ଯାତ୍ରୀବାହୀ ଟାଟା ଏସିକୁ ସାମନା ପଟୁ ପିଟିଲା ବୋଲେରୋ ୮ ଆହତ, ୨ ଗୁରୁତର, ବୋଲେରୋ ଚାଳକ ଅଟକ।

100

କଟକ(ଉତ୍କଳ ନିୟୁଜ)ତିହିଡି, ୨୦.୮: ରାଜ୍ୟ ରାଜପଥ ଭଦ୍ରକ-ଚାନ୍ଦବାଲି ଅଧିନ ପୀରହାଟ ଥାନା ସିନ୍ଦୋଳ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକକୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଉଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତେବେ ବୋଲେରୋ ଗାଡିର ଆଗ ଚକା ଫାଟି ଯାଇଥିବାରୁ ଏପରି ଆକସ୍ମିକ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ପ୍ରାୟ ୩.୩୦ ଘଟିକାରେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିଲା ଏକ ବୋଲେରୋ । ଭଦ୍ରକରୁ ଘଣ୍ଟେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟାଟା ଏସିକୁ ସାମନା ପଟୁ ସିଧାସଳଖ ଧକ୍କା ଦେଇଥିଲେ । ଯାତ୍ରୀବାହୀ ଗାଡିରେ ଥିବା ଯାତ୍ରୀମାନେ ଗାଡି ଭିତରୁ ଛିଟିକି ଯାଇ ତଳେ ପଡି ଯାଇଥିଲେ । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡି ଆସି ଉଦ୍ଧାର କରିଥିଲେ । ତିହିଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ଲୋକଙ୍କୁ ଉଦ୍ଧାର ମଧ୍ୟ କରିଥିଲା । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ସ୍ଥାନୀୟ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ଆଦିଶା ମହାଳିକ(୪) ଓ ଜଣେ ବୃଦ୍ଧ ନଚ୍ଛିବିନ୍ଧା ଗ୍ରାମର ଦୈତାରୀ ସାହୁ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ମଧ୍ୟରେ ସାହାପୁର ପଞ୍ଚାୟତ ଖପରାଡିହ ଗାଁର ମଞ୍ଜୁଲତା ମାଝୀ(୪୫), ତୋଟପଡା ଗାଁର ଉମାମଣି ମହାଳିକ(୫୦), ମାନସୀ ମହାଳିକ(୩୫), ନଚ୍ଛିବିନ୍ଧା ଗାଁର ପାର୍ବତୀ ସାହୁ(୬୧), ବ୍ରହ୍ମଟିକ୍ରୀ ଗାଁର କୁଞ୍ଜବିହାରୀ ବିଶ୍ୱାଳ(୩୫), ରଜନୀଗନ୍ଧା ବିଳାସ(୨୨) ବୋଲି ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ୨ଟି ଗାଡିକୁ ଜବତ୍ କରିବା ସହିତ ବୋଲେରୋ ଚାଳକକୁ ଅଟକ ରଖି ପଚରା ଉଚୁରା ଚଳାଉଥିବା ଜଣାଯାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।