ରାଜନୈତିକ ଅକ୍ରୋଶରେ ଦୋକାନ ଭଙ୍ଗାରୁଜା ସହ ମାଡ ଅଭିଯୋଗ |

980

କଟକ(ଉତ୍କଳ ନିଉଜ)୧୨/୦୩/୨୦୨୨ :ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଫଳାଫଳ ଘୋଷଣା ପର୍ଯ୍ୟନ୍ତ କାଁଭାଁ ଗଣ୍ଡଗୋଳକୁ ଛାଡିଦେଲେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ଆଜି ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳ ଘୋଷଣା ପରେ ତିହିଡି ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତିହିଡି ସଦର ବଜାରରେ ଥିବା ଦ୍ୱାରିକା ଡେଲୀ ନିଡ୍ସ ଦୋକାନର କାଚ କବାଟ ଭାଙ୍ଗି ବଳପୂର୍ବକ ପଶିବା ସହିତ ଦୋକାନ ମାଲିକଙ୍କୁ କଲର ଧରି ଟାଣିଆଣି ବିଚ୍ ରାସ୍ତାରେ ମାରଧର କରି ଅଶ୍ଳିଳ ଭାଷାରେ ଗାଳି ଗୁଲଚ କରାଯାଇଥିଲା । ଏହି ସମୟରେ ପୋଲିସ ଓ ବଜାର ଲୋକେ ପହଞ୍ôଚଯିବାରୁ ଯୁବକମାନେ ସ୍ଥାନ ଛାଡି ପଳେଇ ଯାଇଥିଲେ । ତେବେ ରାଜନୈତିକ ଆକ୍ରୋଶରୁ ଏପରି ଆକ୍ରମଣ ଓ ଭଙ୍ଗାରୁଜା ହୋଇଥିବା ଦୋକାନୀ ସୀତାକାନ୍ତ ନାୟକ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ୍ କରାନଗଲେ ଆନ୍ଦୋଳନାତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି ଚେତାବନି ଦେଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଶନିବାର ଅପରାହ୍ନରେ ବ୍ଲକ ଅଧ୍ୟକ୍ଷା ଫଳାଫଳ ଘୋଷଣା ପରେ ବିଜେଡି ମହଲରେ ଖୁସିର ଲହରୀ ଖେଳି ଯାଇଥିଲା । କେତେକ କର୍ମୀ ଉତ୍‌ଫୃଲିତ ହୋଇ ବାଣ ରୋଷଣୀ ଫୁଟାଇ ସଦର ବଜାରକୁ ପ୍ରକମ୍ପିତ କରିଥିଲେ ।

ତେବେ ଏହି ବାଣ ଫୁଟାଇବା ବେଳେ କୌଣସି ବ୍ୟତିକ୍ରମ ହୋଇଥିବା ଏବଂ ଉକ୍ତ ବାଣ ଦୋକାନର କାଚ ଭାଙ୍ଗି ଦେଇଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଅନ୍ୟପଟେ ଏହି ନିର୍ଦ୍ଦିଷ୍ଟ ଦୋକାନ ସମ୍ମୁଖରେ ବିଜେପି କର୍ମୀଙ୍କ ଗହଳି ହେଉଥିବା ନେଇ ବିଜେଡି ଏପରି ଆକ୍ରୋଶ ମୂଳକ ଭାବେ କାଣ୍ଡ ଭିଆଣ କରିଥିବା ମଧ୍ୟ କୁହାଯାଉଛି । ତେବେ ପୋଲିସକୁ ପୂର୍ବରୁ ଏସଂକ୍ରାନ୍ତରେ ଅବଗତ କରାଯାଇଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଏବଂ ଆବଶ୍ୟକ ସଂଖ୍ୟକ ଫୋର୍ସ ନଥିବାରୁ ଏପରି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଲା ବୋଲି ଭାଟପଡା ପଞ୍ଚାୟତ ସରପଞ୍ଚ ଶୁଭ୍ରନାରାୟଣ ସେଠୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।