ବିରଞ୍ଚିନାରାୟଣଙ୍କ ପୀଠରେ ଚୂଳଚଢା ପର୍ବ ପାଳିତ।

69

କଟକ (ଉତ୍କଳ ନ୍ୟୁଜ ) ୧୫-୦୨-୨୦୨୪ ; ଓଡିଶାର ଅଦ୍ୱିତୀୟ ସୂର୍ଯ୍ୟ ଉପାସନ କ୍ଷେତ୍ରଭାବେ ପରିଚିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପ୍ରାଚୀନ ଅର୍କକ୍ଷେତ୍ର ତଥା ଐତିହାସିକ କିମ୍ବଦନ୍ତୀର ବାର୍ତ୍ତା ବହନ କରୁଥିବା ପବିତ୍ର ତଥା ପ୍ରସିଦ୍ଧ ବିରଞ୍ଚିନାରାୟଣ ପୀଠରେ ଷଷ୍ଠି ତିଥିରେ ଚୂଳଚଢା ପର୍ବ ପାଳିତ ହୋଇ ଯାଇଛି । ଏଥିସହ ମନୋହର ଭୋଗ ଲାଗିଛି । ପୂରାଣମତେ ବର୍ଷରେ କେବଳ ଏହି ତିଥିରେ ମନ୍ଦିରର ଉତ୍ତର ଦ୍ୱାର ଖୋଲା ଯାଇଥାଏ । କୁଷ୍ଠରୋଗୀମାନେ ମାନସିକ ଉପଚାର କରି ଏହି ଦ୍ୱାରରେ ଅଧିଆ ପଡିଥାନ୍ତି । କିମ୍ବଦନ୍ତ୍ରୀ କହେ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଶାପ ଦଶା ମୁକ୍ତ ପାଇଁ ଏଠାରେ ସୂର୍ଯ୍ୟ ଉପାସନ କରିଥିଲେ ଏବଂ ଆଜିର ଦିନରେ ଏଠାରୁ ବିଦାୟ ନେଇଥିଲେ । ଯାହା ବିରଞ୍ଚିନାରାୟଣଙ୍କ ଏହି ଚୂଳଚଢା ଦର୍ଶନ କଲେ ସମସ୍ତ ଚର୍ମ ରୋଗରୁ ମୁକ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନରେ ତୁଳସୀ ପତ୍ର ଓ ଫୁଲରେ ତିଆରି ଫୁଲଛତା ଅର୍ପଣ କରା ଯାଇଥାଏ । ଏଥିସହ ଅରୁଆ ଚାଉଳରେ ତିଆରି ଚୂନା, ଗୁଆ ଘିଅ, ଗୁଡ, ନଡିଆକୋରା ଓ ବିଭିନ୍ନ ପ୍ରକାରର ବାସ ମସଲାରେ ତିଆରି ହୋଇଥିବା ପ୍ରଭୁଙ୍କର ମୁଖ୍ୟ ମନୋହରି ଭୋଗ ଲାଗିଥାଏ । ପ୍ରାଚୀନ କାଳରୁ ଏହି ଅର୍କକ୍ଷେତ୍ରରେ ସୌର ଚାଳନା ଅନୁଯାୟୀ ପର୍ବ ପର୍ବାଣୀମାନ ପାଳନ କରା ଯାଇଥାଏ । ଏହି ପୀଠକୁ ଓଡ଼ିଶାର ଦ୍ୱିତୀୟ କୋଣାର୍କ ଭାବେ ବିବେଚନା କରାଯାଏ । ଏଠାରେ ଚର୍ତୁମୁଖୀ ବ୍ରହ୍ମା ପୂଜା ପାଆନ୍ତି ଯାହା ଏସିଆ ମହାଦେଶର ଅଦ୍ୱିତୀୟ ଦର୍ଶନ ସ୍ଥାନ ବୋଲି କୁହା ଯାଉଛି । ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନ କ୍ଷେତ୍ର ବୋଲି ଚିହ୍ନିତ କରିଥାନ୍ତି । ଅଘିରା ପୂର୍ଣ୍ଣମୀର ପରଦିନରେ ଏଠାରେ ଗୁଣ୍ଡୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ଏଠାରେ ସୂଚନା ଥାଉକି, କୋଣାର୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ଏହି ବିରଞ୍ôଚଚିନାରାୟଣ ମନ୍ଦିର ନବମ ଶତାବ୍ଦୀର ବୋଲି ଐତିହାସିକ ମତ ରହିଛି । ଚୂଳଚଢା ପର୍ବରେ ମୁଖ୍ୟ ପୂଜକ ରବିନାରାୟଣ ପଣ୍ଡା, ଅଜୟ ପଣ୍ଡା, ସରୋଜ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ମୁଖ୍ୟ ବସନ୍ତ କୁମାର ନାୟକ, ମାଳି ସେବାୟତ ବିଜୟ ପାତ୍ର ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଡିଓ ଜ୍ୟେତିର୍ମୟ କର ଓ ଯୁବ ବିଜେଡି ନେତା ସୁଧନ୍ବା ନାୟକ ପ୍ରମୁଖ ବିରଞ୍ଚିନାରାୟଣଙ୍କ ବଡସିଂହାର ବେଶ ଦର୍ଶନ କରିଥିଲେ। ପୀଠର ବିକାଶ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି ଏବଂ ସଂପ୍ରତି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିବା ସାଂସଦ ସୂଚନା ଦେଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |