ତିହିଡିର ୩୪ଟି ହାଇସ୍କୁଲର ଜମିଜମା ସମାଧାନ ପ୍ରକ୍ରିୟା ଆରମ୍ଭ।

287

କଟକ (ଉତ୍କଳ ନିଉଜ)ତିହିଡି, ୧୧.୧୦: ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଘରୋଇ ସ୍କୁଲରୁ ମୁହଁ ଫେରେଇ ଆଣିବା ଲାଗି ରାଜ୍ୟ ସରକାର ସଂପ୍ରତି କେତେକ ସ୍କୁଲକୁ ୫-ଟି ରୂପାନ୍ତରିତ ବିଦ୍ୟାଳୟର ମାନ୍ୟତା ଦେଇ ସମସ୍ତ ଭିତ୍ତିଭୂମିର ବିକାଶ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ଏହିସବୁ ୫-ଟି ରୁପାନ୍ତରିତ ବିଦ୍ୟାଳୟରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍‌, ବଗିଚା, ବିଜ୍ଞାନଗାର, ଜଳ ଓ ପରିମଳ, ନୂତନ ପାଇଖାନା ଓ ଖେଳ ପଡିଆ ଆଦି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟୟବରାଦ ମଧ୍ୟ କରିଛନ୍ତି । ଦୋଳସାହି ରାମନାରାୟଣ ହାଇସ୍କୁଲ, ତିହିଡିସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ଓ ଚନ୍ଦ୍ରକାଟବିନ୍ଧାସ୍ଥିତ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ଗୁଡିକୁ ସରକାରଙ୍କ ପକ୍ଷରୁ ପ୍ରଥମେ ୫-ଟି ରୁପାନ୍ତରିତ ବିଦ୍ୟାଳୟରେ ପରିଣତ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଏହି ବ୍ଲକର ସମସ୍ତ ୩୪ଟି ହାଇସ୍କୁଲର ଜମିଜମା ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ହୋଇଛି । କେତେକ ସ୍ଥଳରେ ସ୍କୁଲର ଜମି ଦଖଲରେ ଥିଲେ ମଧ୍ୟ ଅନ୍ୟ କାହାରି ନାମରେ ଥିବା ଜଣାଯାଇଛି । ଆଉ କେତେକ ବ୍ୟକ୍ତିଗତ ଦାନ, ଠାକୁର ଜମି ଅଥବା ସରକାରଙ୍କ ବିଭିନ୍ନ କିସମର ଜମି ଯୋଡି ହୋଇ ରହିଛି । ଯାହାକୁ ତହସିଲଦାରଙ୍କ ପକ୍ଷରୁ ତଦନ୍ତ କରାଯାଇ ସ୍କୁଲ ମାଲିକାନାକୁ ଦିଆଯିବା ପରେ ସରକାରଙ୍କ ପରବର୍ତ୍ତୀ କୌଣସି ନିଷ୍ପତି ନେବାର ସମ୍ଭାବନା ରହିଥିବା ବାରି ହେଉଛି । ଏହି ବ୍ଲକର ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ, ସାମନ୍ତରାପୁର ହାଇସ୍କୁଲ, ନରେନ୍ଦ୍ରପୁର ଉମାମଣି ଗୋପବନ୍ଧୁ ବିଦ୍ୟାପୀଠ, ଅଚକ ଏଏସ ହାଇସ୍କୁଲ, ବାରୋ ହାଇସ୍କଲ, ଦହପାଣିଆ ସରକାରୀ ହାଇସ୍କୁଲ(ଏସଏସଓ), ବିଲଣାସ୍ଥିତ ମନୋରମା ହାଇସ୍କୁଲ, ବୋଡକ ନାୟକାଣି ହାଇସ୍କୁଲ, ଦୋଳସାହି ଭଗବତୀ ବାଳିକା ଶିକ୍ଷାୟତନ ଓ ରାମନାରାୟଣ ହାଇସ୍କୁଲ, ସଦାନନ୍ଦପୁରଶଶି ଶୋଭା ସହଯୋଗ ଗାର୍ଲସ ହାଇସ୍କୁଲ, ଗୁଆମାଳ ବିଣାପାଣି ହାଇସ୍କୁଲ, କାଁପଡା ବାସୁଳୀ ହାଇସ୍କୁଲ, ଜୟପୁର ବାଞ୍ଛାନିଧି ହାଇସ୍କୁଲ, ତଳଦୁମୁକା ବ୍ୟାସଦେବ ହାଇସ୍କୁଲ, ଈଶ୍ୱରପୁର ଦପା ନାୟକାଣି ହାଇସ୍କୁଲ, ତଳଗୋପବିନ୍ଧା ଏ.ସି ହାଇସ୍କୁଲ, ତାଳପଦା ବାଳିକା ହାଇସ୍କୁଲ, ମହରମପୁର ଉମା ଚରଣ ସହଯୋଗ ହାଇସ୍କୁଲ, କମାରିଆ ଏପିଏସପିଏସ ହାଇସ୍କୁଲ, ସିନ୍ଦୋଳ ପଞ୍ଚାୟତ ହାଇସ୍କୁଲ, ବାହାବଳପୁର ବିକେ ହାଇସ୍କୁଲ, ତିହିଡି ସିଆରଏସ ହାଇସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲ, କୋହ୍ଲ ହାଇସ୍କୁଲ, ଆରସା ହାଇସ୍କୁଲ, ବାରବାଟିଆ ବୈଷ୍ଣବାନନ୍ଦ ବିଦ୍ୟାପୀଠ, ସାହାପୁର ଲକ୍ଷ୍ମୀନାରାୟଣ କୃଷକ ସହଯୋଗ ହାଇସ୍କୁଲ, ହଂସପାଟ ଲକ୍ଷ୍ମୀନାରାୟଣ ହାଇସ୍କୁଲ, କଣ୍ଡରଗଡିଆ ମୀନାମୁନି ହାଇସ୍କୁଲ, ପାଳିଆବିନ୍ଧା ରାମାନୁଜ ବିଦ୍ୟାପୀଠ ଓ ବାରସର ବାସନ୍ତୀ ହାଇସ୍କୁଲ ସାମିଲ ହୋଇଥିବା ସୂଚନା ମିଳିଛି । ଏହିସବୁ ହାଇସ୍କୁଲଗୁଡିକର ଜମିଜମା ସମ୍ପର୍କରେ ତହସିଲଦାର ପ୍ରତୀକ କୁମାର ସାହୁ କ୍ଷେତ୍ରୀୟ ତଦନ୍ତ ଚଳାଇଛନ୍ତି । ରେଭିନ୍ୟୁ ସୁପରଭାଇଜରଙ୍କ ସମେତ ସମସ୍ତ ଆରଆଇମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ପୂଜା ଛୁଟିରେ ମଧ୍ୟ ହାଇସ୍କୁଲଗୁଡିକୁ କ୍ଷେତ୍ରୀୟ ତଦନ୍ତ କରାଯାଇ ପ୍ରଧାନ ଶିକ୍ଷକମାନଙ୍କ ସହଯୋଗରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଥିବା ଜଣାଯାଇଛି । ତେବେ ଭବିଷ୍ୟତରେ ଏହାର ରୂପରେଖ କଣ ନେଉଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।