-୫ ଦିନ ତଳେ ନିଖୋଜ ବୃଦ୍ଧଙ୍କ ଶବ ଉଦ୍ଧାର। ବଜ୍ରାଘାତରେ ମୃତ୍ୟୁ ସନ୍ଦେହ କଲେ ପରିବାର ଲୋକେ।

462

କଟକ (ଉତ୍କଳ ନିୟୁଜ୍)୦୮-୦୮-୨୧ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ କନ୍ଦପୁର ଗ୍ରାମର ୫ ଦିନ ତଳେ ନିଖୋଜ ହୋଇଥିବା ଜଣେ ବୃଦ୍ଧଙ୍କ ଶବ ଧାନ କ୍ଷେତରୁ ଉଦ୍ଧାର ହୋଇଛି। ଶବର ଦୁର୍ଗନ୍ଧ ଜଣାଯିବା ପରେ ଲୋକେ ଏହାକୁ ଠାବ କରିଥିଲେ। ମୃତକ ତିହିଡ଼ି ଥାନାଧିନ କନ୍ଦପୁର ଗ୍ରାମର ବିନୋଦ ବେହେରା ବିନୋଦ ଜଣେ ଦିନ ମଜୁରୀଆ। ଗତ ୫ ତାରିଖ ଭୋରୁ ପର ବିଲରେ କାମ କରିବାକୁ ଘରୁ ଆସିଥିଲେ। ମାତ୍ର ସଂଧ୍ୟା ସୁଧା ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜା ଖୋଜି କରିବା ପରେ କୌଣସି ସୂଚନା ପାଇନଥିଲେ। ଶେଷରେ ଥାନାରେ ରିପୋର୍ଟ କରିଥିଲେ। ରବିବାର ସକାଳେ ନନ୍ଦପୁର-ତିହିଡି ମଧ୍ଯରେ ରାଜ୍ଯ ରାଜପଥ ଠାରୁ ପ୍ରାୟ ୨ ଶହ ମିଟର ମଧ୍ଯରେ ଧାନ କ୍ଷେତ ହିଡରୁ ଶବ ଉଦ୍ଧାର ହୋଇଛି। ବଜ୍ରାଘାତରେ ବିଲରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ମୃତଙ୍କର ସ୍ତ୍ରୀ ସମେତ ୨ ପୁଅ ଓ ବୋହୂ ଅଛନ୍ତି। ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।