ଷଣ୍ଢ ବୋଝେଇ ବିକ୍‌ଅପ୍ ଭ୍ୟାନ ଜବତ। ମୁର୍ମୂଷ ଅବସ୍ଥାରେ ୨୫ରୁ ଉଦ୍ଧ୍ୱ ଷଣ୍ଢ ଉଦ୍ଧାର, ପୁଲିସର ପଦକ୍ଷେପକୁ ଅପେକ୍ଷା।

398

କଟକ (ଉତ୍କଳ ନିୟୁଜ) ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନନ୍ଦପୁର ବଜାରରେ ଏକ ଷଣ୍ଢ ବୋଝେଇ ପିକ୍‌ଅପ ଭ୍ୟାନ୍ ଜବତ ହୋଇଥିବାପୋଲିସ ପକ୍ଷରୁ ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୩.୪୫ ସମୟରେ ପୁଲିସର ପେଟ୍ରୋଲିଂ ସମୟରେ ଉକ୍ତ ଗାଡ଼ିଟି ଭଦ୍ରକ ଅଭିମୁଖେ ଯାଉଥିବାର ଜଣାପଡ଼ିବା ପରେ ପିଛା କରାଯାଇଥିଲା । ଭୟଭୀତ ହୋଇ ଗାଡ଼ିଟି ନନ୍ଦପୁର ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲରେ ଫସି ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉକ୍ତ ଗାଡ଼ିରୁ ପ୍ଲାଷ୍ଟିକ୍ ଦଉଡ଼ିରେ ଶିଙ୍ଗ, ଗୋଡ଼ ଓ ଲାଞ୍ଜ ବନ୍ଧା ତଥା କ୍ଷତାକ୍ତ ହୋଇଥିବା ଷଣ୍ଢ ଗୁଡ଼ିକୁ ଉଦ୍ଧାର କରି ବାହାରେ ଛାଡ଼ି ଦେଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗୋରୁ ଚାଲାଣ ପ୍ରତି ପ୍ରଶାସନର ଅଙ୍କୁଶ ଲାଗୁନଥିବା ବେଳେ ସମ୍ପ୍ରତି ହିନ୍ଦୁ ଧର୍ମର ପୂଜ୍ୟ ଷଣ୍ଢ ଗୁଡ଼ିକୁ ମଧ୍ୟ ଚାଲାଣ କରିବାକୁ ଦୁର୍ବୁତ୍ତମାନେ ପଛାଉ ନାହାନ୍ତି । ଗାଁ ଗଣ୍ଡାରୁ ଷଣ୍ଢଗୁଡ଼ିକୁ ସଂଗ୍ରହ କରି ଚଢ଼ାଦରରେ ବାହାରକୁ ଚାଲାଣ କରାଯାଉଥିବା ବେଶ୍ ବାରି ହୋଇଛି । ଗାଡ଼ିର ଚାଳକ ସମେତ ଚାଲାଣକାରୀ ଫେରାର ହୋଇ ଯାଇଥିଲେ ମଧ୍ୟ ଗାଡ଼ିର ନମ୍ବର ଅନୁଯାୟୀ ତଦନ୍ତ କରାଗଲେ ଷଣ୍ଢ ଚାଲାଣର ପ୍ରକୃତ ରାକେଟ ପଦାକୁ ଆସିପାରିବ । ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ନନ୍ଦପୁରବାସୀ ଦାବି କରିଛନ୍ତି । ଏଠାରେ ସୂଚନା ଥାଉକି ଭଦ୍ରକ ଜିଲା ତଥା ବିଭିନ୍ନ ବ୍ଲକର ବଜରଂଗ ଦଳ ପକ୍ଷରୁ ଗୋଚାଲାଣକୁ ବିରୋଧ କରାଯାଉଛି । କେତେକ ସମୟର ସୂଚନା ପାଇଁ ବଜରଂଗ ଦଳ ଗୋରୁ ବୋଝେଇ ଗାଡ଼ିକୁ ଧରାଉଛି । ପୁଲିସ ଚାଲାଣକାରୀଙ୍କୁ ଗିରଫ କରିବା ସହି ଗାଡ଼ି ଓ ଗୋରୁଙ୍କୁ ଜବତ କରୁଛି । ହେଲେ ଏହି ଚାଲାଣ ରୋକିବାରେ ନାଁ ଧରୁନାହିଁ । କିନ୍ତୁ ଆଜିର ଏହି ଷଣ୍ଢ ଚାଲାଣ ପ୍ରସଂଗଟି ଏକ ନିଆରା ତଥା ଓଡ଼ିଆ ଧର୍ମ ପ୍ରତି କୁଠାରଘାତ କରୁଥିବା ଦୃଷ୍ଟିକୋଣରୁ ଚାଲାଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ।