଧିକ କର୍ମୀ ଓ ଛାମୁଆଁ ନେତାମାନେ ଦଶହରା ସନ୍ଧ୍ୟାରେ ଏକ ବୈଠକ ମାଧ୍ୟମରେ ମିଳିତ ହୋଇଥିଲେ । ସମସ୍ତଙ୍କ ସହ ଆଲୋଚନା ଓ ମତାମତ ନିଆଯିବା ପରେ ପଞ୍ଚାୟତର ବରିଷ୍ଠ ସମାଜସେବୀ ତଥା ବିଜେଡି ନେତା ହରିହର ଲେଙ୍କାଙ୍କ କନିଷ୍ଠଭ୍ରାତା କମଳାକାନ୍ତ ଲେଙ୍କାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଲେଙ୍କାଙ୍କୁ ସରପଞ୍ଚ ପ୍ରାର୍ଥୀନୀ ଓ ପଞ୍ଚାୟତର ବିଜେଡି ଯୁବନେତା ତଥା ମଙ୍ଗଳପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି କମାରିଆ ଗ୍ରାମର ବାସିନ୍ଦା ପ୍ରବୀର କୁମାର ନାୟକଙ୍କୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ଗତ ନିର୍ବାଚନରେ ଏହି ପଞ୍ଚାୟତରେ କଂଗ୍ରେସ ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢ଼ି ପଞ୍ଚାୟତ ଦଖଲ କରିଥିଲେ ମଧ୍ୟ ଚଳିତ ଥର ଅଲଗା ଅଲଗା ଲଢ଼ିବା ଲକ୍ଷ୍ୟ ନେଇ ଉଭୟ ଦଳର ନେତାମାନେ ବିଭିନ୍ନ ଗ୍ରାମରେ ବୈଠକ କରି ସଂଗଠନକୁ ଶକ୍ତିଶାଳି କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଆଗାମୀ ନିର୍ବାଚନରେ ବ୍ଲକ କଂଗ୍ରେସ ସଭାପତି ସରରୋଜ କୁମାର ଦାସ ଏହି ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହେବା ପାଇଁ ବିଗତ ୬ମାସ ଧରି ଗାଁ ଗାଁ ବୁଲି ସାଂଗଠନିକ ସ୍ଥିତିକୁ ଦୃଢ଼ କରିବାରେ ଲାଗି ପଡ଼ିଥିବା ବେଳେ ପ୍ରାକ୍ତନ ସରପଞ୍ଚ ସ୍ୱର୍ଗତ ଦିବ୍ୟସିଂହ ନାୟକଙ୍କ ପୁତ୍ରବଧୂ ପ୍ରଣତି ନାୟକ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ହେବା ନିଶ୍ଚିତ ବୋଲି କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି । ସେହିପରି ବିଜେପି ପକ୍ଷରୁ ଚାଟାର୍ଡ କନସଲଟାଣ୍ଟଗନ୍ଧର୍ବପୋଖରୀ ଗ୍ରାମର ବିଜୟ ବଳଙ୍କ ପତ୍ନୀ ପୁଷ୍ପିତା ବଳ ଦଳୀୟ ସମର୍ଥିତ ପ୍ରାର୍ଥୀ ହେବା ଏକପ୍ରକାର ଫାଇନାଲ ହୋଇଥିବା ବେଳେ ଖୁବ୍ ଶିଘ୍ର ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।