ସାତପାଳିରେ ପରାସ୍ତ ହୋଇ ବି ହାର ମାନି ନାହାଁନ୍ତି ଅଶ୍ୱନୀ |

243

କଟକ(ଉତ୍କଳ ନିଉଜ)୧୮/୦୨/୨୦୨୨ : ଥରେ ନୁହେଁ କି ଦୁଇଥର ନୁହେଁ ୱାର୍ଡ ସଭ୍ୟ ପ୍ରାର୍ଥିଭାବେ ପ୍ରତିଦ୍ୱନ୍ଦିତା କରି ସାତ ସାତଥର ପରାଜିତ ହୋଇଛନ୍ତି । ତଥାପି ପ୍ରତିଦ୍ୱନ୍ଦିତା କରିବାର ମୋହ ତାଙ୍କୁ ପଛକୁ ବାଟ ନକଢାଇ ବିଜୟୀ ହେବାପାଇଁ ପ୍ରେରଣା ଯୋଗାଇଥିବା ସେ ଅନୁଭବ କରନ୍ତି । ଚଳିତ ନିର୍ବାଚନରେ ମଧ୍ୟ ଅଷ୍ଟମ ଥରପାଇଁ ସେ ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ହାରିବାର ଭୟ ନାହିଁ କି ଜିତିବାର ଲୋଭ ନାହିଁ କେବଳ ଜଣେ ନାଗରିକ ଭାବେ ନିର୍ବାଚନରେ ଭାଗନେଇ ଲୋକଙ୍କୁ ସେବା ଯୋଗାଇ ଦେବା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ନିଜ ସାଇକେଲକୁ ସେ ପ୍ରଚାର ରଥ କରିଛନ୍ତି । ସାଇକେଲରେ ପୋଷ୍ଟର ବେନର ଲଗାଇ ଝୁଲା ଧୂପ ଦିଆସିଲ୍ ଭରି ଘରକୁ ଘର ବୁଲି ତାଙ୍କ ଚିହ୍ନ ସଗଡଗାଡିରେ ଭୋଟ ଦେବାକୁ ନିବେଦନ କରୁଛନ୍ତି ।

ଏପରିି ନିଆରା ଢଙ୍ଗରେ ନିର୍ବାଚନୀ ପ୍ରଚାର କରୁଥିବା ୱାର୍ଡ ସଭ୍ୟ ପ୍ରାର୍ଥି ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟ ଅଧିନ ୧୮ ନମ୍ବର ୱାର୍ଡ ବାସିନ୍ଦା ଅଶ୍ୱନୀ କୁମାର ସେଠୀ । ପ୍ରଚାର ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ନିଜ ୱାର୍ଡରେ ଦିନକ ଦୁଇଥର ସେହି ସାଇକେଲ ଧରି ୱାର୍ଡବାସୀଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି । ଦେଖାଯାଉ, ଏଥର ଭୋଟର ଜନାର୍ଦ୍ଦନଙ୍କ କରୁଣା ଦୃଷ୍ଟି ତାଙ୍କ ଉପରେ ପଡୁଛି କି ନାହିଁ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |