ହନୁମାନ ପଇସାକୁ ନେଇ ୫ ଜଣ ଅଟକ, ପୋଲିସର ତଦନ୍ତ ଜାରି

96

କଟକ(ଉତ୍କଳ ନିୟୁଜ୍)ତିହିଡି, ୧୯.୧୦: ରାତାରାତି ଲକ୍ଷପତି ଅଥବା କୋଟିପତି ହେବାର ସ୍ୱପ୍ନ କେତେକ ଲୋକଙ୍କୁ ପଥଭ୍ରଷ୍ଟ କରିବାରେ ଲାଗିଛି । ଶସ୍ତା ସୁନ୍ଦର ମଜବୁତ୍ ଭାବେ ଲୋକେ ଯେକୌଣସି ଦଲାଲି କରିବାକୁ ବି ପଛଉ ନାହାଁନ୍ତି । ଅପରାଧିକ ରାସ୍ତାରେ ପାଦଥାପି କୋର୍ଟରେ ଦଣ୍ଡାଦେଶ ହେଉଥିଲେ ମଧ୍ୟ ସାମାଜିକ ସ୍ତରରେ ତାହାର ପ୍ରଭାବ ପଡିବାରେ ନାଁ ଧରୁନି । ଲୋଭ ମୋହ ମାୟା ପଛରେ ପଡି ଲୋକେ ବିପଥଗାମି ହେଉଥିବା ବେଶ ବାରି ହୋଇଛି । ସଂପ୍ରତି ହନୁମାନ ପଇସାକୁ କେନ୍ଦ୍ରକରି ଏକ ବଡ ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ । ଯାହାର ଖୁଲାସା କରିଛି ଏହି ପୋଲିସ । ହନୁମାନ ପଇସା ବିକ୍ରିକୁ ନେଇ ୨ ଲକ୍ଷ ୫୦ ହଜାର ଟଙ୍କା ଆଗୁଆ ଦିଆଯାଇଥିଲା । ତେବେ ଉକ୍ତ ପଇସାକୁ ବେପାରୀକୁ ଦେବାବେଳେ ତାହା ଫେକ୍ ଥିବା ନେଇ ବିବାଦ ଦେଖା ଦେଇଥିଲା । ତେବେ ଆଗୁଆ ଟଙ୍କା ଦେଇଥିବା ବ୍ୟକ୍ତି ଫେରସ୍ଥ ଦାବି କରିଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ସେମାନଙ୍କୁ ଦଉଡିରେ ବାନ୍ଧି ଅଟକ ରଖାଯାଇଥିଲା ଯାହାକୁ ପରିବାର ଲୋକେ ଅପହରଣ ରୂପ ଦେଇ ପୋଲିସକୁ ଖବର ଦେଇଥିଲେ । ତେବେ ବୁଧବାର ମଧ୍ୟାହ୍ନରେ ପୋଲିସ ଚଢଉ କରି ୫ ଜଣଙ୍କୁ ଧରିବାରେ ସଫଳ ହୋଇଛି । ଏଥିସହ ଉକ୍ତ କାରବାରରେ ହନୁମାନ ପଇସା ସମେତ ନଗଦ୍ ୨ ଲକ୍ଷ ୪୦ ହଜାର ଟଙ୍କା ପୋଲିସ ଜବତ କରିଥିବା ଥାନାଧିକାରୀ କରୁଣାକର ରାଉତଙ୍କ ସୂଚନା ମିଳିଛି । ଉଭୟ ପକ୍ଷଙ୍କ ଏତଲାକ୍ରମେ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସୁବାଶ ପରିଡାଙ୍କ ଏତଲା କ୍ରମେ ତାଙ୍କ ଶଳା ଓ ଅନ୍ୟ ୨ଜଣଙ୍କୁ ୪ଜଣ ବ୍ୟକ୍ତି ଅପହରଣ କରିବା ସହିତ ଏକ ନିର୍ଜନ ସ୍ଥାନରେ ଅଟକ ରଖି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ କରାଯାଇଥିବା ମୂଳେ ପୋଲିସ ଏକ ମାମଲା ୨୮୭/୨୧ ରୁଜୁ କରିଛି । ସେହିପରି ଅପରପକ୍ଷ ଭାଗିରଥିଙ୍କ ଏତଲାକ୍ରମେ ଥାନାରେ ଅନ୍ୟ ଏକ ମାମଲା ୨୮୮/୨୧ ରୁଜୁ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ, ହନୁମାନ ପଇସା କିଣାବିକାକୁ କେନ୍ଦ୍ରକରି ଜୀବନ ଦାସ ଓ ହୃଷିକେଶଙ୍କ ସହିତ ମୁଲଚାଲ ହୋଇଥିଲା । ହନୁମାନ ପଇସା କିଣିବା ଲାଗି ହୃଷିକେଶ ୨ ଲକ୍ଷ ୫୦ ହଜାର ଟଙ୍କା ଜୀବନ ଦାସଙ୍କୁ ଦେଇଥିଲା । ତେବେ ସଂଧ୍ୟାରେ ଜୀବନ ଦାସ ସାଥିରେ ସୁନା ଓ ରମେଶଙ୍କ ସାଙ୍ଗରେ ଧରି ମହୁଲିଆ ଯାଇଥିଲେ । ସେଠାରେ ଉକ୍ତ ହନୁମାନ ପଇସା ଫେକ୍ ଥିବା ବିବାଦ ଦେଖା ଦେଇଥିଲା । ଆଗୁଆ ଦିଆଯାଇଥିବା ଟଙ୍କା ଫେରସ୍ଥ କରାନଯିବା ପର୍ଯ୍ୟନ୍ତ ୩ ଜଣଙ୍କୁ ବାନ୍ଧି ଅଟକ ରଖାଯାଇଥିଲା । ଅଟକ ବ୍ୟକ୍ତିମାନେ ନିଜ ପରିବାରକୁ ଖବର ଦେବାପରେ ପୋଲିସ ହସ୍ତକ୍ଷେପ କରି ବୁଧବାର ମଧ୍ୟାହ୍ନରେ ଚଢଉ କରିଥିଲା । ଘଟଣା ସ୍ଥଳରୁ ହୃଷିକେଶ ଓ ନନା ଫେରାର ହୋଇଯାଇଥିବା ବେଳେ ଭାଗିରଥି ଓ ଶ୍ରୀକାନ୍ତଙ୍କୁ ମିଶାଇ ମୋଟ୍ ୫ ଜଣଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିବା ସହିତ ଅଧିକ ତଦନ୍ତ ଚଳାଇଛି । ଏହି ଘଟଣାରେ ମାଷ୍ଟର ମାଇଣ୍ଡକୁ ପୋଲିସ ଖୋଜୁଥିବା ବେଳେ ବହୁ ସହଯୋଗି ସାମିଲ ଥିବା ନେଇ ପୋଲିସ ଅନୁମାନ କରୁଛି । ତେବେ ୨ଟି ମାମଲାରେ ଅଟକ ଥିବା ୫ ଜଣଙ୍କ ମଧ୍ୟରୁ କେତେ ଜଣଙ୍କୁ ଗିରଫ୍ କରାଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଯ ।