ବିବାହର ପ୍ରତିଶୃତି ଦେଇ ବିଧବାଙ୍କୁ ପ୍ରତାରଣା। ଜଗତପୁରରୁ ଅଭିଯୁକ୍ତକୁ ଗିରଫ୍ କଲା ତିହିଡି ପୋଲିସ।

101

କଟକ (ଉତ୍କଳ ନିୟୁଜ୍)ତିହିଡ଼ି, ୧୦.୦୮: ନିଜକୁ ଅବିବାହିତର ପରିଚୟ ଦେଇ ଜନୈକା ବିଧବା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ସମ୍ପର୍କ ସ୍ଥାପନ କରିଥିଲା । ମାସେ ନୁହେଁ କି ଦୁଇ ମାସ ନୁହଁ ଦିର୍ଘ ୪ ବର୍ଷ ଧରି ବିଧବାଙ୍କ ସହିତ ରଖି ଆସୁଥିଲା ସମସ୍ତ ପ୍ରକାରର ସମ୍ପର୍କ । ମାତ୍ର ଏହି ସମ୍ପର୍କରେ ସନ୍ଦେହ ଦେଖା ଦେଇଥିଲା । ଅବିବାହିତ କହିଥିବା ଯୁବକ ଜଣକ ବିବାହିତ ଜଣାଯିବା ପରେ ବିଧବାଙ୍କୁ ଶକ୍ତ ଧକ୍କା ହୋଇଥିଲା । ଲଭ୍‌-ସେକ୍ସ-ଧୋକ୍କାର ଏକ ନିଚ୍ଛକ ନମୂନା ଜଣାଯିବା ପରେ ବିଧବା ଉକ୍ତ ଯୁବକଙ୍କ ସହିତ ଆଉ ମିଳାମିଶା କଲେ ନାହିଁ । ମାତ୍ର ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ବିଧବାଙ୍କ ସହିତ ହୋଇଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା । ଯାହାକୁ ନେଇ ବିଧବା ଜଣକ ମାନସିକ ନିର୍ଯ୍ୟାତନା ପାଇ ଆସୁଥିଲେ । ନିରୁପାୟ ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ବିଧବାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ସଂଗୀନ ଦଫାରେ ଅଭିଯୁକ୍ତକୁ ଜଗତପୁରରୁ ଗିରଫ୍ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ବୁଧୁପୁର ଗାଁରେ । ଏହି ଗାଁର କମ୍ ବୟସରେ ବିଧବା ହୋଇଥିବା ଜନୈକା ମହିଳାଙ୍କ କରୁଣ କାହାଣୀ । ଅଭିଯୁକ୍ତ ହେଉଛନ୍ତି କେଉଁଝର ଜିଲ୍ଲା ଘଷିପୁରା ଥାନାଧିନ ପଞ୍ଚପଲ୍ଲୀ ଗାଁର ବିଜୟ ପଟ୍ଟନାୟକଙ୍କ ପୁଅ ବିଶ୍ୱନାଥ ପଟ୍ଟନାୟକ । କୌଣସି ଏକ ପରିସ୍ଥିତିରେ ବିଧବାଙ୍କ ସହିତ ଏହି ଯୁବକର ପରିଚୟ ହୋଇଥିଲା । ପରେ ବିବାହର ପ୍ରତିଶୃତି ଦେଇ ସ୍ଥାପନ କରିଥିଲା ଶାରିରୀକ ସମ୍ପର୍କ । ବିଧବାଙ୍କର କୌଣସି ପିଲାପିଲି ନଥିବାରୁ ଉଭୟ ପରିବାର ସହମତିରେ ବିବାହ କରିବେ ବୋଲି କହିଥିଲା ବିଶ୍ୱନାଥ । ମାତ୍ର କିଛିଦିନ ତଳେ ବିଶ୍ୱନାଥ ବିବାହିତ ବୋଲି ବିଧବା ଜାଣିବାକୁ ପାଇଥିଲେ ଏବଂ ଧୋକ୍କା ଖାଇ ନିଜକୁ ତା’ଠାରୁ ଦୂରେଇ ରହିଥିଲେ । ମାତ୍ର ପ୍ରତିଶୋଧ ପରାୟଣ ହୋଇ ବିଶ୍ୱନାଥ ଏହି ମହିଳାଙ୍କର କେତେକ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ଯାହାକୁ ନେଇ ବିଧବା ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ତିହିଡି ଥାନାରେ ଏକ ମାମଲା ୩୧୦/୨୧ ରୁଜୁ ହୋଇଛି । ତେବେ ବିଶ୍ୱନାଥ କଟକ ଜଗତପୁରରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟ୍ ଗାର୍ଡ କାମ କରୁଥିବା ବେଳେ ତିହିଡି ପୋଲିସ ଗିରଫ୍ କରିଛି ଏବଂ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ତେବେ ମଙ୍ଗଳବାର ପୂର୍ବାହ୍ନରେ ସୁରକ୍ଷା ପାଇଁ ବିଧବାଙ୍କୁ ଭଦ୍ରକସ୍ଥିତ ଆସିଆନାକୁ ପଠା ଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।