ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଭୟଭିତ ଅଚକ ପଞ୍ଚାୟତବାସୀ, ବିଜେଡି ଓ ବିଜେପି ମଧ୍ୟରେ ମାରପିଟ୍‌, ଦୁଇଟି ମାମଲା ରୁଜୁ ।

312

କଟକ(ଉତ୍କଳ ନିଉଜ)୨୨/୦୨/୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ୨୦ ତାରିଖ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବୁଥ୍ ରେଗିଂ ଓ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ବିଶେଷକରି ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ଉଗ୍ରରୂପ ନେଇଥିବା ବେଳେ କେତେକ ସ୍ଥାନରେ ବିଜେଡି ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଏବେ ରାଜନୈତିକ ହିଂସାରେ ପରିଣତ ହେବାକୁ ଯାଉଛି । ନିର୍ବାଚନ ସରିବା ପରେ ଉଭୟ ଦଳର ପ୍ରାର୍ଥି ଓ ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍ ହେବାଭଳି ଅନେକ ମାମଲା ଥାନାକୁ ଆସିଛି । ବିଶେଷକରି ସର୍ବଦା ଚର୍ଚ୍ଚାରେ ରହୁଥିବା ଅଚକ ପଞ୍ଚାୟତରେ ମଧ୍ୟ ଏହି ସଂଘର୍ଷ ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଏକ ବଡ ଧରଣର ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖାଦେଇଛି । ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଲାଗି ରହିଥିବା କାଦୁଅ ଫିଙ୍ଗା ରାଜନୀତି ସଂପ୍ରତି ଉଗ୍ରରୂପ ନେଇଛି । ଯାହା ଫଳରେ ଏହି ପଞ୍ଚାୟତ ଅଧିନ ବରୁଣେଇ, ଉତ୍ତରବାହା ଓ ଅଚକ ଗ୍ରାମବାସୀ ଭୟର ବାତାବରଣ ମଧ୍ୟରେ ଗତି କରୁଛନ୍ତି । ଉଭୟ ଦଳର ତୁଙ୍ଗ ନେତା ନନ୍ଦପୁର ଓ ତିହିଡିରେ ରହୁଥିବାରୁ ଏହି ଗ୍ରାମବାସୀ ବଜାରକୁ ଆସିଲେ ମାଡ ଭୟ ମନରେ ଉଙ୍କି ମାରୁଥିବା ନେଇ ଦୁଇଦିନ ହେଲା ଗାଁ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ତେବେ ପୋଲିସ ଉଭୟ ପକ୍ଷଙ୍କ ଏତଲା କ୍ରମେ ଦୁଇଟି ମାମଲା ରୁଜୁ କରିଥିଲେ ମଧ୍ୟ କାହାରିକୁ ଗିରଫ୍ କରାଯାଇନଥିବାରୁ ଏତଲାକାରୀଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମୁତାବକ, ଏହି ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ୱାମୀ ଉତ୍ତରବାହା ଗ୍ରାମର ପ୍ରଶାନ୍ତ କୁମାର ସାହାଣି ନନ୍ଦପୁର ବଜାରରେ ଥିବା ନିଜର ଦୋକାନକୁ ଆସୁଥିବା ବେଳେ ଅପରପକ୍ଷ ସରୋଜ ନାୟକଙ୍କ ସହ ୧୮ ଜଣ ସହଯୋଗି ଓ ଅନ୍ୟମାନେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ତାଙ୍କ ମୋବାଇଲ୍ ଫୋନ୍ ଓ ପକେଟରୁ ନଗଦ୍ ଟଙ୍କା ଲୁଟି ନେଇଥିବା ଦର୍ଶାଇଛନ୍ତି । ଆମ ବିରୋଧରେ ରାଜନୀତି କଲେ ଜୀବନରୁ ସଫା କରିଦେବକୁ ବୋଲି ଧମକ ଚମକ ଦେଇଥିବା ଏବଂ ବଜାରକୁ ଆସିଲେ ପରିଣତି ଭୟଙ୍କର ହେବ ବୋଲି ମଧ୍ୟ ତାଙ୍କୁ ଚେତାବନି ଦିଆଯାଇଛି । ଶ୍ରୀ ସାହାଣି ଚଳି ନିର୍ବାଚନରେ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଥିବାରୁ ଅପରପକ୍ଷ ତାଙ୍କୁ ଏପରି ଆକ୍ରମଣ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି ଅପରପକ୍ଷରୁ ବରୁଣେଇ ଗ୍ରାମର ସତ୍ୟରଞ୍ଜନ ମଲ୍ଲିକ ଓ ଉତ୍ତମ ମଲ୍ଲିକ ଦୁଇଟି ପୃଥକ୍ ଅଭିଯୋଗ କରିଛନ୍ତି ।

ବରୁଣେଇ ଗାଁରୁ ବିଜେଡି ସପକ୍ଷରେ କମ ଭୋଟ ମିଳିଥିବାରୁ ଉତ୍ତେଜିତ ହୋଇ ଅପରପକ୍ଷର ଗଣେଶ ବିଶ୍ୱାଳଙ୍କ ସମେତ ୪ ସହଯୋଗିଙ୍କ ସହ ଅନ୍ୟମାନେ ଏକଜୁଟ୍ ହୋଇ ଏହି ପକ୍ଷଙ୍କୁ ଗାଳି ଗୁଲଚ କରିଥିଲେ । ଶହେରୁ ଉର୍ଦ୍ଧ ଯୁବକ ବାଡିଠେଙ୍ଗା ଧରି ଗାଁରେ ପଶି ଗାଳି ଦେବା ସହ ଧମକ ଚମକ ଦେଇଥିଲେ । ଏପରିକି ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଚ କରିଥିଲେ । ଖୋଦ୍ ଶ୍ରୀ ବିଶ୍ୱାଳ ମୋବାଇଲରେ ଧମକ ଚମକ ଦେଇ ଉତ୍ତରବାହା ଗ୍ରାମଦେଇ ଆସିଲେ ପରିସ୍ଥିତି ଭୟଙ୍କର ହେବବୋଲି କହିଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୨ଟି ମାମଲା ରୁଜୁ କରିବା ସହ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି । ଅନ୍ୟପଟେ ଉଭୟ ଗୋଷ୍ଠିର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଆଜି ମଧ୍ୟ ଉଭୟ ପକ୍ଷରୁ ବହୁ ଲୋକ ବାଡି ଠେଙ୍ଗା ଧରି ହିଂସାକାଣ୍ଡ ଭିଆଇବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ଖବର ପାଇ ପୋଲିସ ସ୍ଥଳରେ ପହଁଞ୍ôଚବା ବେଳକୁ ସେମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |