ପୂନଃଗଠନ ଆଳରେ ପ୍ରଶାସନିକ ସ୍ତରରେ ମନମାନି । ଚାନ୍ଦବାଲିସ୍ଥିତ ଡିଏଫଓ କାର୍ଯ୍ୟାଳୟକୁ ରାଜନଗରେ ମିଶ୍ରଣ ଉଦ୍ୟମ ।

100

କଟକ(ଉତ୍କଳ ନିୟୁଜ୍)ତିହିଡି, ୧୩.୦୮: ପୂନଃଗଠନ ଆଳରେ ରାଜନେତାଙ୍କୁ ଢାଲକରି ପ୍ରଶାସନିକ ସ୍ତରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଅବସ୍ଥାପିତ ଡିଏଫଓ କାର୍ଯ୍ୟାଳୟକୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଉପଖଣ୍ଡରେ ମିଶ୍ରୟ ପାଇଁ ମସୁଧା ଚାଲିଛି । ଏହି ପ୍ରସ୍ତାବ ଗୃହିତ ହୋଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ଜଣାଯାଇଛି । ଯାହାକୁ ନେଇ ଚାନ୍ଦବାଲିରେ ଅସନ୍ତୋଷ ଦେଖା ଦେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ପିସିସିଏ ତଥା ଚାନ୍ଦବାଲି ବିଧାୟକ ଏହି ଘଟଣାରେ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ତଦନ୍ତ କରି ସ୍ଥାନାନ୍ତରକୁ ବାତିଲ କରିବା ଲାଗି ଅନ୍ୟପଟେ ଅବର୍ତ୍ତାନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ ସୁଧିର କୁମାର ମହାନ୍ତି, ବରିଷ୍ଠ ନାଗରିକ ତାରାପଦ ମହାନ୍ତି, ବିଶ୍ୱକେଶ୍ୱରୀ ମହାନ୍ତି, ଶିକ୍ଷାବିତ ପ୍ରଫୁଲ ଦାସ, ରଘୁନାଥ ସାହୁ, ବ୍ରଜସୁନ୍ଦର ମହାନ୍ତି, ଶ୍ରୀମନ୍ତ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ପାଣି, କମଳାକାନ୍ତ ସୂତାର, ବିଶ୍ୱନାଥ ସୂତାର, ବଦ୍ରୀନାରାୟଣ ନାୟକ ପ୍ରମୁଖ ଦାବି କରିଛନ୍ତି । ସୂଚନା ମୁତାବକ, ବିଶ୍ୱ ବିଶ୍ମୟ ଭିତରକନିକା ଜାତୀୟ ଉଦ୍ୟାନର ସଠିକ ରକ୍ଷଣା ବେକ୍ଷଣ କରିବା ପାଇଁ ୧୯୭୮ ମସିହାରେ ଚାନ୍ଦବାଲି ଠାରେ ବନ୍ୟପ୍ରାଣୀ ବନଖଣ୍ଡ ପ୍ରତିଷ୍ଠା କରାଯାଇଥିଲା । ହେଲେ ତତ୍‌କାଳୀନ କେତେକ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ୧୯୯୩ ମସିହାରେ ଏହି କାର୍ଯ୍ୟାଳୟକୁ ରାଜନଗର ସ୍ଥାନାନ୍ତର କରାଗଲା । ମାତ୍ର ଚାନ୍ଦବାଲି ଅଂଚଳ ଭିତରକନିକାର ଅତି ନିକଟତମ ହୋଇଥିବାରୁ ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀ ଅନେକ ସମୟରେ ଚାନ୍ଦବାଲି ଅଂଚଳକୁ ଚାଲି ଆସନ୍ତି । ଏହା ବ୍ୟତିତ ଶିକାରୀମାଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ମାଂସ, ଚମଡ଼ା, ବିରଳ ପ୍ରଜାତିର ସାପ ମାନଙ୍କୁ ଚାନ୍ଦବାଲି ଅଂଚଳ ଦେଇ ଚୋରା ଚଲାଣକୁ ରୋକିବା ଏବଂ ଭଦ୍ରକ ଜିଲ୍ଲା ପରିସରରେ ଆସୁଥିବା ଓରାମାଳ, ବାବୁବାଲି, କନିକାବାଲି, ବୁଦ୍ଧିଆବାଲି, ଗହିରମଥା ଇତ୍ୟାଦିରେ ଲୁଣାଜଙ୍ଗଲ, ବିରଳ ଅଲିଭ୍‌ରିଡ଼୍‌ଲେ କଇଁଚ, ନାଲି କଂକଡ଼ା, ବିଶେଷ କରି ବୈତରଣୀ ନଦୀରେ ଥିବା କୁମ୍ଭିର, ଡ଼ଲ୍‌ଫିନ୍ ଓ ସାଙ୍କୁଚ ଇତ୍ୟାଦି ଜୀବର ସୁରକ୍ଷା ଏବଂ ଆଗରପଡ଼ା ଠାରେ ହାତୀ କରିଡ଼ରର ସୁରକ୍ଷା ତଥା ବେଆଇନ୍ କରତକଳ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଉପଦେଷ୍ଟା ମଣ୍ଡଳୀ ୨୦୦୫ ମସିହାରେ ଚାନ୍ଦବାଲି ଠାରେ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରସ୍ତାବ ଗ୍ରହଣ କଲେ । ଏହି ପ୍ରସ୍ତାବର ଗୁରୁତ୍ୱକୁ ଉପଲ୍ଲବ୍ଧି କରି ଦୂରଦ୍ରଷ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୬ ମସିହାରେ ଏହାକୁ ଅନୁମୋଦନ କରିଥିଲେ । ମାତ୍ର ଗତ ୨୦୧୩ ମସିହାରେ ଏହି ଡ଼ିଏଫଓ ଅଫିସକୁ ନାନାଦି ଆଳ ଦେଖାଇ ଭଦ୍ରକ ନିକଟସ୍ଥ ସାତଭଉଣୀକୁ ଉଠାଇ ନେବାକୁ ସମସ୍ତ କାର୍ଯ୍ୟ ସରିଯାଇଥିଲା । ମାତ୍ର ବହୁ ପରିବେଶବୀତ୍‌, ପ୍ରକୃତିପ୍ରେମୀ ଓ ଚାନ୍ଦବାଲିର ବୁଦ୍ଧିଜିବୀମାନେ ବିଭାଗର ଏପ୍ରକାର ନିଷ୍ପତିକୁ ଘୋର ବିରୋଧ କରିବା ସହିତ ଆନ୍ଦୋଳନ କରିବାରୁ ବନବିଭାଗ ତାର ନିଷ୍ପତିକୁ ପୁନଃବିଚାର କରିବା ସହିତ ଡ଼ିଏଫଓ ଅଫିସ ପୂର୍ବବତ୍ ଚାନ୍ଦବାଲିରେ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ । ଦୀର୍ଘ ୮ ବର୍ଷ ପରେ ଆଜି ଚାନ୍ଦବାଲିରୁ ଡ଼ିଏଫଓ ଅଫସ୍ ଉଠାଇ ନେଇ ରାଜନଗର ଡ଼ିଭିଜନରେ ମିଶ୍ରଣ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅର୍ଡ଼ରକୁ ଅବଜ୍ଞା କରି ଚଳିତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଡ଼ିଭିଜନ ରିଅର୍ଗାନାଇଜେସନ୍ ନାମରେ ଚାନ୍ଦବାଲି ବନ୍ୟପ୍ରାଣୀ ଡ଼ଭିଜନ୍‌କୁ ରାଜନଗର ଡ଼ିଭିଜନ୍‌ରେ ମିଶ୍ରଣ କରିବାକୁ ହାଇଲେବୁଲ୍ ଫୋରମରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ପ୍ରସଙ୍ଗରେ ଚାନ୍ଦବାଲି ତଥା ଭଦ୍ରକ ଅଂଚଳରେ ପରିବେଶବୀତ୍ ଓ ବୁଦ୍ଧିଜିବୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତିି । ତିହିଡ଼ି ରୁ ସଂଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।