କୁଜଙ୍ଗରେ ବସୁନ୍ଧରା ଯୋଜନାରେ ମହା ଘୋଟାଲା, ତହସିଲାଦାରଙ୍କ ସମେତ ୪ ଜଣ ଆରଆଇ ଗିରଫ୍‌

378

କଟକ(ଉତ୍କଳ ନିୟୁଜ)ତିହିଡି, ୨୪.୦୮: ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲରେ ବସୁନ୍ଧରା ଯୋଜନାରେ ମହା ଘୋଟାଲା ହୋଇଥିବା ପଦାକୁ ଆସିଛି । କଟକ ଭିଜିଲାନ୍ସ ସେଲ ପକ୍ଷରୁ ତଦନ୍ତ କରାଯିବା ପରେ କୁଜଙ୍ଗର ପୂର୍ବତନ ତହସିଲାଦାର ତଥା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇ ଗିରଫ୍ ଗିରଫ୍ ହୋଇଥିବା ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ ପାଇଛି । ସେମାନଙ୍କ ବିରୋଧରେ ଚଳିତ ମାସ ୨୨ ତାରିଖରେ ଭିଜିଲାନ୍ସ ସେଲ୍ ଥାନା କେଶ ନମ୍ବର ୪, ଦଫା ୧୩(୨) ଆର/ଡବ୍ଲୁ, ୧୩(୧)(ଏ) ପିସି, ଏଏମଡି, ୨୦୧୮ ଆକ୍ଟ ତଥା ୪୬୬/୪୦୯/୧୨୦-ବି ଆଇପିସି ରୁଜୁ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାର ପର୍ଦ୍ଦାଫାସ କରିବା ଲାଗି ଏକକାଳୀନ ୯ଟି ଟିମ୍ କାର୍ଯ୍ୟ କରିଥିଲା । ସେଥିରେ ଜଣେ ଅତିରିକ୍ତ ଏସପିଙ୍କ ସମେତ ୧୧ ଜଣ ଡିଏସପି ଓ ୬ ଜଣ ଇନସ୍ପେକ୍ଟର ସାମିଲ ହୋଇ ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂପୁରରେ ଯାଞ୍ଚ କରିଥିଲେ । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା କରାଯାଇଛି । ୨ ଜଣ ଡିଏସପି ଓ ଜଣେ ଇନ୍‌ସ୍ପେକ୍ଟରଙ୍କ ସମେତ ୧୧ ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ । ଦିର୍ଘ ଅଢେଇ ଘଣ୍ଟା କାଳ ଜେରା ପରେ ଶ୍ରୀ ପଣ୍ଡାଙ୍କୁ କଟକ ନେଇ ଯାଇଥିଲେ । ପ୍ରଥମେ ଏକ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଡେରା ପକାଇଥିଲା । ଅନ୍ୟ ଏକ ଟିମ୍ ଶ୍ରୀ ପଣ୍ଡାଙ୍କ ଭିଟାମାଟି ସିମୁଳିଆ ବ୍ଲକ ଅଧିନ ପାନବରଜରେ ସକାଳୁ ଯାଞ୍ଚ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧.୩୦ ଘଟିକାରେ ଶ୍ରୀ ପଣ୍ଡାଙ୍କୁ ସାଥିରେ ଧରି ତିହିଡି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ତିହିଡିରେ ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇଥିଲା । ସୂଚନା ମୁତାବକ, ଜଗତସିଂହ ଜିଲ୍ଲା କୁଜଙ୍ଗ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ବସୁନ୍ଧରା ଯୋଜନାରେ ଜମି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀ ପଣ୍ଡାଙ୍କ ସହିତ ଏହି ଘଟଣାରେ ଜଡିତ ବିଭିନ୍ନ ସ୍ଥାନରେ ଏକକାଳୀନଭାବେ ୫ ଜଣଙ୍କୁ ମଧ୍ୟ ଜେରା କରାଯାଇଛି । ବସୁନ୍ଧରା ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଯାଇ ସରକାରଙ୍କ ମୁଲ୍ୟବାନ ଜମି ପ୍ରଦାନ କରାଯାଇଥିବା ପରି ସଂଗୀନ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଉକ୍ତ କେଳେଙ୍କାରୀରେ ଜଡିତ ଜଗତସିଂ ଜିଲ୍ଲାର ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପୂର୍ବତନ ଝିମାନୀ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପୂର୍ବତନ ପାରାଦ୍ୱୀପଗଡ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ କୁଜଙ୍ଗ ଆରଆଇ ସୁବାଶ ଚନ୍ଦ୍ର ଦାସ ଓ ପୂର୍ବତନ ପାଣ୍ଡୁଆ ଆରଆଇ ଯତିଭୁଷଣ ବାରିକଙ୍କୁ ଏକକାଳୀନ ଜେରା କରାଯାଇ କେଶ ମୁତାବକ ତଥ୍ୟ ହାସଲ କରାଯାଇଥିବା ଜଣାଯାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ ।