ଖଦାଳପୋଖରୀରେ ରାଜନୈତିକ ହିଂସା, ୧୪ ଆହତ, ୭ ଗୁରୁତର |

395

କଟକ(ଉତ୍କଳ ନିଉଜ)୧୯/୦୨/୨୦୨୨ : ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ଡିଙ୍ଗିରା ପିଟୁଛି । ଏଥିପାଇଁ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । କେମିତି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମ୍ପୂର୍ଣ୍ଣ କରାଯିବ ସେଥିନେଇ ଚାଲିଛି ଆଲୋଚନା ଆଉ ପର୍ଯ୍ୟାଲୋଚନା । ତେବେ କେଉଁଠି ନା କେଉଁଠି ପ୍ରଶାସନର ଆକଳନ ଫେଲ ମାରୁଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବାଂଶଡା ଥାନାଧିନ ହଳଦିଆ ଗାଁର ମତଦାନ କେନ୍ଦ୍ରରେ ଏକ ବଡ ଧରଣର ଗଣ୍ଡଗୋଳ ଦେଖା ଦେଇଥିବା ବେଳେ ପୂନର୍ବାର ଶନିବାର ଖଦାଳପୋଖରୀ ଗାଁରେ ନିର୍ବାଚନୀ ପରପର୍ତ୍ତୀ ହିଂସା ଦେଖା ଦେଇଛି । ରାଜନୈତିକ ଶତୃତାକୁ କେନ୍ଦ୍ରକରି ଏହି ଗାଁର ଉଭୟ ବିଜେପି ଓ ବିଜେଡି ସମର୍ଥିତ ଗୋଷ୍ଠିଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଛି । ବିଭିନ୍ନ ମାରଣାସ୍ତ୍ର ଜରିଆରେ ହିଂସ୍ର ତଥା ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଉଭୟ ପକ୍ଷରୁ ୨୧ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ନିର୍ବାଚନ ଦିନ କେତେକ ମତଦାନରୁ ବଞ୍ôଚତ ହୋଇଥିବା ଘଟଣାକୁ କେନ୍ଦ୍ରକରି ଏପରି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଉଭୟ ଗୋଷ୍ଠି ମଧ୍ୟରେ ଲାଗି ରହିଥିବା ରାଜନୈତିକ ଶତୃତା ଉଗ୍ରରୂପ ନେଇଥିବା ଜଣାଯାଇଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୩.୩୦ ଘଟିକାରେ କୌଣସି କାରଣରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଗୋଟିଏ ଗୋଷ୍ଠି ଅନ୍ୟ ଏକ ଗୋଷ୍ଠିର ଜଣେ ବ୍ୟକ୍ତିଙ୍କ ବାଇକ୍ ଭଙ୍ଗାରୁଜା କରିବା ପରେ ଅପରପକ୍ଷ ମିଳିତ ଭାବେ ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି । ଏହି ଗଣ୍ଡଗୋଳରେ ଘରଦ୍ୱାର ଭଙ୍ଗାରୁଜା ସହିତ ଘରର ସାମଗ୍ରୀ ଫିଙ୍ଗି ଦିଆଯାଇଥିବା ମଧ୍ୟ କୁହାଯାଉଛି ।

ତେବେ ଗଣ୍ଡଗୋଳ ମଧ୍ୟରେ କିଏ କାହାକୁ କେମିତି ଆକ୍ରମଣ କଲା ସେଇଟା ଜାଣିବା ପୂର୍ବରୁ ଉଭୟ ଗୋଷ୍ଟିରୁ ବହୁ ପୁରୁଷ, ମହିଳା ଏପରିକି ବାଳୁତ ମଧ୍ୟ ଆକ୍ରମଣରୁ ବାଦ୍ ପଡିନଥିଲେ । ପରିସ୍ଥିତି ଏମିତି ହେଲା ଯେ ବାହାର ଗାଁ ଲୋକେ ଯାଇ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ । ସେଠାରେ ଆଶୁଃ ଚିକିତ୍ସା ପରେ ଗୁରୁତର ଆହତ ହୋଇଥିବା ୭ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଗୋଟିଏ ଗୋଷ୍ଠିରେ ବାସୁଦେବ ଘଡେଇ, ପୁରୋସ୍ତମ ବାରିକ, ଅଭିମନ୍ୟୁ ବାରିକ, ଲକ୍ଷ୍ମୀଧର ବାରିକ, ମିନତୀ ବାରିକ, କାହ୍ନୁ ବାରିକ, ସୁକାନ୍ତ ବାରିକ, ମାନା ଘଡେଇ, କମଳା ବାରିକ, ଧନେଶ୍ୱର ବାରିକ, ମୁକୁନ୍ଦ ବାରିକ ଓ ଶ୍ରୀଧର ବଳ ପ୍ରମୁଖ ୧୨ ଜଣ ଏବଂ ଅନ୍ୟ ଏକ ଗୋଷ୍ଠିରେ ଜିତେନ୍ ନାୟକ, ଭାରତୀ ନାୟକ, ନିଗମ ନାୟକ, ଚଞ୍ଚଳା ନାୟକ, ଅନୁସୟା ନାୟକ, ଚକ୍ରଧର ନାୟକ, ନନ୍ଦକିଶୋର ନାୟକ, ଦିପା ନାୟକ ଓ ସରୋଜ ନାୟକ ପ୍ରମୁଖ ୯ ଜଣ ଆକ୍ରମଣର ଶିକାର ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାଟି ସମଗ୍ର ଜିଲ୍ଲାରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସ କି ପ୍ରକାର ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |