ମୁକୁନ୍ଦପୁର ପଞ୍ଚାୟତରେ ଆବାସ ଯୋଜନା ବାଟବଣା!

106

କଟକ(ଉତ୍କଳ ନିୟୁଜ)ତିହିଡି, ୧୩.୦୮: ଦରିଦ୍ର ଓ ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ପାଇଁ ସରକାରୀ ଘର ଖଣ୍ଡିଏ ଯୋଗାଇ ଦେବାଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଦାତତ୍ପର । ଏନେଇ ବ୍ୟାପକ ଭାବେ ପ୍ରଚାର ଆଉ ପ୍ରସାର ମଧ୍ୟ ଚାଲୁଛି । ମାତ୍ର ଗ୍ରାଉଣ୍ଡ ଜିରୋରେ ଏହାର ଅବସ୍ଥା ଶୋଚନୀୟ । ରାଜନୈତିକ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ଛାମୁଆ ନେତାଙ୍କ ଇସାରାରେ ପକେଟ ଖର୍ଚ୍ଚ ଉଠାଇବା ଆଳରେ ପ୍ରଶାସନିକ ଅଧିକାରୀ ଓ ତଳିଆ କର୍ମଚାରୀ ଏହି ଯୋଜନାର ବାସ୍ତବ କାର୍ଯ୍ୟକାରିତା ଠାରୁ ଦୂରେଇ ଯାଇ ସରକାରୀ ଖାତାରେ ଯୋଗ୍ୟ ହିତାଧିକାରୀଙ୍କୁ ପଛରେ ପକେଇ ଅଯୋଗ୍ୟମାନଙ୍କୁ ଗୋଟିଏ ପରେ ଗୋଟିଏ ଗୃହ ଯୋଗାଇ ଦେଉଛନ୍ତି । ଯାହାକୁ ନେଇ ଏହି ଯୋଜନାର କେଳେଙ୍କାରୀ ଦାଣ୍ଡରେ ପଡି ହାଟରେ ଗଡୁଛି । କିଛି ଦିନ ତଳେ କୁବେରା ପଞ୍ଚାୟତର ଏହି ସମସ୍ୟାକୁ ନେଇ ବିଜେପି ଆନ୍ଦୋଳନ କରିଥିଲା ଯାହା ଭଙ୍ଗାରୁଜା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି । ହିତାଧିକାରୀଙ୍କ ଅସନ୍ତୋଷ ଦିନକୁ ଦିନ ଉଗ୍ରରୁପ ନେଉଥିବା ବେଶ ବାରି ହେଉଛି । ସରକାରଙ୍କର ଏହି ଗରିବ କଲ୍ୟାଣ ଯୋଜନା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ କେତେ ସଫଳ ହୋଇଛି ତାହା ଗରିବ ଓ ଅସହାୟ ଲୋକଙ୍କୁ ଦେଖିଲେ ହିଁ ଜଣା ପଡିବ । ଏହି ପଞ୍ଚାୟତ ଅଧୀନ ବିଦ୍ୟାଧରପୁର ଗ୍ରାମର ଦୀନବନ୍ଧୁ ମହାଳିକ ବୃତ୍ତିରେ ଜଣେ ରିକ୍‌ସା ଚାଳକ । ଜମିବାଡ଼ି ବୋଲି କିଛି ନାହିଁ । ରିକ୍‌ସା ଚଳାଇ ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରନ୍ତି । ଦୀର୍ଘଦିନ ପୂର୍ବରୁ ନିଜ ଭିଟାମଟିରେ ଥିବା ପୈତୃକ ଘରଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । କାନ୍ଥ ଫାଟି ଆଁ କଲାଣି । କେତେବେଳ ଏହି କାନ୍ଥ ଧରାଶାୟୀ ହୋଇଯିବା ତାହର ଠିକ୍ ଠିକଣା ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦୀନବନ୍ଧୁ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବାବୁ ମାନଙ୍କୁ ଗୁହାରି କରିଛନ୍ତି । କିଛି ମାସ ହେଲା ପଞ୍ଚାୟତ କର୍ମଚାରୀଙ୍କ ଦ୍ୱାରା କେଇବାର ଜିଓଟେକ୍ ମଧ୍ୟ କରାଯାଇଛି । ସେଥିପାଇଁ ସେ ହାତ ଖର୍ଚ୍ଚ ମଧ୍ୟ ଦେଇଛନ୍ତି । ହେଲେ ଏଯାଏଁ ତାଙ୍କୁ ଘର ଖଣ୍ଡିଏ ମିଳି ପାରୁନାହିଁ । ତେବେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଆବାସ ଯୋଜନା ତାଲିକାଭୁକ୍ତ କରାଯାଉ ନାହିଁ ବୋଲି କ୍ଷୋଭର ସହ ଦୀବନ୍ଧୁଙ୍କ ସ୍ତ୍ରୀ ଲତା ମହାଳିକ କହିଛନ୍ତି । ଖାଲି ଆବାସ ଯୋଜନା ନୁହେଁ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଟିଏ ମଧ୍ୟ ତାଙ୍କୁ ମିଳିନାହିଁ । ଘର ଖଣ୍ଡିଏ ମିଳିଲେ ସେ ମୁଣ୍ଡ ଗୁଞ୍ଜନ୍ତେ ବୋଲି ନବେଦନ କରିଛନ୍ତି । ସେହିପରି ବିଧବା ବାସନ୍ତୀ ମହାଳିକ ଝାଟିମାଟି ଚାଳ ଛପର ଘରେ ପିଲାମାନଙ୍କୁ ନେଇ ଅତି ବିପଦପୂର୍ଣ୍ଣଭାବେ କାଳାତିପାତ କରୁଛନ୍ତି । ନିର୍ବାଚନ ଆସିଲେ ମିଳେ ପ୍ରତିଶୃତି ଆଉ ଜିତିବା ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ପାଖ ପୂରେଇ ଦିଅନ୍ତି ନାହିଁ ନେତା । ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘରଟିଏ ପାଇବାରୁ ବଞ୍ôଚତ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି କାଳିମେଘା ଗାଁର ଅସହାୟ ବୃଦ୍ଧ ଭାଷ୍କର ସାହୁ(୭୬) । ଦୁଇଟି ଝିଅକୁ ବିବାହ କରିଦେବା ପରେ ସ୍ତ୍ରୀ ଆର ପାରିକୁ ଚାଲି ଯାଇଛି । ଏକାକୀ ଜୀବନ ବିତାଉଛନ୍ତି । ବୟସର ଅପରାହ୍ନରେ ଆଉ କାମଧନ୍ଦା କରି ପାରୁ ନାହାଁନ୍ତି । ପରଘରେ କାଁ ଭାଁ କାମ କରି ଯେନତେନ ପ୍ରକାରରେ ଚଳି ଯାଉଛନ୍ତି । ଘରଟି ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଦେଖା ଯାଏ । ପାଲ ପକାଇ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ଭେଟିଥିଲେ ମଧ୍ୟ ଫଳ ଶୂନ୍ ବୋଲି କ୍ଷୋବର ସହିତ ପ୍ରକାଶ କରିଛନ୍ତି । ତେବେ ଆରଏଚ ପୋର୍ଟାଲରେ ନାମ ସ୍ଥାନିତ ହୋଇଥିବା ହିତାଧିକାରୀଙ୍କର ସଂପ୍ରତି ଆବାସ ପ୍ଲସ ଯୋଜନାରେ ଆସୁ ନାହିଁ ଯାହାକୁ ନେଇ ତଦନ୍ତ ଚାଲୁଅଛି ବୋଲି ସରପଞ୍ଚ କିର୍ତ୍ତନ ରାଉତ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।