ଆବାସ ଯୋଜନାରେ ସଠିକ୍ ତଦନ୍ତ ହେଉନଥିବା ଅଭିଯୋଗ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଲେ ବିଜେପିର ଗଣଧାରଣା ଚେତାବନି

114

କଟକ (ଉତ୍କଳ ନିୟୁଜ୍) ପୁଣି ତାତିଲା ବିଜେପି । ଆବାସ ଯୋଜନାରେ ସଠିକ୍ ତଦନ୍ତ କରିବା ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କର୍ମଚାରୀ ପ୍ରକୃତ ହିତାଧିକାରୀଙ୍କୁ ନଭେଟି ପଞ୍ଚାୟତ କାର୍ଯ୍ୟାଳୟରେ ବସି ରିପୋର୍ଟ ଦାଖଲ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଏନେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ନରେନ୍ଦ୍ରପୁର, ରାଜନଗର, ଜାମଯୋଡି, ବାମନବିନ୍ଧା, ହରସିଂପୁର, ସାହାପୁର, ଦୌଲତପୁର, ଗୋବିନ୍ଦପୁର ଓ ବାରସର ପଞ୍ଚାୟତର ବିଜେପି କର୍ମୀମାନେ ବିଡିଓଙ୍କୁ ଭେଟି ଏପରି ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ତାଲିକା ପ୍ରସ୍ତୁତ କରାଯାଉଛି ତାହା ତୃଟିପୂର୍ଣ୍ଣ । ୧୬ରୁ ୨୦ ବର୍ଷ ଅବିବାହିତ ଯୁବକ/ଯୁବତୀଙ୍କ ନାମ ପଞ୍ଜିକୃତ ହୋଇଥିବା ବିଜେପି ନଜରକୁ ଆସିଛି । ଅଧିକାଂଶ ହିତାଧିକାରୀଙ୍କ କୋଠାଘର, ସରକାରୀ ଚାକିରୀ, ୪ ଚକିଆ ଯାନ ଏବଂ ଗୋଟିଏ ପରିବାରକୁ ଏକାଧିକ ଗୃହ ପ୍ରଦାନ କରାଯାଉଛି । ଶାସକ ଦଳର ଚାପରେ ସରକାରୀ କର୍ମଚାରୀମାନେ ଯଥା ପଞ୍ଚାୟତ ଟିମ୍ ଏପରି ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଇଛି । ଯାହା ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଆଜିବି ଛାଟିମାଟି ଚାଳ ଛପର ଘରେ ରହୁଛନ୍ତି ସେମାନଙ୍କ ନାମ ଉକ୍ତ ତାଲିକାରେ ଉଲ୍ଲେଖ ହେଉନଥିବା ଅଭିଯୋଗରେ ଦର୍ଶାଯାଇଛି । ବ୍ଲକ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ସହିତ ଏକ ସପ୍ତାହ ମଧ୍ୟରେ ସଠିକ୍ ହିତାଧିକାରୀ ଚୟନ ନକରିଲେ ବିଜେପି ଗଣଧାରଣା ଦେବେ ବୋଲି ବିଡିଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହିତ ଏଭଳି ଚେତାବନି ଦେଇଥିବା ଜଣାଯାଇଛି । ଏ ସମ୍ପର୍କରେ ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ପଚାରିବାରୁ ତଦନ୍ତରେ ସ୍ୱଚ୍ଛତା ଆଣିବା ଦିଗରେ ସମସ୍ତ ପିଇଓ ଯଥେଷ୍ଟ ଯତ୍ନବାନ୍ ହେବାଲାଗି ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ସେ ନିଜେ ତଦନ୍ତ କରିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।