ଗୁଆମାଳରେ ଦଳିତ ପରିବାରକୁ ନିର୍ଯ୍ୟାତନା ଘଟଣା ସରପଞ୍ଚଙ୍କ ସମେତ ୧୨ଜଣଙ୍କ ବିରୋଧରେ ମାମଲା ରୁଜୁ

92

କଟକ(ଉତ୍କଳ ନିୟୁଜ)ତିହିଡ଼ି, ୩୧.୦୮: ଭଦ୍ରକ ଜିଲା ତିହିଡ଼ି ଥାନା ଗୁଆମାଳ ପଞ୍ଚାୟତ ଅଧିନ ଗୁଆମାଳ ଗାଁର ଭୀମସେନ ଯେନାଙ୍କ ସ୍ତ୍ରୀ ସତ୍ୟଭାମା ଯେନା ନାମ୍ନୀ ଏକ ଦଳିତ ପରିବାରକୁ ବିଭିନ୍ନ ସ୍ତରରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗରେ ତିହିଡି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏହି ପରିବାର ପକ୍ଷରୁ ମାନ୍ୟବର ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ତେବେ ମାନ୍ୟବର ହାଇକୋର୍ଟଙ୍କ କ୍ରିମିନାଲ ସେକ୍ସନରେ ଗତ ତା ୦୪.୦୮.୨୧ରିଖରେ ଏକ ମାମଲା ୧୨୪୪/୨୦୨୧ ରୁଜୁ କରାଯାଇଛି । ଗତ ତା ୧୦.୦୮.୨୧ରିଖରେ ଏହାର ଶୁଣାଣୀ କରି ଆବେଦନକାରୀଙ୍କ ଗତ ତା ୨୨.୦୭.୨୧ରିଖ ଏତଲା ମୁତାବକ ଆଇନ୍ ଅନୁଯାଇ ନିଷ୍ପତି ନେବାଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି । ତଦନୁଯାଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୨୯୫/୨୧ ଗତ ତା ୧୭.୦୮.୨୧ରିଖରେ ଏକ ମାମଲା ରୁଜୁ କରି ତଦନ୍ତ ରିପୋର୍ଟ ଏଜି ଓଡିଶା କଟକଙ୍କୁ ଅବଗତ କରିବା ଲାଗି ତିହିଡି ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି । ଯାହାକୁ ନେଇ ତିହିଡି ପୋଲିସ୍ ଗୁଆମାଳ ସରପଞ୍ଚ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ତାଙ୍କ ସହଯୋଗି ପ୍ରମୋଦ ନାୟକ ଏବଂ ତାଙ୍କ ପୁଅ ରାଜା ଓ ଦୁଃଖ, ଭକ୍ତହରି ଜେନା, ବାସ ଯେନା, ରୀନା ଯେନା, ରେବତୀ ଯେନା, ସବିତା ନାୟକ, ଗୋବିନ୍ଦ ମିଶ୍ର, ଦୀପା ଯେନା, ମମି ମିଶ୍ରଙ୍କ ବିରୋଧରେ ଏକ ମାମଲା ୩୨୩/୨୧, ଦଫା ୪୨୭, ୨୯୪, ୩୨୩, ୫୦୬ ଓ ୩୪ ଆଇପିସି ଏବଂ ୩(୧)(ଆର)(ଏସ) ରୁଜୁ କରାଯାଇଛି । ଏହି ମାମଲାରେ ଚାନ୍ଦବାଲି ଏସଡିପିଓଙ୍କୁ ତଦନ୍ତ କରିବା ଲାଗି କୁହାଯାଇଛି । ସୂଚନା ମୁତାବକ, ଗତ ତା ୨୬.୦୫.୨୧ରିଖରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଭୀମସେନ ଯେନାଙ୍କ ଗୁହାଳ ଘର ନିକଟରେ ଥିବା ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯାଇଥିଲା । ଗତ ତା ୨୯.୦୫.୨୧ରିଖରେ ଉପରୋକ୍ତ ବ୍ୟକ୍ତିମାନେ ମିଳିତ ଭାବେ ଦଳବଦ୍ଧ ହୋଇ ଓ ପୂର୍ବ କଳ୍ପିତ ମତେ ଶ୍ରୀ ଯେନାଙ୍କ ଗୁହାଳଘର ଓ ତତ୍ ସଂଲଗ୍ନ ଗୃହ ଯେଉଁଥିରେ ମାଇକ୍ ସେଟ୍ ଓ ବାଦ୍ୟଯନ୍ତ୍ର ରହୁଥିବା ଗୃହକୁ ବଳ ପୂର୍ବକ ମେସିନ୍ ଲଗାଇ ଭାଙ୍ଗିରୁଜି ନଷ୍ଟ କରିଥିଲେ । ଏତତ୍ ବ୍ୟତିତ ଘର ଆଗରେ ଥିବା ନାଳକୁ ଖୋଳି ଦେବା ସହିତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ । ଏଥିରେ ପ୍ରତିବାଦ କରିବାରୁ ଅପରପକ୍ଷ ଏହି ପରିବାର ଲୋକଙ୍କୁ ବିଭିନ୍ନ ପ୍ରକାରର ଅଶ୍ଳିଳ ଭାଷାରେ ତଥା ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ନାନାଦି ଧମକପୂର୍ଣ୍ଣ ଚେତାବନି ଦେଇ ଧକ୍କା, ବିଧା, ଗୋଇଠା ଓ ନାତ ମାରିଥିବା ନେଇ ଗତ ତା ୩୦.୦୫.୨୧ରିଖରେ ଭୀମସେନ ଯେନାଙ୍କ ସ୍ତ୍ରୀ ସତ୍ୟଭାମା ଯେନା ତିହିଡି ଥାନାରେ ଏତଲା ଦେଇଥିଲେ । ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ପୂନଶ୍ଚ ଅପରପକ୍ଷମାନେ ଏହି ପରିବାରକୁ ବିଭିନ୍ନ ଉପାୟରେ ହଇରାଣ କରିଥିଲେ ଏବଂ ଗତ ତା ୧୨.୦୭.୨୧ରିଖରେ ସରପଞ୍ଚଙ୍କ ସମେତ ୫ ଜଣ ଏହି ପରିବାର ଲୋକଙ୍କୁ ଗ୍ରାମ୍ୟ ରାସ୍ତାରେ ଗାଳି ଗୁଲଚ କରିଥିଲେ । ଗାଁରେ ଏକ ଘରକିଆ କରି ବାସନ୍ଦ କରିବା ସହିତ ନିଆଁ ପାଣି ବନ୍ଦ କରିବା ଲାଗି ଧମକ ଦେବା ସହିତ ମାଡ ମାରିଥିବା ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ତିହିଡି ପୋଲିସ କୌଣସି ପଦକ୍ଷେନ ନନେବାରୁ ଗତ ତା ୨୨.୦୭.୨୧ରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ୍ ହୋଇଥିଲେ । ମାତ୍ର ସେଠାରୁ କୌଣସି ନ୍ୟାୟ ନପାଇବାରୁ ନିରୁପାୟ ହୋଇ ଶେଷରେ ମାନ୍ୟବର ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଏହି ଦଳିତ ପରିବାର । ଏ ସମ୍ପର୍କରେ ସରପଞ୍ଚ ପ୍ରଦୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ହାଇକୋର୍ଟରେ ଯେକୌଣସି ବ୍ୟକ୍ତି ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ କେଶ କରି ପାରିବ ତେବେ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।