ଆବାସ ଯୋଜନାରେ ସଠିକ୍ ତଦନ୍ତ ହେଉନଥିବା ଅଭିଯୋଗ।

602

କଟକ(ଉତ୍କଳ ନିୟୁଜ୍)ତିହିଡି, ୦୬.୦୮: ପୁଣି ତାତିଲା ବିଜେପି । ଆବାସ ଯୋଜନାରେ ସଠିକ୍ ତଦନ୍ତ କରିବା ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କର୍ମଚାରୀ ପ୍ରକୃତ ହିତାଧିକାରୀଙ୍କୁ ନଭେଟି ପଞ୍ଚାୟତ କାର୍ଯ୍ୟାଳୟରେ ବସି ରିପୋର୍ଟ ଦାଖଲ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଏନେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ନରେନ୍ଦ୍ରପୁର, ରାଜନଗର, ଜାମଯୋଡି, ବାମନବିନ୍ଧା, ହରସିଂପୁର, ସାହାପୁର, ଦୌଲତପୁର, ଗୋବିନ୍ଦପୁର ଓ ବାରସର ପଞ୍ଚାୟତର ବିଜେପି କର୍ମୀମାନେ ଶୁକ୍ରବାର ପୂର୍ବାହ୍ନରେ ବିଡିଓଙ୍କୁ ଭେଟି ଏପରି ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ତାଲିକା ପ୍ରସ୍ତୁତ କରାଯାଉଛି ତାହା ତୃଟିପୂର୍ଣ୍ଣ । ୧୬ରୁ ୨୦ ବର୍ଷ ଅବିବାହିତ ଯୁବକ/ଯୁବତୀଙ୍କ ନାମ ପଞ୍ଜିକୃତ ହୋଇଥିବା ବିଜେପି ନଜରକୁ ଆସିଛି । ଅଧିକାଂଶ ହିତାଧିକାରୀଙ୍କ କୋଠାଘର, ସରକାରୀ ଚାକିରୀ, ୪ ଚକିଆ ଯାନ ଏବଂ ଗୋଟିଏ ପରିବାରକୁ ଏକାଧିକ ଗୃହ ପ୍ରଦାନ କରାଯାଉଛି । ଶାସକ ଦଳର ଚାପରେ ସରକାରୀ କର୍ମଚାରୀମାନେ ଯଥା ପଞ୍ଚାୟତ ଟିମ୍ ଏପରି ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଇଛି । ଯାହା ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଆଜିବି ଛାଟିମାଟି ଚାଳ ଛପର ଘରେ ରହୁଛନ୍ତି ସେମାନଙ୍କ ନାମ ଉକ୍ତ ତାଲିକାରେ ଉଲ୍ଲେଖ ହେଉନଥିବା ଅଭିଯୋଗରେ ଦର୍ଶାଯାଇଛି । ବ୍ଲକ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ସହିତ ଏକ ସପ୍ତାହ ମଧ୍ୟରେ ସଠିକ୍ ହିତାଧିକାରୀ ଚୟନ ନକରିଲେ ବିଜେପି ଗଣଧାରଣା ଦେବେ ବୋଲି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ମଣ୍ଡଳ ସଭାପତି ରାଜାରାମ ମହାକୁଡ, ମଣ୍ଡଳ ସାଧାରଣ ସମ୍ପାଦକ ମାନସ ରଞ୍ଜନ ନାୟକ, ମଙ୍ଗରାଜ ନାୟକ, କମଳାକାନ୍ତ ନାୟକ, ସୁଶାନ୍ତ ନାୟକ, ଦେବେନ୍ଦ୍ର ବେହେରା, ପଦ୍ମନାଭ ଦାସ ପ୍ରମୁଖ ବିଡିଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହିତ ଏଭଳି ଚେତାବନି ଦେଇଥିବା ଜଣାଯାଇଛି । ଏ ସମ୍ପର୍କରେ ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ପଚାରିବାରୁ ତଦନ୍ତରେ ସ୍ୱଚ୍ଛତା ଆଣିବା ଦିଗରେ ସମସ୍ତ ପିଇଓ ଯଥେଷ୍ଟ ଯତ୍ନବାନ୍ ହେବାଲାଗି ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ସେ ନିଜେ ତଦନ୍ତ କରିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।