ଏବେବି ଚାଲୁଛି “ସାରଥି ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ”, କେନ୍ଦ୍ରାପଡା ବାରିମୂଳ ଆଶ୍ରମ ପରି ଅଚକରେ ଭକ୍ତଙ୍କ ସମାଗମକୁ ନେଇ ଚର୍ଚ୍ଚା।

275

କଟକ (ଉତ୍କଳ ନ୍ୟୁଜ ) ୧୬-୦୧-୨୦୨୪ : ଏବେବି ଚାଲୁଛି “ସାରଥି ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ” । ସାରଥିଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ପରି ଅଚକରେ ଭକ୍ତଙ୍କ ସମାଗମକୁ ନେଇ ଚର୍ଚ୍ଚା । ସବୁଠୁ ବଡ କଥା ହେଉଛି ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ସଂଖ୍ୟା ଅଧିକ ଥିଲା । ସଭିଏଁ ସାରଥି ପ୍ରେମରେ ମସଗୁଲ ଆଉ ଭକ୍ତିଭାବରେ ବିଭୋର ହୋଇ ଯାଇଥିଲେ । ସାରଥିଙ୍କୁ ସ୍ୱୟଂ ଭଗବାନ ବୋଲି କହୁଛନ୍ତି ଭକ୍ତମାନେ । ସେମାନଙ୍କ ମତରେ ସାରଥି ଅନୁଭବର ଠାକୁର । ତାକୁ କେହି କଳ୍ପନା ହିଁ କରିପାରନ୍ତି ନାହିଁ । ସୁଖଦୁଃଖର ସାଥି, ଶୟନେ ଶପନେ ଜାଗରଣେ ପାଖରେ ଅଛନ୍ତି । ଲୋକଚନକୁ ଆସୁନାହାଁନ୍ତି କି ସଂସାରୀ ମତରେ ନାହାଁନ୍ତି ହେଲେ ସବୁଠି ଅଛନ୍ତି । ତାଙ୍କର ସ୍ୱଦିବ୍ୟ ସ୍ୱଚରଣ ପାଦୁକା ପୂଜା ପାଉଛି । ଯେଉଁ ପାଦୁକାରେ ଶଙ୍ଖ ଚକ୍ର ଗଦା ଓ ପଦ୍ମର ଆୟୁଧ ରହିଛି ସେ ଆୟଧୁକୁ ଦର୍ଶନ କଲେ ସବୁ କାମ ହେଇଯିବ । ଯିଏ ସାରଥି ସିଏ ଜଗନ୍ନାଥ ସିଏ ରାମ ସିଏ କୃଷ୍ଣ ଆହୁରି କେତେ କଣ ବୋଲି ସାରଥି ଭକ୍ତମାନେ କହିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଅଧିନ ନନ୍ଦପୁର ଠାରେ ଆୟୋଜିତ “ସାରଥି ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ”ରେ ଉଭୟ ମହିଳା ଓ ପୁରୁଷ ଭକ୍ତମାନେ ଏପରି ମତପ୍ରକାଶ କରିଛନ୍ତି । କିଛି ବର୍ଷତଳେ ଏକ କେଳେଙ୍କାରୀରେ ତଥାକଥିତ ବାବା ଓରଫ୍ ସାରଥି ଜେଲ ଯାଇଥିଲେ ପରେ ସର୍ତ୍ତମୂଳକ ଜାମିନରେ ଏବେ ମୁକୁଳିଛନ୍ତି ହେଲେ ତାଙ୍କର ଭକ୍ତମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କୁ ଚକିତ କରିଛି । ଅଚକରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାୟ ୪ ଘଣ୍ଟାକାଳ ଚାଲିଥିଲା । ଯାହା ଏକ ପ୍ରକାର ଉତ୍ସବ ପରି ମନେ ହେଉଥିଲା । ରାସ୍ତାରେ ଯାଉଥିବା ଲୋକେ ଘଡିଏ ଚାହିଁ ରହୁଥିଲେ । ଆଉ ଯାନବାହାନରେ ଯାଉଥିବା ଲୋକେ ଏକୁତାକୁ ପଚାରି ବୁଝୁଥିଲେ । ସାରଥିଙ୍କ ପ୍ରତି ଏତେ ପ୍ରେମ କେଉଁଠୁ ଆସିଲା ଆଉ ପ୍ରଶାସନ କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଭକ୍ତମାନଙ୍କ କହିବାନୁଯାଇ, ପ୍ରତିବର୍ଷ ମକର ସଂକ୍ରାନ୍ତୀ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଉଛି । ବିଭିନ୍ନ ଜିଲ୍ଲାରେ ଉକ୍ତ କାର୍ଯକ୍ରମ ହୋଇଥିବା ବେଳେ ଚଳିତ ବର୍ଷ ଭଦ୍ରକ ଜିଲ୍ଲା କାର୍ଯ୍ୟକର୍ତ୍ତା ତିହିଡି ବ୍ଲକରେ ଏପରି ରାଜ୍ୟ ସ୍ତରୀୟ “ସାରଥି ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ” ଅନୁଷ୍ଠିତ ହୋଇ ଯାଇଛି । କିଏ ପୁରୁଷ ଆଉ କିଏ ବା ମହିଳା ସଭିଏଁ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ସାରଥିଙ୍କ ପ୍ରେମରେ ମସଗୁଲ । ଗଦ୍‌ଗଦ୍ ପ୍ରେମ ଉଚ୍ଛୁଳି ପଡୁଛି । ସଂଗୀତ ତାଳେତାଳେ ଭକ୍ତଭାବ ଭରା ନୃତ୍ୟ ପରିବେଷଣ କରାଯାଉଥିଲା । ସତେ ଯେପରି ସାରଥି ସେମାନଙ୍କ ସମ୍ମୁଖରେ ବସିଛନ୍ତି ଆଉ ହାତଠାରି ଭକ୍ତମାନଙ୍କୁ ନିଜ ପାଖକୁ ଡାକୁଛନ୍ତି । ହଁ ଦର୍ଶକବନ୍ଧୁ ଆପଣମାନେ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବା ସହିତ ଭ୍ରମିତ ହୋଇଯିବେ ନିଶ୍ଚୟ । ସୋମବାର ଅପରାହ୍ନରେ ଦୋଳସାହି ବଜାରରୁ ଏକ ବିଶାଳ ସଂକିର୍ତ୍ତନ ଶୋଭାଯାତ୍ରାରେ ବାହାରି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ନନ୍ଦପୁର ପର୍ଯ୍ୟନ୍ତ ଆସିଥିଲା । ବାଟରେ ଯାଉଥିବା ଲୋକେ କଟାକ୍ଷ ମନ୍ତବ୍ୟ ଦେବାକୁ ପଛଇନଥିଲେ । ଶହସ୍ରାଧିକ ଭକ୍ତଙ୍କ ସମାଗମରେ ରାଜପଥ ଫାଟି ପଡୁଥିଲା । ଟ୍ରାଫିକ୍ ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ନାକେଦମ ହେବାକୁ ପଡିଥିଲା । ସଂଧାରେ ଜ୍ୟୋତି ସଂସ୍ଥାପନ କରାଯାଇ ସାରଥିଙ୍କ ଲୀଳା ଚରିତାମୃତ ଓ ଭାଗବତ ଚର୍ଚ୍ଚା କରାଯିବା ପରେ ସମୂହ ସଂକିର୍ତ୍ତନ କରା ଯାଇଥିଲା । ଶେଷରେ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |