ଦୁର୍ଗା ପୂଜା ଆଡମ୍ବରକୁ ବାଟ ଓଗାଳୁଛି କଟକଣା।

162

କଟକ(ଉତ୍କଳ ନିଉଜ)ତିହିଡି : ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର ଉଦ୍ଦୀପନା । ଦେବୀଙ୍କ ଆବାହନ କେବଳ ଯେ ପୂଜା ମଣ୍ଡପରେ ଅନୁଭୁତି ହୋଇଥାଏ ତାହାନୁହେଁ ଦେବୀଙ୍କୁ ଆରାଧନା ଓ ସ୍ୱାଗତ କରିବା ପାଇଁ ପ୍ରକୃତି ଠାରୁ ମାନବ ସମାଜ ସଦା ତତ୍ପର । ପ୍ରକୃତି ଆଉ ସୃଜନକୁ ଭାରତୀୟ ସଂସ୍କୃତି ଓ ଦର୍ଶନ ଶାସ୍ତ୍ରରେ ମାତୃରୂପ ପ୍ରଦାନ କରାଯାଇଛି । ଦୁର୍ଗା ପୂଜା କହିଲେ ଓଡିଆ ପରମ୍ପରାରେ ଏକ ବଡ ପର୍ବ । ଆଉ ଦିନ କେଇଟା ପରେ ପାଳନ ହେବାକୁ ଯାଉଛି ଦୁର୍ଗା ପୂଜା । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ତଥା ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମହାଳୟା ଠାରୁ ମା’ଙ୍କ ପୂଜା ବିଧି ଚଳଚଞ୍ଚଳ ହୋଇଯାଇଛି । ବ୍ଲକର ସର୍ବ ପୂରାତନ ପୀଠ ଭାବେ ପୀରହାଟ ବାରବାଟିଆ ଦୁର୍ଗାପୂଜା ବେଶ ପରିଚିତ । ମା’ଙ୍କ ମୃର୍ତ୍ତୀ ନିର୍ମାଣ କାର୍ଯ୍ୟ ଅଗେଇ ଚାଲିଛି । ବିଗତ ୧୫ ପୁରୁଷ ଧରି ଏଠାରେ ମା’ଙ୍କ ପୂଜା ପାଳିତ ହୋଇ ଆସୁଅଛି । ସବୁଠୁ ନିଆରା ପରମ୍ପରା ଭାବେ ଏଠାରେ ହଜାର ହଜାର ସଂଖ୍ୟାରେ ଆଟିକା ଭୋଗ ଲାଗିବାର ପରମ୍ପରା ରହିଛି । ସେହିପରି କୋହ୍ଲ ପଞ୍ଚାୟତ ଅଧିନ ପତିସାହିର ଦୁର୍ଗା ପୂଜା ଐତିହାସିକ ପରମ୍ପରା ବୋଲି ଦାବୀ କରାଯାଉଛି । ପ୍ରଥମେ ୨ ଶହ ବର୍ଷ ଧରି ସାର୍ବଜନିନ ଭାବେ ପୂଜା ପାଳନ କରାଯାଉ ଥିବାବେଳେ ପ୍ରାୟ ୨ ଶହ ବର୍ଷରୁ ଉର୍ଦ୍ଧ ଧରି ପତି ବଂଶଜ ପକ୍ଷରୁ ଏଯାବତ ଏହା ପାଳନ କରାଯାଉଛି । ଏଠାରେ ଷଷ୍ଠି ତିଥିରେ ବେଲବରଣି ଠାରୁ ପୂଜାରମ୍ଭ ହୋଇ ମହାସପ୍ତମୀରେ ମା’ଙ୍କୁ ଆବାହନ, ନେତ୍ର ପ୍ରଦାନ, କଖାରୁ ବଳି, ଆଳତୀ କରାଯାଇଛି । ମା’ଙ୍କ ମହିମା ଅପାର, ଯିଏ ଯାହା ମାନସିକ ରଖିଥାଏ ମା’ ପୂରଣ କରିଥିବା ଏବେବି ବିଶ୍ୱାସ ରହିଛି । ଏହି ପୀଠରେ ଦୁର୍ଗା ପୂଜା ବ୍ୟତିତ ପ୍ରତିମାସ ଚଣ୍ଡି ପାଠ ଓ ନିୟମିତ ପୂଜା କରାଯାଇଥାଏ । ସେହିପରି ନନ୍ଦପୁର ଦୁର୍ଗାପୂଜା ଏକ ନିଆରା ପରମ୍ପରା ଅନୁଯାଇ ପାଳିତ ହୋଇ ଆସୁଅଛି । ୧୯୪୭ ମସିହାରୁ ତତ୍କାଳିନ ଜମିଦାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ପୂଜା ୧୯୫୦ରେ ସାର୍ବଜନିନ ହୋଇଛି । ଅଞ୍ଚଳର କେତେକେ ବୁଦ୍ଧିଜୀବି ଓ ମୁରବୀ ଶ୍ରେଣୀର ବ୍ୟକ୍ତିଙ୍କ ଉଦ୍ୟମରେ ସେବେଠାରୁ ଆଜି ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଓ ପରମ୍ପରା ଅନୁଯାଇ ପାଳିତ ହେଉଛି । ଶିଳ୍ପୀଙ୍କ ଆନ୍ତରିକତା ଓ ମୂର୍ତ୍ତୀ ନିର୍ମାଣ ଶୈଳୀରେ ଆଜିଯାଏଁ କୌଣସି ବ୍ୟତିକ୍ରମ ବା ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ । ମା’ଙ୍କ କରୁଣାରୁ ସେ ଆଜିଯାଏଁ ଏକ ନିର୍ଦ୍ଦିଷ୍ଟ ଆକୃତିର ଜୀବନ୍ତ ନମନୀୟ ମୂର୍ତ୍ତୀ ନିର୍ମାଣ କରିବାରେ ସମର୍ଥ ହେଉଛନ୍ତି ବୋଲି କୁହାଯାଏ । ମାନସିକ ପୂରଣ ହେଲେ ମା’ଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ କଖାରୁ ବଳି ଲଗାଇଥାନ୍ତି ଭକ୍ତ । ଅଷ୍ଟମୀରେ ୮ ଶହ, ନବମୀରେ ୯ ଶହ ଓ ଦଶମୀରେ ଏକ ହଜାର କଖାରୁ ବଳିର ପ୍ରଥା ପରମ୍ପରା ରହିଛି । ମା’ଙ୍କ ଆର୍ଶିବାଦରେ ୧୯୮୬ ମସିହାରେ ତିହିଡି ବଜାରସ୍ଥିତ ମଙ୍ଗରାପୁର ଛକରେ ଗଢି ଉଠିଥିବା ସାର୍ବଜନିନ ଦୁର୍ଗାପୂଜା ଚଳିତ ବର୍ଷ ନିରାଡମ୍ବର ବାବେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ଚନ୍ଦ୍ରକାଟବିନ୍ଧା, ବାରୋ, ବୋଡକ, ନାଉରିଆ ପୋଖରୀ, ମୁଟୁରୀଗଡ, ସିନ୍ଦୋଳ ରଥସାହି, କୋହ୍ଲ ବଡଦାଣ୍ଡ, ଦୋଳସାହି, କୁବେରା, ନୀଳକଣ୍ଠପୁର, ରାଜନଗର ପଞ୍ଚାୟତର ଚାରିତରଫ ଆଦି ସ୍ଥାନରେ ମା’ଙ୍କର ପୂଜା ପାଳନ କରାଯିବାର ସୂଚନା ମିଳିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।