ରାସ୍ତାର ଅବ୍ୟବସ୍ଥାକୁ ନେଇ ଝୁଣ୍ଟୁଛି ଆମ୍ବୁଲାନ୍ସ ସେବା।

165

କଟକ(ଉତ୍କଳ ନିଉଜ)ତିହିଡି, ୧୬.୧୦: ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅବ୍ୟବସ୍ଥାକୁ ନେଇ ଝୁଣ୍ଟିଲା ଆମ୍ବୁଲାନ୍ସ ସେବା । ପ୍ରାୟ ୨ ଘଣ୍ଟା କାଳ ରାସ୍ତାରେ ଫସି ରହିଲା ଆମ୍ବୁଲାନ୍ସ ଗାଡି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ ଗୋପାଳଦୋହରା ଗାଁରେ । ଏହି ଗାଁର ଜନୈକା ଗର୍ଭବତୀଙ୍କ ମେଡିକାଲ ଆଣିବା ଲାଗି ଯାଇଥିବା ଆମ୍ବୁଲାନ୍ସଟି ରାସ୍ତାରେ ଫସି ଯାଇଥିଲା । ଆମ୍ବୁଲାନ୍ସ ଚାଳକ ଡାକହୁଡି ପକାଇବା ପରେ ଗ୍ରାମର ଯୁବଗୋଷ୍ଠି ଦୌଡି ଆସି ଆମ୍ବୁଲାନ୍ସଟିକୁ ରାସ୍ତାକୁ ଉଠାଇ ଆଣିଥିଲେ । ଏହି ରାସ୍ତାଟି ବିଗତ ୪ ବର୍ଷ ତଳେ ନିର୍ମାଣ ହୋଇଥିଲା । ମରାମତି ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାର ସୃଷ୍ଟି ହୋଇଛି । ଫଳରେ ବର୍ଷା ହେବାପରେ ରାସ୍ତାରେ ପାଣି ଜମି ରହୁଛି । ଏହି ସମୟରେ ଯାଇଥିବା ଆମ୍ବୁଲାନ୍ସଟି ଫସି ଯାଇଥିଲା । ସେହିପରି ଗତକାଲି ଅପରାହ୍ନରେ ବାଲି ବୋଝେଇ ଏକ ଟ୍ରାକ୍ଟର ମଧ୍ୟ ରାସ୍ତାରେ ଫସି ଯାଇଥିଲା । ଦିର୍ଘ ୪ ଘଣ୍ଟା କାଳ ପରିଶ୍ରମ କରିବା ପରେ ଗାଡିଟିକୁ ରାସ୍ତା ଉପରକୁ ଆଣିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ । ପୀରହାଟ ଗାନ୍ଧିମାର୍ଗରୁ ଚାରିବାଟିଆ ଲମ୍ବିଥିବା ରାସ୍ତା ମଧ୍ୟରୁ ସାହାପୁର ହରିପୁରରୁ ଗୋପାଳଦୋହରା ପର୍ଯ୍ୟନ୍ତ ଲମ୍ବିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ । ଏହି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ପଦାଧିକାରୀଙ୍କ ଅବଗତ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବସନ୍ତ ବିଶ୍ୱାଳ, ପୃଥିରାଜ ସୂତାର, ଶଶିକାନ୍ତ ନାୟକ, ହୃଷିକେଶ ବିଶ୍ୱାଳ, ରତିକାନ୍ତ ବିଶ୍ୱାଳ, ନୃସିଂହ ବିଶ୍ୱାଳ, ଜୟଚନ୍ଦ୍ର ସୂତାର, ପ୍ରଦୀପ ବେହେରା, ଉଗ୍ରସେନ ବିଶ୍ୱାଳ, କୁଳମଣି ବାରିକ, ରମେଶ ନାୟକ ପ୍ରମୁଖ ଗ୍ରାମବାସୀ ଏହି ରାସ୍ତାର ତୁରନ୍ତ ମରାମତି କରିବା ଲାଗି ଦାବି କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।