ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରସଙ୍ଗ, ମିଥ୍ୟା ଓ ଅପପ୍ରଚାର ବିରୋଧରେ ମୁହଁ ଖୋଲିଲେ ବିଡିଓ |

129

କଟକ (ଉତ୍କଳ ନ୍ୟୁଜ ) ୦୫-୦୪-୨୦୨୪ : କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରସଙ୍ଗରେ ମିଥ୍ୟା ଓ ଅପପ୍ରଚାର ବିରୋଧରେ ମୁହଁ ଖୋଲିଲେ ବିଡିଓ । ଏନେଇ ଆଜି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସୂଚନା ମୁତାବକ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପାଳିଆବିନ୍ଧା ସେବା ସମବାୟ ସମିତି ସମ୍ମୁଖରେ ଗତକାଲି କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିକ୍ଷୋଭ ଓ ହରତାଳ ପ୍ରଦର୍ଶନ କରାଯାଇଥିଲା । ରାଣିତାଲରେ ଅନୁଷ୍ଠିତ ହୋଇଥିବା “ଆମ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମରେ ଯୋଗଦେବାକୁ କଲେଜକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେକ ବାଦ୍ ପଡିଥିବା ନେଇ ଉକ୍ତ ରାସ୍ତାରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ସମସ୍ତ ବସକୁ ଅଟକାଇଥିଲେ । ‘ଆମକୁ ନନେଲେ ଏଇ ରାସ୍ତାରେ କୌଣସି କଲେଜ ଗାଡି ଛାଡିବୁନି’ ଦାବିରେ ରାଜରାସ୍ତାରେ ହରତାଳ ମଧ୍ୟ କରିଥିଲେ । ତେବେ ତିହିଡି ଆଇଆଇସିଙ୍କ ସମେତ ବିଡିଓ ଜ୍ୟୋତିର୍ମୟ କର ଘଟଣା ସ୍ଥଳରେ ପହଁଞ୍ôଚ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବାର କିଛି ସମୟ ପରେ ସେମାନଙ୍କ ପ୍ରତିବାଦ ହଟିଥିଲା । ଏବଂ ଆଉ ଗୋଟିଏ ବସରେ ସମସ୍ତଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ନିଆଯାଇଥିଲା । ତେବେ ବାଦ୍ ଛାତ୍ରଛାତ୍ରୀଙ୍କର ସାନି ପଞ୍ଜିକରଣ କରାନଗଲେ ସେଠାରେ ସମସ୍ୟାରେ ପଡିବେ ଏବଂ ରାସ୍ତା ଉପରେ ଛିଡା ନହୋଇ ପାଶ୍ୱର୍ରେ କଲେଜ କତୃପକ୍ଷଙ୍କ ନିକଟରେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ବିଡିଓ ଶ୍ରୀ କର ପରାମର୍ଶ ଦେଇଥିଲେ । ସେହି ସମୟରେ ଜଣେ ଯୁବକ ନିଜକୁ ସାମ୍ବାଦିକ ବୋଲି କହି ରାସ୍ତାର ଉପରେ ଛାତ୍ରଛାତ୍ରୀମାନଙ୍କ ଜୟଶ୍ରୀରାମ ନାରାରେ ବିଡିଓ ସେମାନଙ୍କୁ ଧମକ ଦେଇଥିବା ପଚାରିଥିଲେ । ଘଟଣା ସ୍ଥଳରେ ଏକାଧିକ ସାମ୍ବାଦିକଙ୍କ ସମେତ ପୋଲିସ ଓ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିବାବେଳେ ନିର୍ଦ୍ଦିଷ୍ଟ ସାମ୍ବାଦିକ ଜଣକ ସେହି ବାବଦରେ ଗୋଡେଇ ତୁଡେଇ ପ୍ରଶ୍ନ କରିଥିଲେ । ସେପରି କୌଣସି ଘଟଣା ଘଟିନଥିବା ବିଡିଓ କହିଥିଲେ ମଧ୍ୟ ସଂପୃକ୍ତ ସାମ୍ବାଦିକ ଜଣକ ନଛୋଡବନ୍ଧା ଥିଲେ । ଯାହାକୁ ନେଇ ବିଡିଓ ତାଙ୍କର ପରିଚୟ ପତ୍ର ଦେଖିବାକୁ କହିଥିଲେ । ଘଟଣା ସେତିକିରେ ସୀମିତ ଥିବାବେଳେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ଜୟଶ୍ରୀରାମ ନାରାରେ ବିଡିଓ କୁଆଡେ ଛାତ୍ରଛାତ୍ରୀମାନଙ୍କୁ ଧମକ ଚମକ ଦେଇଥିବା ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସହିତ ଏକାଧିକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ହୋଇଥିବା ବିଡିଓ ଶ୍ରୀ କର ଜାଣିବାକୁ ପାଇଥିଲେ । ସମସ୍ତ ଭିଡିଓରେ ବିଡିଓ କେଉଁଠି ସେଭଳି ଶବ୍ଦ ବ୍ୟବହାର କରିନଥିବା ବେଶ ବାରି ହେଉଛି । ଭାଇରାଲ ହୋଇଥିବା ଭିଡିଓକୁ ତନଖିଲେ ସତ୍ୟ ପଦାକୁ ଆସିବ ଏବଂ ତିହିଡିବାସୀ ଉକ୍ତ ମିଥ୍ୟା ଓ ଅପପ୍ରଚାରରେ ବଶବର୍ତ୍ତୀ ହୋଇ ତିହିଡି ପରି ସୌହାର୍ଦ୍ଦପୂର୍ଣ୍ଣ ବାତାବରଣକୁ ନଷ୍ଟ ନକରିବାକୁ ବିଡିଓ ଶ୍ରୀ କର ନିବେଦନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |