୫ ବର୍ଷ ଲଢେଇ ପରେ ଆଗିରିଆ ସ୍କୁଲ ପଡିଆ ଜବରଦଖଲ ଉଚ୍ଛେଦ।

126

କଟକ(ଉତ୍କଳ ନିୟୁଜ)ତିହିଡି, ୨୦.୮: ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ତାଳପଦା ପଞ୍ଚାୟତ ଆଗିରିଆ ଗ୍ରାମବାସୀଙ୍କ ୫ ବର୍ଷ ଧରି ଲଢେଇ ପରେ ଶେଷରେ ସ୍କୁଲ ପଡିଆ ଜବରଦଖଲ ମୁକ୍ତ ହୋଇଛି । ମାତ୍ର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯେତିକି ଉଚ୍ଛେଦ କରିବାର ଥିବା ତାହା କରାଯାଇନଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତଥାପି ତହସିଲ ତଥା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହେବାପରେ ହାଇକୋର୍ଟର ଆଶ୍ରୟ ନେଇଥିଲେ । ତାରିଖ ପରେ ତାରିଖ ପଡିଲା ଏବଂ ହାଇକୋର୍ଟ ପକ୍ଷରୁ ମଧ୍ୟ ରାୟ ପ୍ରକାଶ ପାଇଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମାତ୍ର ୬ ମାସ ମଧ୍ୟରେ ଜବରଦଖଲ ଉଚ୍ଛେଦ କରିବା ଲାଗି ନିର୍ଦ୍ଦେଶ ହୋଇଥିଲା ହେଲେ ଆଦେଶକୁ ଅଣଦେଖା କରାଯିବାରୁ ଶେଷରେ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ବିରୋଧରେ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ପୂନଶ୍ଚ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ କେଶରେ ଜିଲ୍ଲା ପ୍ରଶାସନକୁ ଭର୍ଷନା କରିବା ସହିତ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ଲାଗି କୁହାଯାଇଥିଲା । ଉକ୍ତ ଆଦେଶକୁ ପାଳନ କରିବାରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିବା ବେଳେ ଗତ ତା ୧୮.୦୮.୨୧ରିଖରେ ତରବରିଆଭାବେ ତିହିଡି ତହସିଲଦାରଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ମାତ୍ର ନିର୍ଦ୍ଦେଶ ମୁତାବକ ସମ୍ପୂର୍ଣ୍ଣ ହୋଇନଥିବା ଗ୍ରାମବାସୀଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏହି ତହସିଲ ଅଧିନ ଦୋଳସାହି ଆରଆଇ ସର୍କଲ ଆଗିରିଆ ମୌଜାର ରକ୍ଷିତ ଗୋଚର ଖାତା ନମ୍ବର ୧୬୦ ଓ ପ୍ଲଟ ନମ୍ବର ୩୨୦ ସ୍ଥାନୀୟ ଆଗିରିଆ ସ୍କୁଲ ପିଲାଙ୍କ ଖେଳ ପଡିଆ ଲାଗି ଉଦ୍ଦିଷ୍ଟ । ତନ୍ମଧ୍ୟରୁ ବାବାଜୀ ବେହେରା ନାମକ ଜଣେ ବ୍ୟକ୍ତି ପ୍ରାୟ ୭ ଡିସିମିଲ୍ ଜବରଦଖଲ କରିବା ସହିତ ଚାଳ ଘର ଚଳି ଆସୁଥିଲେ । ଖେଳ ପଡିଆର ପାଚେରୀ ନିର୍ମାଣ ପାଇଁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ବ୍ୟୟବରାଦ କରାଯାଇଥିଲା । ମାତ୍ର ଉକ୍ତ ଜବରଦଖଲ ପାଇଁ କାମ ବନ୍ଦ ରହିଥିଲା । ଗ୍ରାମବାସୀ ପ୍ରଥମେ ତହସିଲଦାର ଓ ପରେ ଜିଲ୍ଲାପାଳଙ୍କୁ ଭେଟି ଜବରଦଖଲ ଉଚ୍ଛେଦ କରିବା ଲାଗି ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣିନଥିଲେ । ପରେ ଗ୍ରାମବାସୀଙ୍କ ନିଷ୍ପତିକ୍ରମେ ହକ୍କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଆଗିରିଆ ପ୍ରାଥମିକ ବିଦ୍ୟାଳର ପରିଚାଳନା କମିଟିର ସଭାନେତ୍ରୀ ସବିତା ବେହେରା, ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀକାନ୍ତ ବେହେରା, ରତ୍ନାକର ବେହେରା, ନିରାକର ସେନାପତି, ସୁରେନ୍ଦ୍ର ମୋହନ ପାଣିଗ୍ରାହୀ, ପରମାନନ୍ଦ ପାଣିଗ୍ରାହୀ, ବାବାଜୀ ପାଢୀ, ବିଶ୍ୱନାଥ ପାଣିଗ୍ରାହୀ, ରଘୁନାଥ ବେହେରା, ରମେଶ ବେହେରା, ମୁକ୍ତିକାନ୍ତ ବେହେରା, ଶାନ୍ତି ଭୁଷଣ ସେନାପତି, ଚକ୍ରଝର ନାୟକ ପ୍ରମୁଖ ଗ୍ରାମବାସୀ ଏହି ଜବରଦଖଲ ଉଚ୍ଛେଦ କରିବା ଲାଗି ଲଢେଇ କରି ଆସୁଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।