୬୦୦ ବର୍ଷର ନିର୍ମିତ ମଗଜୀ ଲଡୁ ରେ ବାଜିଲା ସରକାରୀ ମୋହର |

38

କଟକ (ଉତ୍କଳ ନ୍ୟୁଜ ) ୬-୦୧-୨୦୨୪ : ଢେଙ୍କାନାଳ ମଗଜି ଲଡୁ କୁ ମିଳିଲା ଭୌଗଳିକ ପରିଚୟ। ଜି ଆଇ ଟ୍ୟାଗ ମିଳିବା ପରେ ଖୁସିର ମାହୋଲ। ଗଂଦିଆରେ ବାଜା ବଜାଇ ନାଚିଗାଇ ସେଲିବ୍ରେସନ କଲେ ଅଞ୍ଚଳବାସୀ। ଜିଲ୍ଲାପାଳ ଓ ଆବେଦକ ବିମଳେନ୍ଦୁ ମହାନ୍ତିଙ୍କୁ ମିଠା ଖୁଆଇଲେ ମିଠା ବ୍ୟବସାୟୀ ଓ ଚ୍ୟାମ୍ବର ଅଫ କମର୍ସ। ଢେଙ୍କାନାଳ ଗଂଦିଆ ଅଞ୍ଚଳରେ ୬ଶହ ବର୍ଷ ହେବ ମଇଁଷି ଖିରର ଛେନାରୁ ଏହାକୁ କରାଯାଉଛି ପ୍ରସ୍ତୁତ। ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ। ସାକାର ହେଲା ଢେଙ୍କାନାଳ ବାସୀଙ୍କ ସ୍ୱପ୍ନ । କାରଣ ଢେଙ୍କାନାଳର ସ୍ୱାଦିଷ୍ଟ ମଗଜି ଲଡୁ କୁ ମିଳିଲା ଜି ଆଇ ଟ୍ୟାଗ ର ମାନ୍ୟତା । ମଇଁଷି ଖିରର ଛେନାରୁ ପ୍ରସ୍ତୁତ ଏହି ମଗଜିକୁ ଭୌଗଳିକ ପରିଚୟ ମିଳିବା ପରେ ଏବେ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଖେଳି ଯାଇଛି ଖୁସିର ମାହୋଲ। ବିଶେଷ କରି ମଗଜିର ଉତ୍ପତ୍ତି ସ୍ଥଳ ଢେଙ୍କାନାଳ ଗଂଦିଆରେ ଅଞ୍ଚଳବାସୀ ବାଜା ବଜାଇ ନାଚିଗାଇ ପରସ୍ପରକୁ ମଗଜି ଖୁଆଇ କରିଛନ୍ତି ସେଲିବ୍ରେସନ।କେବଳ ଗଂଦିଆ କାହିଁକି ଢେଙ୍କାନାଳରେ ମଧ୍ୟ ଜିଲ୍ଲା ସୁଇଟ୍ସ ଆସୋସିଏସନ ଚ୍ୟାମ୍ବର ଅଫ କମର୍ସ ମିଳିତ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁସି ମନାଇଛନ୍ତି।ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ତଥା ମଗଜିକୁ ଜି ଆଇ ଟ୍ୟାଗ ପାଇଁ ଆବେଦନ କରିଥିବା ଆବେଦକ ବୈଜ୍ଞାନିକ ଡଃ ବିମଳେନ୍ଦୁ ମହାନ୍ତି ଓ ଜିଲ୍ଲାପାଳ ମଧ୍ୟ ମଗଜି ଖାଇ ଖୁସି ମନାଇଛନ୍ତି। ମଗଜିକୁ ଜିଆଇ ଟ୍ୟାଗର ମାନ୍ୟତା ମିଳିବା ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି କହିଛନ୍ତି ଜିଲ୍ଲାପାଳ ଓ ବିମଳେନ୍ଦୁ ମହାନ୍ତି। ଆଗକୁ ଏହାର ବ୍ୟାପକ ପ୍ରଚାର ପ୍ରସାର ସହ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ | ଆଜିକୁ ପ୍ରାୟ ୬ଶହ ବର୍ଷ ହେବ ମଗଜିକୁ ଗଂଦିଆରେ ପ୍ରସ୍ତୁତ କରାଯାଉଛି।କପିଳାସ ପାହାଡ ଓ ବ୍ରାହ୍ମଣୀ ନଦୀ ପଠାରେ ବିଚରଣ କରୁଥିବା ଡାଳୁଆ ମଇଁଷିଙ୍କ ଖିରର ଛେନାରେ ଚିନି ଗୁଜୁରାତି ପକାଇ ଏହି ମଗଜି ତିଆରି କରାଯାଇଥାଏ।ଏଥିରେ ପାଣି ମିଶା ଯାଉ ନଥିବାରୁ ଏକମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ ହୋଇ ରହିପାରେ।ଢେଙ୍କାନାଳର ଗଂଦିଆ, ସଡଙ୍ଗୀ, ମନ୍ଦାର ଓ ଦେଓଗାଁ ଅଞ୍ଚଳରେ ଏହା ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ।ତିନିବର୍ଷ ପୂର୍ବେ ୨୦୨୦ ମସିହାରେ ଢେଙ୍କାନାଳ ସୁଇଟସ ଆସୋସିଏସନ ପକ୍ଷରୁ ମଗଜିକୁ ଜି ଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା।ଓୟୁଏଟି ସହଯୋଗରେ ଏହାକୁ ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ପାହାଚ ଅତିକ୍ରମ କରିଥିଲା । ଗତ ୨୦୨୩ ଅଗଷ୍ଟରେ ଜିଓଗ୍ରାଫିକାଲ ଇଣ୍ଡିକେସନ ଜର୍ନାଲରେ ଏହା ସ୍ଥାନ ପାଇଥିଲା।ଏବଂ ତିନିମାସ ମଧ୍ୟରେ କୌଣସି ଆପତ୍ତି ଅଭିଯୋଗ ନଆସିବା ପରେ ଶେଷରେ ମଗଜକୁ ମିଳିଛି ଜି ଆଇ ଟ୍ୟାଗର ମାନ୍ୟତା।ଢେଙ୍କାନାଳ ଜିଲ୍ଲାର ପ୍ରଥମ ଉତ୍ପାଦିତ ଦ୍ରବ୍ଯ ଭାବରେ ମଗଜକୁ ଜି ଆଇ ଟ୍ୟାଗ ମିଳିଥିବାରୁ ଢେଙ୍କାନାଳ ବାସୀଙ୍କ ମଧ୍ୟରେ ଖୁସି କହିଲେ ନସରେ, ମଗଜିକୁ ଭୌଗଳିକ ପରିଚୟ ମିଳିବା ପରେ ଢେଙ୍କାନାଳ ଜିଲ୍ଲା ସମଗ୍ର ରାଜ୍ୟ ଓ ଦେଶରେ ନୂତନ ପରିଚୟ ସୃଷ୍ଟି କରିବ ବୋଲି ଆଶାକରିଛନ୍ତି ଜିଲ୍ଲାବାସୀ | ଢେଙ୍କାନାଳ ରୁ ରଞ୍ଜିତ ରାଉତ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |