ବ୍ଲକ ଶିକ୍ଷାଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ରାଢଙ୍ଗ ଗ୍ରାମବାସୀ

269

କଟକ(ଉତ୍କଳ ନିଉଜ)ତିହିଡି, ୦୭.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅଧିନ ରାଢଙ୍ଗ ପ୍ରାଥମିକ ବିଦ୍ୟାଳୟର ଅବିଭାବକ ଓ ଗ୍ରାମବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ସଂପ୍ରତି ଉଗ୍ରରୂପ ନେଉଛି । ୨ ଲକ୍ଷରୁ ଉର୍ଦ୍ଧ ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଶିକ୍ଷକଙ୍କୁ ରାତି ଅଧିଆ ଅନ୍ୟତ୍ର ସ୍ଥାନାନ୍ତର କରିବା ପଛରେ ରସହ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଜୁଲାଇ ମାସରୁ ସ୍କୁଲ ଛାଡିଥିଲେ ମଧ୍ୟ ଏଯାଏଁ କାହାରିକୁ ଦାୟିତ୍ୱ ହସ୍ତାନ୍ତର ନକରିବା ମଧ୍ୟ ବଡ ବିଡମ୍ବନା ବୋଲି କୁହାଯାଉଛି । ଯାହାକୁ ନେଇ ଗ୍ରାମବାସୀ ବୁଧବାର ପୂର୍ବାହ୍ନରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହିତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି ମଧ୍ୟ ଚେତାବନି ଦିଆଯାଇଛି । ସୂଚନା ମୁତାବକ, ୧୯୫୪ ମସିହାରେ ସ୍ଥାପିତ ରାଢଙ୍କ ପ୍ରାଥମିକ ବିଦ୍ୟାଳୟଟି ଦୋଳସାହି ପଞ୍ଚାୟତର ୧, ୨ ଓ ୩ ନମ୍ବର ୱର୍ଡରେ ମଧ୍ୟମ ସ୍ଥଳରେ ଅବସ୍ଥିତ । ସ୍କୁଲର ନିଜସ୍ୱ ଗୃହ ସହିତ ପାଚେରୀ ମଧ୍ୟ ରହିଛି ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉପଯୁକ୍ତ ପରିବେଶ । ତେବେ ବିଗତ ୧୦ ବର୍ଷରୁ ଉର୍ଦ୍ଧ ହେବ ଏହି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଭାବେ ରମାକାନ୍ତ ବାରିକ କାର୍ଯ୍ୟ କରି ଆସୁଛନ୍ତି । ୨୦୧୬ରୁ ୨୦୨୧ ମସିହା ମଧ୍ୟରେ ଏହି ସ୍କୁଲର ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ଟଙ୍କା ମଧ୍ୟରୁ ୨ ଲକ୍ଷ ୭ ହଜାର ୮୭୬ ଟଙ୍କା ଉଠାଣ କରାଯାଇଛି । ସେଥିରେ ତା ୧୮.୦୪.୧୬ରିଖରେ ପ୍ରବେଶ ଉତ୍ସବ ପ୍ରସଙ୍ଗରେ ୬୭ ହଜାର ୯ ଶହ ଟଙ୍କା ଉଠାଣ କରାଯାଇଥିବା ବେଳେ ତା ୨୯.୦୧.୨୧ରିଖରେ ୨୫ ହଜାର ୫ ଶହ ଟଙ୍କା, ତା ୧୩.୦୨.୨୦ରିଖରେ ୫ ହଜାର ଟଙ୍କା ଏବଂ ତା ୨୭.୦୩.୨୦ରିଖରେ ୩୧ ହଜାର ଟଙ୍କା ନଗଦ ଉଠାଣ କରାଯାଇଥିବା ଗ୍ରାମବାସୀ ଜାଣିବାକୁ ପାଇଛନ୍ତି । ଯାହା ସମ୍ପୂର୍ଣ୍ଣ ଆତ୍ମସାତ୍ ହୋଇଥିବା ସନ୍ଦେହ କରାଯାଇଛି । ସ୍କୁଲକୁ ଟଙ୍କାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକରୁ ବିଦ୍ୟାଳୟକୁ ସଂଲଗ୍ନ ହୋଇଥିବା ରାସ୍ତାରେ ଶ୍ରୀ ବାରିକ ୨୫ ହଜାର ଟଙ୍କା ବିନିଯୋଗ କରିଥିବା କୁହାଯାଉଛି । ଉକ୍ତ ରାସ୍ତାକୁ ପଞ୍ଚାୟତ ପକ୍ଷରୁ ବ୍ୟୟବରାଦ କରାଯାଇଥିବା ବେଳେ ଶ୍ରୀ ବାରିକଙ୍କ ଏପରି ସଫେଇ ସମସ୍ତଙ୍କୁ ଆଶ୍ଚମ୍ବିତ କରିଛି । ଏଥିସହ ସ୍କୁଲର ମରାମତି ଓ ବିଦ୍ୟୁତ ସଂଯୋଗ ବାବଦରେ ପଞ୍ଚାୟତ ଅର୍ଥ ବିନିଯୋଗ ହୋଇଥିବା ବେଳେ ଶ୍ରୀ ବାରିକ ସ୍କୁଲ ଜମାରୁ ଖର୍ଚ୍ଚ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓ ଅର୍ଥକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଶ୍ରୀ ବାରିକଙ୍କୁ ଏସବୁର ହିସାବ ଗ୍ରାମବାସୀ ମାଗିବା ପରେ ରାତି ଅଧିଆ ଡେପୁଟେସନ୍ ହୋଇଥିବା ଜଣା ପଡିଥିଲା । ବ୍ଲକ ଶିକ୍ଷାଧିକାରୀ କୌଣସି ତଦନ୍ତ ନକରି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଇଛି । ତେବେ ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ସ୍କୁଲର ଦାୟିତ୍ୱ ହସ୍ତାନ୍ତର କରାଯାଇନଥିବା ପ୍ରସଙ୍ଗ ତଥା ଅଚାନକ ବଦଳି ସମ୍ପର୍କରେ ଗ୍ରାମବାସୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଗତ ତା ୧୨.୦୮.୨୧ରିଖରେ ଦ୍ୱାରସ୍ଥ ହୋଇଥିଲେ । ତେବେ ଏକ ସପ୍ତାହ ମଧ୍ୟରେ ସଂପୃକ୍ତ ବାରିକ ଦାୟିତ୍ୱ ହସ୍ତାନ୍ତର କରିବା ଲାଗି କୁହାଯାଇଥିଲେ ମଧ୍ୟ ସେ ଏଯାଏଁ କରିନଥିବା ମଞ୍ଜୁଲତା ପାଣି, ମିନତି ମହାପାତ୍ର, କବିତା ଦାସ, ରୀନାରାଣୀ ଦାସ, ହରପ୍ରିୟା ଦିକ୍ଷିତ, ଅହଲ୍ୟା ଦାସ, କୁନ୍ତଳା ବେହେରା, ପ୍ରସନ୍ନ ନାୟକ, ବିଜୟ ଦାସ, ନାଏବ ସରପଞ୍ଚ ଶୁସାନ୍ତ ବାରିକ, ଚିତ୍ତରଞ୍ଜନ ଦିକ୍ଷିତ ପ୍ରମୁଖ ଗ୍ରାମବାସୀ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢଙ୍କୁ ପଚାରିବାରୁ ଶ୍ରୀ ବାରିକଙ୍କ ବିରୋଧରେ ଆଗତ ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି ଏବଂ ଖୁବ୍ ଶିଘ୍ର ଏହାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।