ବିଜେପିରେ ମିଶିଲେ ପ୍ରାକ୍ତନ ସମିତିସଭ୍ୟାଙ୍କ ସ୍ୱାମୀ

212

କଟକ(ଉତ୍କଳ ନିଉଜ)ତିହିଡି, ୧୯.୧୦: ତ୍ରିସ୍ତରୀୟ ନିର୍ବାଚନ ପାଇଁ ବାଜି ଯାଇଛି ବିଗୁଲ୍ । ସଂରକ୍ଷଣ ପ୍ରସଙ୍ଗରେ ବାକି ରହିଛି ସରକାରଙ୍କ ଫାଇନାଲ୍ ନିଷ୍ପତି । ତେବେ ଏବେଠାରୁ ଆରମ୍ଭ ହୋଇ ଯାଇଛି ରଣ କୌଶଳ । ନିର୍ବାଚନୀ ବୈତରଣୀ ପାର ହେବାଲାଗି ତଥା ଦଳରେ ଥାଇ ଅସନ୍ତୁଷ୍ଟ କର୍ମୀ ନିଜର ସୁଦକ୍ଷ ସ୍ଥାନକୁ ଯାଉଥିବାର ପରିଲକ୍ଷିତ ହେଉଛି । ଦଳ ବଦଳ ଓ ପ୍ରତିବାଦ ଆରମ୍ଭ ହୋଇଥିଲେ ମଧ୍ୟ ଭୋଟରଙ୍କୁ ସଚେତନ କରିବାର ମୂଳ ଲକ୍ଷ୍ୟ ରଖିଛନ୍ତି ଆଶାୟୀ ପ୍ରାର୍ଥି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟା ମୌସୁମୀ ମହାଳିକ ସ୍ୱାମୀ ଦେବାଶିଷ ମହାଳିକ ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି । ବୁଧବାର ସକାଳେ ଧାମନଗର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ କୁଆଁସସ୍ଥିତ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ସେଠୀ ଦେବାଶିଷଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ । ବିଜେପି ଦଳର ଆଦର୍ଶ ଓ ବିଧାୟକ ବିଷ୍ଣୁ ସେଠୀଙ୍କ ଦୃଢ଼ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶ୍ରୀ ମହାଳିକ ବିଜେପିରେ ସାମିଲ ହୋଇଥିବା ନେଇ ଦେବାଶିଷ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ବୁଦ୍ଧିରାମ ସେଠୀ, ବିଜୟ କୁମାର ବଳ, ଚନ୍ଦ୍ରଶେଖର ମଳିକ, ଦେବେନ୍ଦ୍ର ମହାନ୍ତି, ଜୀବନଜ୍ୟୋତି ବଳ ଓ ରତ୍ନାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମହାଳିକଙ୍କ ଘର ସଂପ୍ରତି ମଙ୍ଗଳପୁର ଗ୍ରାମରେ ହୋଇଥିବାରୁ ତାଙ୍କ ଯୋଗଦାନ ମଙ୍ଗଳପୁର ପଞ୍ଚାୟତରେ ବିଜେପି ଦଳକୁ ସୁଦୃଢ କରିବ ବୋଲି ମତପ୍ରକାଶ ପାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।