ସମିତି ସଭ୍ୟଙ୍କୁ କ୍ଷୀରରେ ଗାଧୋଇଦେଲେ ମତୁଆଲା ସମର୍ଥକ,ଘଟଣାକୁ ନେଇ ବିଭିନ୍ନ ମହଲରୁ ତିବ୍ର ନିନ୍ଦା।

784

କଟକ(ଉତ୍କଳ ନିଉଜ)୦୩/୦୩/୨୦୨୨ : ନିର୍ବାଚନ ସରିଲା ପରେ ବିଜୟୀ ପ୍ରାର୍ଥିମାନେ ନିଜ ନିଜର ସମର୍ଥକଙ୍କୁ ନେଇ ଯିଏ ଯେମିତି ପାରିଲା ବିଜୟ ଉତ୍ସବ ପାଳନ କଲା । କିଏ ଶୋଭାଯାତ୍ରା କରି ତ ଆଉ କିଏ ପଦଯାତ୍ରା କରି ଘରକୁ ଘର ବୁଲି ଭୋଟରଙ୍କ ଆଶିର୍ବାଦ ଭିକ୍ଷା କଲେ । ଆଉ କିଏ ମଦ ମାଂସ ଭୋଜି କରି ଉତ୍ସବ ମନାଇଲେ ତ ଆଉ କିଏ ମଠ, ମନ୍ଦିର ଓ ମସଜିଦ୍‌କୁ ଯାଇ ନିଜ ବିଜୟର ଶ୍ରେୟକୁ ସମର୍ପଣ କଲେ । ହେଲେ ଏମିତି ଏକ ନିଆରା କାଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ତାଙ୍କର ସମର୍ଥକମାନେ କ୍ଷୀରରେ ଗାଧୋଇ ଦେଉଥିବା ଦୃଶ୍ୟ ବାରି ହେଉଛି । ଖବର ନେବାରୁ ଜଣାଗଲା ଯେ ଉକ୍ତ ନେତା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତର ନବନିର୍ବାଚିତ ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ ।

ସେ ନିର୍ବାଚିତ ହେବାପରେ ନିଜ ସମର୍ଥକଙ୍କୁ ଧରି ପାଳିଆବିନ୍ଧାସ୍ଥିତ ମୁସଲିମ ବସ୍ତିକୁ ଯାଇଥିଲେ । ସେଠାରେ ତାଙ୍କୁ ଏପରି ବାଲତି ବାଲିତି କ୍ଷୀରରେ ଗାଧୋଇ ଦେଇଥିବା ଜଣାଯାଇଛି । ତେବେ ଏହି ଦୃଶ୍ୟକୁ ନେଇ ବିଭିନ୍ନ ମହଲରେ ନକରାତ୍ମକ ମନ୍ତବ୍ୟ ପ୍ରକାଶ ପାଉଛି । ହିନ୍ଦୁ ଧର୍ମରେ ଦେବାଦେବୀଙ୍କୁ କ୍ଷୀରରେ ସ୍ନାନ କରାଯାଉଥିବା ବେଳେ ଜଣେ ସାଧାରଣ ମଣିଷଙ୍କୁ ଏପରି କ୍ଷୀରସ୍ନାନ କରାଇବା ହିନ୍ଦୁ ଧର୍ମ ପ୍ରତି କୋଠାରଘାତ କରୁଥିବା ବେଶ ଚର୍ଚ୍ଚାକୁ ଆସୁଛି । ତେବେ ସମର୍ଥକଙ୍କ ପକ୍ଷରୁ ଏପରି ସ୍ନାନକୁ ନେତା ଜଣକ ବିରୋଧ କରିଥିଲେ ମଧ୍ୟ ବିଜୟର ଉତ୍ସାହ ଉଦ୍ଦିପନାକୁ ସେ ରୋକି ପାରିନଥିବା କହିଛନ୍ତି । ଏହି ଘଟଣା ଏବେ ରାଜନୈତିକ ମହଲରୁ ଆସି ଧାର୍ମିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |