ତିହିଡିରେ ୨୫ରେ ହେବ ୧୧ ବୁଥ୍‌ରେ ସାନି ମତଦାନ |

334

କଟକ(ଉତ୍କଳ ନିଉଜ)୨୨/୦୨/୨୨ : ଗତ ୨୦ ତାରିିଖ ପଞ୍ଚାୟତ ନିର୍ବାଚନ ବେଳେ ତିହିଡି ବ୍ଲକର ୧୧ଟି ବୁଥ୍‌ରେ ଯେଉଁପରି ନିର୍ବାଚନ ଆଇନ୍ ଉଲଙ୍ଘନ ହେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା, ଆଜି ସେ ଘଟଣାର ପରିଣାମ ଲୋକଲୋଚନକୁ ଆସିଛି । ତିହିଡି ବ୍ଲକର କୋହ୍ଲ, ଫତେପୁର ଓ ତଳଗୋପବିନ୍ଧା ପଞ୍ଚାୟତର ମୋଟ୍ ୧୧ଟି ବୁଥ୍‌ରେ ସାନି ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲୋକଙ୍କ ଭିତରେ ଭୋଟ ବିଭ୍ରାଟ ସମ୍ପର୍କିତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅବଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଇବା ହେଉଛି ସବୁଠୁ ଉଲ୍ଲେଖନୀୟ କଥା । ଜନମତ ସାବ୍ୟସ୍ଥରେ ବିଶୃଙ୍ଖଳା ଓ ନିର୍ବାଚନ ପ୍ରକ୍ରିୟା ବ୍ୟତିକ୍ରମ ହେଲେ ଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଏବଂ ବିଡିଓ, ତହସିଲଦାର, ଥାନାଧିକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ବାହିନୀ ଓ ଜିଲ୍ଲା ପ୍ରଶାସନଙ୍କ କାର୍ଯ୍ୟ ଦକ୍ଷତା ଉପରେ କଳାଦାଗ ଲାଗିଯାଏ । ପୂନଃନିର୍ବାଚନ ପାଇଁ ଯେଉଁ ରାଜସ୍ୱ ଖର୍ଚ୍ଚ ହୁଏ, ତାହା ରାଜ୍ୟର ଆର୍ଥିକ ବ୍ୟବସ୍ଥା ଉପରେ ଗଭୀର ଚାପ ପକାଏ । ଏଣୁ ବୁଥ୍ ଭିତରେ ଓ ବାହାରେ ନିର୍ବାଚନ ବେଳେ ଶୃଙ୍ଖଳା ରକ୍ଷା ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିବା ଯୋଗୁଁ ଆଜି ତିହିଡି ବ୍ଲକର ୧୧ଟି ବୁଥ୍‌ରେ ସାନି ମତଦାନ ପାଇଁ ନିଷ୍ପତି ନିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, କୋହ୍ଲ ପଞ୍ଚାୟତର ୪ ଓ ୫ ନମ୍ବର ବୁଥ୍ ବେଲଟ ପେପର ଫୋଲ୍ଡିଂରେ ବିବାଦ ଓ ପ୍ରିଜାଡିଂ ଅଫିସରଙ୍କ ସମେତ ପୁଲିଂ ପାର୍ଟକୁ ମାଡମାରି ଭୋଟ ବାକ୍ସ ଛଡାଇ ପୋଖରୀରେ ପିଙ୍ଗିବା ଭଳି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚିତ ଖରବ ହୋଇଛି । ସେହିପରି ଫତେପୁର ପଞ୍ଚାୟତର ବଡଗାଲୋ ଗାଁର ୪ ନମ୍ବର ବୁଥ୍‌ରେ ଜନୈକା ମହିଳା ଏକାଧିକ ଭୋଟ ଦେଉଥିବାର ଖବର ପ୍ରଚାରିତ ହୋଇଛି । ସେହି ପଞ୍ଚାୟତ ଅଧିନ ବାରିକବିନ୍ଧାରେ ୭ ଓ ୧୧ ନମ୍ବର ବୁଥ୍‌ରେ ବେଲଟ ପେପର ଫୋଲ୍ଡିଂରେ ବିବାଦ ଓ ରେଗିଂ ହୋଇଥିଲା ।

ସେହିପରି ତଳଗୋପବିନ୍ଧା ପଞ୍ଚାୟତର ୧, ୨, ୩, ୫, ୧୦ ଓ ୧୩ ନମ୍ବର ବୁଥ୍ ମୋଟ ୧୧ଟି ବୁଥ୍‌ରେ ସାନି ମତଦାନ ହେବ ବୋଲି ଜଣାଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ଏହିସବୁ ସ୍ଥାନରେ ଆସନ୍ତା ୨୫ ତାରିଖରେ କଡ୍ଡା ସୁରକ୍ଷା ମଧ୍ୟରେ ସାନି ମତଦାନ କରାଇବାକୁ ନିଷ୍ପତି ନେଇଥିବା ଜଣାଯାଇଛି । ତେବେ ନିର୍ବାଚନୀ ହିଂସାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବୁଥ୍‌ର ଦୁର୍ବୃର୍ତ୍ତ ଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |