କୁନି ବୈଜ୍ଞାନିକ ସୁଦୀପ୍ତାଙ୍କ ପ୍ରକଳ୍ପ ରାଜ୍ୟସ୍ତରକୁ ଉନ୍ନୀତ

290

କଟକ(ଉତ୍କଳ ନିୟୁଜ୍)ତିହିଡି, ୦୭.୦୮: ପିଲାମାନଙ୍କୁ ବିଜ୍ଞାନରେ ମନସ୍କ କରାଇ ଗବେଷଣା ମାଧ୍ୟମରେ ନୂତନ ଆବିଷ୍କାର କରି ସମାଜର କଲ୍ୟାଣ ସାଧନ କରିବା ଲକ୍ଷ୍ୟ ନେଇ ସରକାର ସ୍କୁଲ ପିଲାମାନଙ୍କୁ ନେଇ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରି ଆସୁଛନ୍ତି । ପ୍ରତି ବର୍ଷ ଏହି ପ୍ରଦର୍ଶନୀରେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ତଥା ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପିଲାମାନେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଥାନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଏହା ଭର୍ଚ୍ଚୁଆଲ ଭାବେ ଅନ୍‌ଲାଇନ୍‌ରେ ପିଲାମାନେ ପ୍ରଦର୍ଶିତ କରିଥିଲେ । ତେବେ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ଭର୍ଚୁଆଲ ବିଜ୍ଞାନ ସେମିନାରେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍କୁଲରୁ ୫ଟି ପ୍ରକଳ୍ପ ରାଜ୍ୟ ସ୍ତରରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି । ତନ୍ମଧ୍ୟରୁ ତିହିଡ଼ି ବ୍ଲକ ଅଧୀନ କମାରିଆ ସ୍ଥିତ ଆନନ୍ଦ ପ୍ରସାଦ ସିନ୍ଦୋଳ ପଞ୍ଚାୟତ ସହଯୋଗ ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ରୀ ସୁଦୀପ୍ତା ଗୋଥଙ୍କ ପ୍ରକଳ୍ପ ‘ସ୍ୱୟଂକ୍ରିୟ ଆବର୍ଜନା ନିଷ୍କାସନ’ (ଅଟୋମେଟିକ୍ ଡ୍ରେନେଜ୍ କ୍ଲିନର) ଜିଲା ସ୍ତରରେ ବିଚାରକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ରାଜ୍ୟସ୍ତରରେ ପ୍ରଦର୍ଶିତ ହେବା ପାଇଁ ଉନ୍ନୀତ ହୋଇଥିବା ଜଣାଯାଇଛି । ଆସନ୍ତା ୧୦ ତାରିଖରୁ ୧୭ ତାରିଖ ୍ୱମଧ୍ୟରେ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଉକ୍ତ ପ୍ରକଳ୍ପଟି ପ୍ରଦର୍ଶିତ ହେବ । ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ଜିଲ୍ଲା ବିଜ୍ଞାନ ସଂଯୋଜକ ସରୋଜ କୁମାର ପ୍ରଧାନ, ସହସଂଯୋଜକ ମନୋଜ ବେହେରାଙ୍କ ସମେତ ସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ବିଜ୍ଞାନ ଶିକ୍ଷକ ଉମାକାନ୍ତ ସାହୁ, ବିପ୍ଳବ କୁମାର ପହି, ଫକୀରମୋହନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଆନନ୍ଦ ଚନ୍ଦ୍ର ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟମାନେ କୁନି ବୈଜ୍ଞାନିକ ସୁଦୀପ୍ତା ଗୋଥଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି । ତେବେ ରାଜ୍ୟ ସ୍ତରରେ ସୁଦୀପ୍ତାଙ୍କର ସଫଳ ପ୍ରଦର୍ଶନ ପାଇଁ ସ୍କୁଲ ପକ୍ଷରୁ ସୁଦୀପ୍ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପତି ସୂଚନା ଦେଇଛନ୍ତି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।