ଗଣ୍ଡପଡା ଗଣ୍ଡଗୋଳ ଘଟଣା, ସମାଧାନର ବାଟ ପାଉନି ପ୍ରଶାସନ

112

କଟକ(ଉତ୍କଳ ନିଉଜ)ତିହିଡି, ୨୯.୦୯: ଭଦ୍ରକ ଜିଲ୍ଲା ତିହିଡି ତହସିଲ ଗୁଆମାଳ ପଞ୍ଚାୟତ ଅଧିନ ଗଣ୍ଡପଡା-ଗଣେଶ୍ୱରପୁର ଗ୍ରାମ୍ୟ ରାସ୍ତା ଜବର ଦଖଲକୁ କେନ୍ଦ୍ରକରି ଗତ ୧୬ ତାରିଖରେ ଘଟିଥିବା ଘଟଣା ସଂପ୍ରତି ଜିଲ୍ଲା ପ୍ରଶାସନର ମୁଣ୍ଡ ବଥାର କାରଣ ସାଜିଛି । ଜବର ଦଖଲକାରୀଙ୍କ ପରିବାର ପକ୍ଷରୁ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗଣେଶ୍ୱରପୁର ଗାଁର କେଶବ ସେନାପତି କଟକ ବଡ ଡାକ୍ତରଖାରେ ସଂପ୍ରତି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଜବର ଦଖଲକାରୀଙ୍କ ପକ୍ଷରୁ ଉକ୍ତ ମରଣାନ୍ତକ ଆକ୍ରମଣରେ ସମସ୍ତ ଅଭିଯୁକ୍ତକୁ ଗିରଫ୍ କରିବା ସହିତ ଦୋଳସାହି ଆରଆଇଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ପଞ୍ଚାୟତବାସୀ ଦାବି କରିଆସୁଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାର ଠକ୍ ଠକ୍ କରିଥିବା ଏବଂ ବିଭିନ୍ନ ସମୟରେ ପ୍ରଶାସନ ବିରୋଧରେ ବୈଠକ ମଧ୍ୟ କରାଯାଉଛି । ଅନ୍ୟପଟେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ତଥା ଘଣ୍ଟା ଘଣ୍ଟା ଅଟକ ହୋଇ ସଂପୃକ୍ତା ଆଇ ମାନସିକ ତଥା ଶାରିରୀକ ନିର୍ଯ୍ୟାତନା ପାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ ମାଡ ମାରି ଅଟକ ରଖିଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ଲାଗି ତିହିଡି ତହସିଲ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି । ପ୍ରଶାସନ ପକ୍ଷରୁ କୌଣସି ନ୍ୟାୟ ନିମିଳିବାରୁ ଶେଷରେ ସେମାନେ ୨୭ ତାରିଖରେ କମଲ ଛାଡ ଆନ୍ଦୋଳନ କରିଥିଲେ । ୨୮ ତାରିଖରେ ତହିସିଲଦାର ଓ ଆଇଆଇସି ସେମାନଙ୍କୁ ବୁଝାସୁଝା କରାଇଥିଲେ ମଧ୍ୟ ସେମାନେ ନିବୃତ ହୋଇନଥିଲେ । ତେବେ ବୁଧବାର ଉପଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ତିହିଡି ଆଇଆଇସିଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଉକ୍ତ କଲମ ଛାଡ ଆନ୍ଦୋଳନରୁ ନିବୃତ ହେବା ସହିତ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି । ସୂଚନା ମୁତାବକ, ଦୋଳସାହିଆରଆଇ ଇତିଶ୍ରୀ ଖଟୁଆଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବ୍ୟବହାର ଓ ଦୀର୍ଘସମୟ ଧରି ଅଟକ ରଖାଯିବା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ଦାବିରେ ତହସିଲ କାର୍ଯ୍ୟାଳୟରେ କଲମ ଛାଡ଼ ଆନ୍ଦୋଳନ କରିବା ଲାଗି ଗତ ୧୮ ତାରିଖରେ ଚେତାବନି ଦିଆଯାଇଥିଲା । ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ତିହିଡି ଶାଖା ଓଡିଶା ରାଜ୍ୟ ରାଜସ୍ୱ ଅମଲା ସଂଘ, ତିହିଡି ଶାଖା ଓଡିଶା ରାଜ୍ୟ ଡିଇଓ ସଂଘ, ତିହିଡି ଶାଖା ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ତଥା କଲମ ଛାଡ଼ ଆନ୍ଦୋଳନ କରାଯାଇଥିଲା । ଗତ ୧୬ ତାରିଖରେ ବର୍ଷା ଜଳ ଜମାଟ ବାନ୍ଧିଥିବା ତଦନ୍ତ ବେଳେ ଦୋଳସାହି ଆରଆଇ ଇତିଶ୍ରୀ ଖଟୁଆଙ୍କୁ କେତକ ମହିଳା ଓ ପୁରୁଷ ଆକ୍ରମଣ କରିବା ସହିତ ତାଙ୍କୁ ଗ୍ରାମର ଅଷ୍ଟମ ପ୍ରହରୀ ଘରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଏହି ଘଟଣାକୁ ନେଇ ତିହିଡି ପୋଲିସ ୩୩ ଜଣଙ୍କ ବିରୋଧରେ ବିଭିନ୍ନ ଦଫାରେ ଏକ ମାମଲା ୩୪୯/୨୧ରୁଜୁ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ସେମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଥିଲା । ତେବେ ୨୯ ତାରିଖରେ ଆନ୍ଦୋଳନରୁ ନିବୃତ ହୋଇଥିବା ଜଣାଯାଇଛି । ଅନ୍ୟପଟେ କେଶବ ସେନାପତିଙ୍କୁ ମରଣାନ୍ତ ଆକ୍ରମଣ ଅଭିଯୋଗରେ ସଂଗୀନ ଦଫାରେ ଥାନାରେ ୫ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏତତ୍ ବ୍ୟତିତ ଆରଆଇଙ୍କୁ ମଧ୍ୟ ଦାୟୀ କରାଯାଇଛି । କେଶବଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ଝିଅକୁ ସଂପୃକ୍ତା ଆରଆଇ ତାଙ୍କ ମାଡ ମାରିଥିବା ନେଇ ମଧ୍ୟ କୁହାଯାଉଛି । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଗଲେ ଆସନ୍ତା ୩୦ ତାରିଖରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦୋଳସାହି ଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଚେତାବନି ଦିଆଯାଇଥିଲା । ତେବେ ତିହିଡି ଆଇଆଇସିଙ୍କ ପ୍ରତିଶୃତିକୁ ବିଶ୍ୱାସ ତଥା ଭରଷା କରି ଉକ୍ତ ରାସ୍ତାରୋକକୁ କିଛିଦିନ ପାଇଁ ସ୍ଥଗିତ କରାଯାଇଥିବା ବୁଧବାର ସଂଧ୍ୟାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରାଯାଇଛି । ମୋଟ ଉପରେ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଏନେଇ ଚିନ୍ତା ବଢିବାରେ ଲାଗିଛି । ଗୋଟିଏ ପଟେ ଶହ ଶହ ପଞ୍ଚାୟତବାସୀ ଏବଂ ଅନ୍ୟପଟେ ତହସିଲ କର୍ମଚାରୀବୃନ୍ଦ ସହିତ ଆରଆଇ ସଂଘ । ଉଭୟ ପକ୍ଷରୁ ଅଭିଯୋଗ ମୁତାବକ ଯାହାବି ପଦକ୍ଷେପ ନିଆଯିବ ଅଥବା ନିଆନଯିବ ନିଶ୍ଚୟ ଭାବେ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।