ନିରାଡମ୍ବରରେ ମହମ୍ମଦଙ୍କ ଜନ୍ମଦିନ ପାଳିତ, ଜୁଲୁସ୍ ଶୋଭାଯାତ୍ରାରେ କରୋନା ଛାଟ

233

କଟକ(ଉତ୍କଳ ନିଉଜ୍)ତିହିଡି, ୧୯.୧୦: କରୋନା କଟକଣା ମଧ୍ୟରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସଂଖ୍ୟାଲଘୁ ସଂପ୍ରଦାୟର ଜସନେ୍‌-ଇଦ୍‌-ମିଲ୍ଲାଦ୍ଦୁନ୍ ନବୀ ବା ମହମ୍ମଦଙ୍କ ଜନ୍ମ ଦିବସ ନିରାଡମ୍ବରରେ ପାଳିତ ହୋଇଯାଇଛି । ଇସଲାମ ଧର୍ମର ଶେଷ ପେଗମ୍ବର ହୁଜୁର ମହମ୍ମଦଲ୍ଲେ ଆଲ୍ଲା ହୋ ଆଲମଙ୍କର ଜନ୍ମତିଥି ଭାବେ ତଥା ଶାନ୍ତି ବାର୍ତ୍ତା ପ୍ରଚାର ଉଦେଶ୍ୟରେ ଏହି ପର୍ବକୁ ପାଳନ କରିଥାନ୍ତି । ପୀରହାଟ ପୁରୁଣା ବଜାରସ୍ଥିତ ସୟଦ୍ ହୁସେନ ବାବାଙ୍କ ମଜ୍ଜାରରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଇସଲାମ ଧର୍ମ ଝଣ୍ଡା ବେଷଭୂଷା ସହ ବିଭିନ୍ନ ସଂପ୍ରଦାୟରେ ଭାଇଚାରା ସୃଷ୍ଟି କରିବା ପାଇଁ ସ୍ଳୋଗାନ ଦିଆଯାଇଥିଲା । ମଙ୍ଗଳବାର ସକାଳେ ମୌଲାନା ସାବିର ହୁସେନ କୋରାନ୍ ପାଠ କରିବା ପରେ ଭୋଗ କରାଯାଇଥିଲା । ମହମ୍ମଦ ମସ୍ତାନ, ସୈମଦ୍ ସାହାଜୀ, ତାବୁରୀ ସାହାଜୀ, ସେକ୍ ଜୁମନ୍‌, ସମିମ୍ ଖାଁ, ବାବୁରୀ ସାହାଜୀ, ଗରିବ ସାହାଜୀ, ଆକବର ସାହାଜୀ, ଅୟତାବ ସାହାଜୀ, ବୁରା ସାହାଜୀ, ମସ୍ତାନ ସାହାଜୀ ଓ ଚାନ୍ଦବାବୁ ସାହାଜୀ ପ୍ରମୁଖ ଶାନ୍ତି ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ । ଏହି ଦିନରେ ସମୂହ କୋରାନ୍ ପାଠ ପରେ ସଂନ୍ଧ୍ୟାରେ ବିଭିନ୍ନ ବସ୍ତିରୁ ସଂଖ୍ୟାଲଘୁ ଭାଇମାନେ ବିରାଟ ପଟୁଆରରେ ଜୁଲୁସ୍ ଗୁଡିକୁ ସୁସଜ୍ଜିତ ରଙ୍ଗ ବେରଙ୍ଗ ଓ ଆଲୋକମାଳାରେ ସଜ୍ଜିତ କରାଇ ଶୋଭାଯାତ୍ରାରେ ବାହାରି ବଜାର ଓ ଗାଁ ଗଣ୍ଡା ପରିକ୍ରମା କରିଥାଏ । ମାତ୍ର କରୋନା ଛାଟରେ ଜୁଲୁସ୍ ଶୋଭାଯାତ୍ରା ବନ୍ଦ ହୋଇଥିଲେ ହେଁ ସ୍ଥାନୀୟ ପୋଖରୀରେ ସୁସଜ୍ଜିତ ତଥା ଆଲୋକମାଳା ମଧ୍ୟରେ ୨ଟି ଜୁଲୁସ୍ ଝଲକୁଥିବା ଦେଖିବାକୁ ମିଳିଥିଲା । ୨ଟି କ୍ଲବ ପକ୍ଷରୁଏହି ଜୁଲୁସ୍ ଗୁଡିକୁ ପରିଚାଳନା କରାଯାଇଥିଲା । ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ, ବାମନବିନ୍ଧା ସରପଞ୍ଚ ଅମର କୁମାର ଦାସ, ପ୍ରିନ୍ସ ରାକେଶ ନାୟକ, ଜିତେନ୍ଦ୍ର ପାଣି, ପବିତ୍ର ମୋହନ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସଂଧ୍ୟାରେ ଏହି ପରମ୍ପରାରେ ଯୋଗଦେଇ ଲଘୁ ସଂପ୍ରଦାୟର ଭାଇମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେହିପରି ତିହିଡି ମିର୍ଜାପୁରସ୍ଥିତ ଜମାଲସାହା ବାବାଙ୍କ ମଜ୍ଜାର, ସନ୍ଥପୁରା ପୀରବାବା ମଜ୍ଜାର, ଇନ୍ଦିରା, ମହରମପୁର(ବାଲିପାଳ), ପାଳିଆବିନ୍ଧା, ନନ୍ଦପୁର ଓ ଅଲ୍ଲୀନଗର କମିଟି ପକ୍ଷରୁ ପୃଥକ ପୃଥକ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନାରେ ମୌଲାନାମାନଙ୍କ ଦ୍ୱାରା ମହମ୍ମଦଙ୍କ ବାଣୀ ଓ ପ୍ରଚଳିତ ଧର୍ମର ପ୍ରଚାର, ପ୍ରସାର ତଥା ଅନୁସରଣ କରିବା ଲକ୍ଷ୍ୟ ଓ ମହମ୍ମଦଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା । ଆଖପାଖ ଅଞ୍ଚଳର ହିନ୍ଦୁ ଭାଇମାନେ ଭାଇଚାରା ସୃଷ୍ଟି କରିବା ପ୍ରୟାସରେ ସାମିଲ ହୋଇଥିବାର ପରିଲକ୍ଷିତ ହୋଇଥିଲା । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ୍।