କୃଷକ ବିରୋଧୀ କଳା କୃଷି ଆଇନ ବାତିଲ ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ।

158

କଟକ (ଉତ୍କଳ ନିଉଜ) ୧୮/୯ ଭଦ୍ରକ ଜିଲ୍ଲା ସିପିଆଇ(ଏମ) ତିହିଡ଼ି ଓ ଚାନ୍ଦବାଲି ଆଞ୍ଚଳିକ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । କୃଷକ ମାନଙ୍କ ସର୍ବନାଶକାରୀ ୩ଟି କଳା କୃଷକ ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ଼ ବାତିଲ କରିବା, ମନରେଗାରେ ବର୍ଷକୁ ୨ ଶହ ଦିନର କାର୍ଯ୍ୟ ସହିତ ଦୈନିକ ୬ ଶହ ଟଙ୍କା ମଜୁରି ପ୍ରଦାନ କରିବା, ପ୍ରାକୃତିକ ବିପର୍ଯୟରେ ଫସଲ ଜନିତ କ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଓ ଫସଲବୀମା ପ୍ରଦାନ କରିବା, ପେଟ୍ରୋଲ, ଡିଲେଜ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବା, ସମସ୍ତ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇବା, ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା, ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର କରିବା, ଆୟକର ପରିଭୁକ୍ତ ନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭ ହଜାର ୫ଶହ ଟଙ୍କା ଓ ମୁଣ୍ଡପିଛା ୧୦ କିଲୋ ଚାଉଳ ଓ ଗହମ ଯୋଗାଇ ଦେବା, ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା, ପ୍ରକୃତ ହିତାଧିକାରୀ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ପ୍ରଦାନ କରିବା, ଆଶକର୍ମୀ, ପାଚିକା, ଅଙ୍ଗନୱାଡ଼ି କର୍ମୀ, ଗ୍ରାମସାଥୀ, ଡାଟାଏଣ୍ଟ୍ରି ଅପରେଟର, ବ୍ୟାଙ୍କମିତ୍ରଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ତିହିଡ଼ି ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ପଞ୍ଚାୟତକୁ ୭ ଦିନର ରିଲିଫ୍ ଘୋଷଣା ସହ ଜଳ ନିଷ୍କାସନ ପାଇଁ ନାଳ ଓ ଜୋରଗୁଡ଼ିକୁ ଖନନ କରି ନଦୀ ସହ ସଂଯୋଗ କରିବା ଆଦି ଦାବି ଅନ୍ତର୍ଭୁକ୍ତ କରାଯାଇଛି । ଆଞ୍ଚଳିକ କମିଟି ପକ୍ଷରୁ ଏକ ବିଶାଳ ପଟୁଆରରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।ଏହି ସମସ୍ତ ଦାବୀ ପୂରଣ ପାଇଁ ଆସନ୍ତା ସେପ୍ଟେମ୍ବର ୨୭ ଭାରତ ବଂଦ ପରିପ୍ରେକ୍ଷୀରେ ବନ୍ଦ ପାଳନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କମିଟି ପକ୍ଷରୁ ତିହିଡିରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନ୍‌ଜୀବି ବିଷ୍ଣୁ ଦାଶଙ୍କ ନେତୃତ୍ବରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ ପାଢୀ, କୃଷକ ନେତା ନାରାୟଣ ଚନ୍ଦ୍ର ଦାଶ, ଆଞ୍ଚଳିକ ସମ୍ପାଦକ ନିର୍ମଳ ଚନ୍ଦ୍ର ଦଳେଇ, ସତ୍ୟବ୍ରତ କୁଣ୍ଡ, ଦିଲ୍ଲୀପ ନାଥ ପ୍ରମୁଖ ଏବଂ ଚାନ୍ଦବାଲିରେ ସଦସ୍ୟ ବିକାଶ ନାଥ,ବରିଷ୍ଠ ନେତା ରବି ପଟ୍ଟନାୟକ, ଅଶୋକ ବେହେରା, ଚାନ୍ଦବାଲି ବ୍ରାଞ୍ଚ ସଂପାଦକ ଘନଶ୍ୟାମ ଦାସ, ବ୍ରହ୍ମାନନ୍ଦ ପରିଡା, ଦିବାକର ସେନାପତି, ଜୟୀରାମ ଦାସ, କାହ୍ନୁ କିଶୋର ସାହୁ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ କରିଆରେ ଦାବି ପତ୍ର ପ୍ରଦାନ କରିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।