ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଇଖାନା ଦୂର୍ନୀତି ଘଟଣା।

189

କଟକ(ଉତ୍କଳ ନୀୟୁଜ) ସୂଚନା ଅଧିକାର ଆଇନ୍ ବଳରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ଯାହା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପାଇଖାନା ଦୂର୍ନୀତିକୁ ପଦାରେ ପକାଇଛି । ସରକାରୀ ଚାକିରୀଆଙ୍କ ସ୍ତ୍ରୀ ତଥା ଖୋଦ୍ ସରପଞ୍ଚଙ୍କ ନାମରେ ପାଇଖାନା ବିଲ୍ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ୧୯୯୯ ମସିହାରେ ମୃତ୍ୟୁ ବରଣ କରିଥିବା ସରପଞ୍ଚଙ୍କ ଶ୍ୱଶୁରଙ୍କ ନାମରେ ମଧ୍ୟ ପାଇଖାନା ବିଲ କରାଯାଇ ଥିବାର ତଥ୍ୟ ପଞ୍ଚାୟତବାସୀଙ୍କୁ ହସ୍ତଗତ ହୋଇଛି । ପାଇଖାନା ପିଛା ୧୨ ହଜାର ଟଙ୍କା ହିସାବରେ ତଦନ୍ତ କରାଗଲେ ଲକ୍ଷ ଲକ୍ଷ ଟଙ୍କାର ଦୂର୍ନୀତି ହୋଇଥିବା କୁହାଯାଉଛି । ଏହି ପଞ୍ଚାୟତର ହାସଲ ହୋଇଥିବା ତଥ୍ୟରେ ମୋଟ ୮୨୩ ଜଣଙ୍କୁ ପାଇଖାନା ପ୍ରଦାନ କରାଯାଇଛି । ଏଥିସହିତ ଆହୁରି ୪ ଶହରୁ ଉର୍ଦ୍ଧ ପାଇଖାନାର ତଥ୍ୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇନଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଅଧିକାଂଶ ମିଥ୍ୟା ବିଲ୍‌, କେତେକ ସ୍ଥଳରେ ଏକାଧିକ ପ୍ରଦାନ କରାଯାଇଥିବା ବେଳେ କେତେକ ମୃତକଙ୍କ ନାମରେ ଏପରି ବିଲ୍ ପ୍ରଦାନ କରାଯାଇଥିବା ଅଭିଯୋଗକୁ ନେଇ ପଞ୍ଚାୟତ ରାଜନୀତି ବେଶ ସରଗରମ ହୋଇ ଉଠିଛି । ସୂଚନା ମୁତାବକ, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପଞ୍ଚାୟତର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମାଣ ହୋଇଥିବା ଶୌଚାଳୟର ବିବରଣୀ ଆବେଦନ କରିଥିଲେ ନିରଞ୍ଜନ ମଳିକ । ବ୍ଲକ ପ୍ରଶାସନ ପକ୍ଷରୁ ତଥ୍ୟ ହାସଲ ହେବାପରେ ଏପରି ଘଟଣା ପଦାକୁ ଆସୁଛି । ସୂଚନା ମୁତାବକ, ଏହି ପଞ୍ଚାୟତର ପାଇଖାନା ନିର୍ମାଣ କରିବା ପାଇଁ ସମସ୍ତ ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା । ତେବେ ସରପଞ୍ଚ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ ସ୍ତରୀୟ ମୋଟିଭେଟରଙ୍କ ଅସାଧୁ ମେଣ୍ଟରେ ଏପରି ଦୂର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ଅନ୍ୟପଟେ ସରପଞ୍ଚ ଝରଣା ବାରିକ ପାଇଖାନା ହାତେଇଥିବା ଘଟଣାକୁ ଅସ୍ୱୀକାର କରିବା ସହିତ ବିଲ ପ୍ରଦାନରେ ତାଙ୍କର ହସ୍ତକ୍ଷେପ କରାଯାଇଥିବା କହିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନୀୟୁଜ।