ଠିକାଦାର ବିରୋଧରେ ତେଜିଲେ ଗ୍ରାମବାସୀ।

273

କଟକ(ଉତ୍କଳ ନିଉଜ)ତିହିଡି, ୩୦.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ମଙ୍ଗଳପୁର ନିକଟରେ ରେଳପଥ ନିର୍ମାଣ କରୁଥିବା କମ୍ପାନୀର ଗାଡି ଚଳାଚଳକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଛି । କମ୍ପାନୀର ଶୋଷଣ ନୀତି ବିରୋଧରେ ମୁହଁ ଖୋଲିଛନ୍ତି ଲୋକେ । ମଙ୍ଗଳପୁର-କମାରିଆ ରାସ୍ତାରେ କମ୍ପାନୀର ଦୈନିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ଗ୍ରାମବାସୀଙ୍କ ସହିତ କୌଣସି ପ୍ରାକ୍ ଆଲୋଚନା ନକରି ରେଳପଥ ନିର୍ମାଣ କରୁଥିବା ୨ଟି କମ୍ପାନୀ ଏହି ରାସ୍ତାରେ ମାଲ ପରିବହନ କରୁଛନ୍ତି । ଅଣଓସାରିଆ ରାସ୍ତାରେ କମ୍ପାନୀ ମାଲ ବୋଝେଇ ଗାଡି ଚଳାଚଳ କରୁଥିବାରୁ ବିପଦ ସୃଷ୍ଟି କରୁଛି । ଛୋଟ ଛୋଟ ପିଲାମାନଙ୍କ ସମେତ ବୃଦ୍ଧ, ବୃଦ୍ଧା ଏପରିକି ମହିଳାମାନେ ଏହି ରାସ୍ତାରେ ଯିବାକୁ ଭୟ କଲେଣି । ରାସ୍ତାର କ୍ଷମତା ଠାରୁ ଅଧିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ନିର୍ମାଣ କମ୍ପାନୀକୁ ବାରମ୍ବାର ଅବଗତ କରିବା ସତ୍ୱେ ମଧ୍ୟ ସେମାନେ ଶୁଣୁନଥିବା ଏବଂ ଗ୍ରାମବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ନିର୍ମାଣ କମ୍ପାନୀ ରେଳପଥ ପରିସରରେ ମିକଶ୍ଚର ପ୍ଲାଣ୍ଟ ସ୍ଥାପିତ କରିଛି ଏବଂ ସେଥିପାଇଁ କମାରିଆ ମଙ୍ଗଳପୁର ରାସ୍ତା ଦେଇ ଉକ୍ତ ପ୍ଲାଣ୍ଟକୁ ଯିବା ଆସିବା କରୁଛି । ରାସ୍ତା ର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହେବା ଦ୍ୱାରା ଲୋକେ ଯାତାୟତରେ ବିଭିନ୍ନ ସମୟରେ ସୃଷ୍ଟି ହେଉଛି ଏବଂ ସଂଧ୍ୟା ହେଲେ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କଲେଣି । ଏହି ରାସ୍ତା ଉପରେ ମଙ୍ଗଳପୁର, ତଳମୂଷାଙ୍ଗ, କନାଟିଆ, ଶଙ୍କରପୁର, ବାଇପୁର, ଦୋହରାସାହି, ବାହାବଳପୁର, ପୋଖରୀସାହି ଗ୍ରାମ ସହିତ ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବାରୁ ଅନ୍ୟାନ୍ୟ ବହୁ ପଞ୍ଚାୟତବାସୀ ଏହି ପ୍ରମୁଖ ରାସ୍ତା ଉପରେ ନିର୍ଭର କରିଥାନ୍ତି । କମ୍ପାନୀର ଖାମିଖିଆଲୀ ମନୋବୃତ୍ତି ଓ ଶୋଷଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ଗୁରୁବାର ମଧ୍ୟାହ୍ନରୁ ମଙ୍ଗଳପୁରପୁର ଲେବୁଲ୍ କ୍ରସିଂ ନିକଟରେ ବାଡ ପୋତି ଅବରୋଧ କରିଥିବା ଜଣାଯାଇଛି । ଏହି ରାସ୍ତା ଉପରେ ନିର୍ମାଣ କମ୍ପାନୀର କୌଣସି ଯାନବାହାନ ଚଳାଚଳ ନକରିବା ଲାଗି ଜିଲ୍ଲାପାଳଙ୍କ ସମେତ ତିହିଡି ପ୍ରଶାସନ ନିକଟରେ ଭାରପ୍ରାପ୍ତ ସରପଞ୍ଚ ପ୍ରତାପ ସାହୁ, ଶରତ କୁମାର ପାଣିଗ୍ରାହୀ, ସତ୍ୟପ୍ରକାଶ ନାୟକ, ସୁବ୍ରତ ନାୟକ, ବିକାଶ ସେଠୀ, ମନୁ ମଳିକ, ବିପିନ ଦାସ, ସଞ୍ଜୟ ମଲ୍ଲିକ, ମଧୁ ମହାଳିକ, କାଳିଆ ମହାଳିକ, ଜଳେନ୍ଦ୍ର ମହାଳିକ, ଶ୍ରୀକାନ୍ତ ମହାଳିକ, ଆଲୋକ ରଞ୍ଜନ ପାଣିଗ୍ରାହୀ ଦାବି କରିଛନ୍ତି । ତେବେ କମ୍ପାନୀର କର୍ମଚାରୀମାନେ ସଂଧ୍ୟାରେ ଫେରିବା ବେଳେ ଲୋକେ ବିରୋଧ କରିବା ସହିତ ସେମାନଙ୍କ ଗାଡି ଗୁଡିକୁ ଛାଡିନଥିଲେ । ପରେ ସାମୟିକ ଭାବେ ଆପୋଷ ବୁଝାବଣା ହୋଇଥିବା ସୂଚନା ମିଳିଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।