ଗ୍ରାମ୍ୟ ରାସ୍ତା ଜବର ଦଖଲକୁ ନେଇ ଗଣ୍ଡଗୋଳ ଘଟଣା

312

କଟକ(ଉତ୍କଳ ନିଉଜ)ତିହିଡି, ୨୦.୦୯: ଭଦ୍ରକ ଜିଲ୍ଲା ତିହିଡି ତହସିଲ ଗୁଆମାଳ ପଞ୍ଚାୟତ ଅଧିନ ଗଣ୍ଡପଡା-ଗଣେଶ୍ୱରପୁର ଗ୍ରାମ୍ୟ ରାସ୍ତା ଜବର ଦଖଲକୁ କେନ୍ଦ୍ରକରି ଉପୁଜିଥିବା ଗଣ୍ଡଗୋଳରେ କେଶବ ସେନାପତି ସଂପ୍ରତି ମରଣ ଶଯ୍ୟାରେ । ଜବର ଦଖଲକାରୀଙ୍କ ପକ୍ଷରୁ ମରଣାନ୍ତକ ଆକ୍ରମଣରେ କେଶବ ସେନାପତିଙ୍କର ହାତ ଗୋଡ ଭାଙ୍ଗି ଚୁରମାର ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ କେଶବଙ୍କ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବା ଲାଗି ଲାଗି ସୋମବାର ସଂଧ୍ୟାରେ ଗୁଆମାଳ ପଞ୍ଚାୟତ ଅଧିନ ସ୍ଥାନୀୟ କଲ୍ୟାନ ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି କରାଯାଇଛି । କେଶବଙ୍କୁ ଆକ୍ରମଣ ଘଟଣାରେ ଦୋଳସାହି ଆରଆଇ ଇତଶ୍ରୀ ଖଟୁଆଙ୍କୁ ସମ୍ପୁର୍ଣ୍ଣଭାବେ ଦାୟୀ କରାଯାଇଛି । ଗ୍ରାମର ବର୍ଷାଜଳ ନିଷ୍କାସନରେ ଜବର ଦଖଲ ସ୍ଥଳ ବାଧକ ସାଜିଥିବା ନେଇ କେଶବ ସେନାପତି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଥିଲେ । ଜିଲ୍ଲାପାଲଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଉକ୍ତ ଘଟଣାର କ୍ଷେତ୍ରୀୟ ତଦନ୍ତ କରିବା ଲାଗି ଦୋଳସାହି ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜବର ଦଖଲକାରୀଙ୍କ ସହିତ ଚିରାଚରିତ ତତା ଅଜାତ ଶତୃତା ଲାଗି ରହିଥିବା ଆଇଆଇ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ କେଶବ ସେନାପତିଙ୍କୁ ନେଇ ଆରଆଇ ଉକ୍ତ ସ୍ଥାନକୁ ଡାକିଥିଲେ । ପୂର୍ବ ଶତୃତାକୁ କେନ୍ଦ୍ରକରି ଜବର ଦଖଲକାରୀ ପକ୍ଷ ନୃସିଂହ ବେହେରା, ଚକ୍ରଧର ବେହେରା, ଶୁକଦେବ କର, ପାର୍ବତୀ ବେହେରା ଓ ଲକ୍ଷ୍ମୀ ବେହେରା ପ୍ରମୁଖ ମିଳିତ ଭାବେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ସହିତ ସଂପୃକ୍ତା ଆରଆଇଙ୍କ ବିରୋଧରେ ଆଇନ୍‌ଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଦୋଳସାହି ଆରଆଇ ଇତିଶ୍ରୀ ଖଟୁଆଙ୍କ ଅଭିଯୋଗକ୍ରମେ ତହସିଲଦାର ପ୍ରତୀକ କୁମାର ସାହୁଙ୍କ ଏତଲା କ୍ରମେ ଗ୍ରାମର କେତେକ ମହିଳାଙ୍କ ବିରୋଧରେ ଅନ୍ୟ ଏକ ମାମଲା ୩୪୯/୨୧, ଦଫା ୧୪୭, ୧୪୮, ୩୪୧, ୪୪୨, ୩୫୩, ୩୨୩, ୩୨୪, ୩୫୪, ୩୦୭, ୨୯୪, ୩୭୯, ୧୪୯, ୫୦୬ ଓ ୩୪ ଆଇପିସି ରୁଜୁ କରାଯାଇ ୨ ଜଣ ମହିଳାଙ୍କୁ ଗିରଫ୍ କରାଯାଇଛି । ତେବେ ପୁରୁଷ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ୍ କରିବା ଲାଗି ଦାବି କରାଯାଇଛି । ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତା ଆରଆଇଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ମାତ୍ର ଉକ୍ତ ବଦଳିରେ ସନ୍ତୃଷ୍ଟ ନୁହଁନ୍ତି ଗ୍ରାମବାସୀ । ବିଗତ ଦିନରେ ମାନ୍ୟବର ହୋଇକୋର୍ଟ ପକ୍ଷରୁ ଉକ୍ତ ଜବର ଦଖଲ ଉଚ୍ଚେଦ କରିବା ଲାଗି ବହୁବାର ଆଦେଶ ହୋଇଛି ମାତ୍ର ତତ୍କାଳୀନ ପ୍ରଶାସନିକ ଅଧିକାରିମାନେ ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ଜବର ଦଖଲକାରି ପକ୍ଷ ଅପିଲ୍ ପରେ ଅପିଲ କରି ଚାଲିଥିଲା । ଆଗାମି ଦିନରେ ହାଇକୋର୍ଟ ଆଦେଶ ଆସିବା ପରେ ତୁରନ୍ତ ଜବର ଦଖଲ ଉଚ୍ଛେଦ କରି ଗ୍ରାମର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ଆଲୋଚନା ହୋଇଥିଲା । ଏତତ୍ ବ୍ୟତିତ ଆରଆଇଙ୍କ ଏତଲା ମୂଳେ ଥାନାରେ ଯେଉଁ ମାମଲା ରୁଜୁ ହୋଇଛି ତାହା ମନଗଢା ବୋଲି କୁହାଯାଇଛି । ସଂଗୀନ ଦଫାଗୁଡିକୁ ପ୍ରତ୍ୟାହାର କରିବା ଲାଗି ଦାବି ମଧ୍ୟ କରାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ପ୍ରଶାସନ ବିରୋଧରେ ଆନ୍ଦୋଳନତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି କେତେକ ମତ ପ୍ରକାଶ କରିଥିଲେ । ଇତିକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ବୈଠକରେ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ଶ୍ରୀକାନ୍ତ ତ୍ରିପାଠୀ, ମନୋଜ ତ୍ରିପାଠୀ, ହେମନ୍ତ ଆଚାର୍ଯ୍ୟ, ତପନ କୁମାର ପାଢୀ, ମାଧବାନନ୍ଦ ମିଶ୍ର, ମୁନା ଜେନା, ରବିନ୍ଦ୍ର ମିଶ୍ର, ଭରତ ସାହୁ, ଗୌରାଙ୍ଗ ତ୍ରିପାଠୀ, ସତ୍ୟାନନ୍ଦ ତ୍ରିପାଠୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ୍।