ନଚ୍ଛିବିନ୍ଧାରେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ଜଣେ ଗିରଫ୍‌

96

କଟକ (ଉତ୍କଳ ନିଉଜ)ତିହିଡ଼ି, ୨୮.୦୯: ଭଦ୍ରକ ଜିଲ୍ଳା ତିହିଡି ବ୍ଲକ୍ ପୀରହାଟ ଥାନାଧିନ ନଛିବିନ୍ଧା ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତା ମହିଳା ଜଣକ ଶଶଧର ରାଉଳଙ୍କ ସ୍ତ୍ରୀ କବିତା ରାଉଳ ବୋଲି ଜଣାଯାଇଛି । ଶୋଇବା ଘରେ ସେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଯାହାକୁ ନେଇ ପୋଲିସ ତଦନ୍ତ ଚଳାଇବା ସହିତ ସାଇଣ୍ଟିଫିକ୍ ଟିମ୍ ଜରିଆରେ ପୁଙ୍ଖାନୁପୁଙ୍କ ତଦନ୍ତ କରିଥିବା ଜଣାଯାଇଛି । ସୂଚନା ମୁତାବକ, ବାଂଶଡା ଥାନାଧିନ ବାଲିପଦା ଗାଁର ଉମାକାନ୍ତ ନାୟକଙ୍କ ଝିଅ କବିତା ନାୟକ(୩୧) ଗତ ୨୦୦୭ ମସିହାରେ ନଛିବିନ୍ଧା ଗ୍ରାମର ଶଶଧର ରାଉଳଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ମଧ୍ୟ ଅଛି । କବିତାଙ୍କ ସ୍ୱାମୀ କଟକରେ ସିକୁରିଟ ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । କବିତାଙ୍କ ବାପା ଉମାକାନ୍ତ ନାୟକ ତାଙ୍କ ଝିଅ ଆତ୍ମହତ୍ୟା କରି ନାହିଁ ବରଂ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମୃତାଙ୍କ ସ୍ୱାମୀ ଶଶଧର ରାଉଳଙ୍କ ସମେତ ତାଙ୍କ ପଡୋଶୀ ତଥା ବନ୍ଧୁ ଉମେଶ ବେହେରା ଏକ ସୁପରିକଳ୍ପିତ ଭାବେ ହତ୍ୟାକାଣ୍ଡ କରି ଆତ୍ମହତ୍ୟାର ରୁପ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ପୋଲିସ ସୋମବାର ସଂଧ୍ୟାରେ ଶବକୁ ଜବତ କରିଥିବା ବେଳେ ମଙ୍ଗଳବାର ସକାଳେ ସାଇଣ୍ଟିଫିକ୍ ଟିମ ଜରିଆରେ ଅଧିକ ତଦନ୍ତ କରିଥିବା ଜଣାଯାଇଛି । ମୃତାଙ୍କ ବାପା ଉମାକାନ୍ତ ନାୟକଙ୍କ ଏତଲା ସ୍ୱାମୀ ଶଶଧର ରାଉଳ ଓ ତାଙ୍କ ବନ୍ଧୁ ଉମେଶ ବେହେରାଙ୍କ ବିରୋଧରେ ଥାନାରେ ଏକ ମାମଲା ୧୪୧/୨୧, ଦଫା ୩୦୨ ଓ ୩୪ ଆଇପିସି ରୁଜୁ କରାଯାଇଛି । ତେବେ ପୋଲିସ ଉମେଶ ବେହେରାଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ କରାଯିବା ପରେ ମଙ୍ଗଳବାର ସଂଧ୍ୟାରେ ଗିରଫ୍ କରାଯାଇଥିବା ଥାନାଧିକାରୀ ଗୟାଧର ବେହେରାଙ୍କ ଠାରୁ ସୂଚନା ମିଳିଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।