ବକେୟା ଭଡା ନମିଳିବାରୁ ୪ଟି ଦୋକାନରେ ପଡିଲା ତାଲା

96

କଟକ(ଉତ୍କଳ ନୀୟୁଜ)ତିହିଡି, ୦୧.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ପକ୍ଷରୁ ବକେୟା ଭଡା ନମିଳିବାରୁ କଡ୍ଡା ପଦକ୍ଷେପ ନିଆଯାଇଛି । ବାରମ୍ବାର ଅବଗତ କରିବା ସତ୍ୱେ ମଧ୍ୟ ଦୋକାନୀମାନେ ସେମାନଙ୍କର ଦୋକାନ ଭଡା ନଦେବାରୁ ଶେଷରେ ବାଧ୍ୟ ହୋଇ ଏପରି ତାଲା ପକା ଯାଇଥିବା ଜଣାଯାଇଛି । ନିର୍ଦ୍ଧାରିତ ଏକ ସପ୍ତାହ ସମୟସୀମା ମଧ୍ୟରେ ଦୋକାନୀମାନଙ୍କ ପକ୍ଷରୁ ଉକ୍ତ ଭଡା ପୈଠ କରାଗଲେ ଆଇନ୍‌ଗତ ପଦକ୍ଷେପ ନିଆଯିବ ବୋଲି ପଞ୍ଚାୟତ ସୂତ୍ରରୁ ପ୍ରକାଶ ପାଇଛି । ସୂଚନା ମୁତାବକ, ତିହିଡି ସଦର ବଜାରରେ ଭାଟପଡା ପଞ୍ଚାୟତ ପ୍ରଶାସନ ପକ୍ଷରୁ ଦୋକାନ ଗୃହ ଭଡା ସୂତ୍ରରେ ବିଭିନ୍ନ ଲୋକଙ୍କୁ ପ୍ରଦାନ କରାଯାଇଛି । ତେବେ ଦିର୍ଘ ବର୍ଷ ଧରି ଅଧିକାଂଶ ଦୋକାନୀ ଭଡା ଦେଉନଥିଲେ । ଯାହାକୁ ନେଇ ପଞ୍ଚାୟତ ପ୍ରଶାସନ ପକ୍ଷରୁ ତାଗିଦ୍ ପରେ ତାଗିତ୍ କରାଯାଉଥିଲା । ସେଥିରେ ବ୍ୟତିକ୍ରମ ହେବାରୁ ନିରୁପାୟ ହୋଇ ପଞ୍ଚାୟତ ପକ୍ଷରୁ ନୋଟିସ୍ ଜାରି କାରାଯାଇଥିଲା । ପଞ୍ଚାୟତ ପକ୍ଷରୁ ମାସିକ ସ୍ୱଳ୍ପ ଭଡା ଦାବି କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଅନ୍ୟକୁ ଭଡା ଦେଇଥିବା ମଧ୍ୟ ଜଣାଯାଇଛି । ୩୫ଟି ଦୋକାନୀଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଭଡା ବାକି ରହିଥିଲା । ଯାହା ଫଳରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲେ । ତେବେ ଦୋକାନୀମାନେ ସ୍ୱଇଛାରେ ବକେୟା ଭଡା ପ୍ରଦାନ ନକରିଲେ ଦୋକାନରେ ତାଲା ପକାଯିବ ବୋଲି ପଞ୍ଚାୟତ ପକ୍ଷରୁ ଚେତାବନି ଦେବା ପରେ ୩୧ଟି ଦୋକାନୀ ଗତ ଦୁଇ ସପ୍ତାହ ମଧ୍ୟରେ ନିଜ ନିଜର ବକେୟା ଭଡା ପୈଠ କରିଥିଲେ । ମାତ୍ର ୫ଟି ଦୋକାନ ଭଡା ମିଳିନଥିବାରୁ ବୁଧବାର ପଞ୍ଚାୟତ ପକ୍ଷରୁ ତାଲା ପକାଯାଇଛି । ସେମାନଙ୍କ ମଧ୍ୟରୁ କାହାର ୧୫୮ ମାସର ଭଡା ତ ଆଉ କାହାର ୮୪ ମାସ ବକେୟା ରହିଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୃକ୍ତ ଦୋକାନୀମାନେ ବକେୟା ପୈଠ ନକରିଲେ ଆଇନ୍ ଅନୁଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନାଙ୍କ ଠାରୁ ସୂଚନା ମିଳିଛି । ଏହି ଘଟଣାଟି ତିହିଡିରେ ଚର୍ଚ୍ଚାର ବିଷୟ ସାଜିଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।