ନିର୍ବାଚନୀ ମାହୋଲରେ ପାଇଖାନା ଦୂର୍ନୀତିର ଗନ୍ଧ ଆଣିଲା ବିଜେପି |

380

କଟକ(ଉତ୍କଳ ନିଉଜ )୧୨/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତରେ ସଂପ୍ରତି ନିର୍ବାଚନୀ ମାହୋଲ ସରଗରମ ଥିବାବେଳେ ବିରୋଧି ବିଜେପି ପାଇଖାନା ନିର୍ମାଣରେ ହୋଇଥିବା ଦୂର୍ନୀତିକୁ ପ୍ରସଙ୍ଗ କରିଛି । କ୍ଷମତାରେ ଥାଇ ସରପଞ୍ଚ ଏହି ପଞ୍ଚାୟତର ବିଭିନ୍ନ ହିତାଧିକାରୀଙ୍କ ନାଆଁରେ ଆସିଥିବା ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ନକରି ଅର୍ଥ ହଡପ କରିଥିବା ଅଭିଯୋଗ ଆଣିଛି । ସୂଚନା ଅଧିକାର ଆଇନ୍ ବଳରେ ସେମାନଙ୍କର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାଇ ୨୦୧୭-୧୮ ଆର୍ଥିକ ବର୍ଷରେ ରେ ୨୨୯, ୨୦୧୮-୧୯ରେ ୫୦୩ ଓ ୨୦୧୯-୨୦ରେ ୫୭୩ ହିତାଧିକାରୀଙ୍କୁ ପାଇଖାନା ମିଳିଥିବା ବେଳେ ଶତାଧିକ ହିତାଧିକାରୀଙ୍କର ତଥ୍ୟ ମିଳିନଥିବା ସୂଚନା ମିଳିଛି । ଏତତ୍ ବ୍ୟତିତ ୨୦୨୦-୨୧ରେ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ମିଳୁନଥିବା ଜଣାଯାଇଛି । ଏହାକୁ ମୁଦ୍ଦା କରି ଶନିବାର ହିତାଧିକାରୀଙ୍କ ସହ ବିଜେପି ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯିବା ସହ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥି ସନାତନ ମିଶ୍ରଙ୍କ ସମେତ ଜଗଦୀଶ ବଳ, ଜୟବାଙ୍ଗଲା ବେହେରା, ଅର୍ଜୁନ ସେନାପତି, ଟୁକୁନା ବଳ, ସନାତନ ଦାସ, ଜୟନ୍ତୀ ରାଉତ, ଜେମାମଣି ରାଉତ, ମୁରଲୀଧର ବଳ, ଭାଗବତ ବେହେରା, ଭୀମସେନ ରାଉତ, ଶତୃଘ୍ନ ରାଉତ, ଟିକିଲି ଜେନା, ବାବାଜୀ ଜେନା, ଶରତ ସାହୁ, ଉଦିଆ ବେହେରା, ବିଜୟ ବେହେରା, ଉମାକାନ୍ତ ବେହେରା ପ୍ରମୁଖ ଏପରି ଅଭିଯୋଗ ଆଣିଛନ୍ତି । ଏହି ଦୂର୍ନୀତିରେ ସରପଞ୍ଚଙ୍କ ସମେତ ବହୁ ଛାମୁଆ ନେତା ସାମିଲ ଥିବା ସେମାନେ ବଖାଣିଛନ୍ତି । ନିର୍ବାଚନୀ ମାହୋଲରେ ଏପରି ପ୍ରସଙ୍ଗ ଦୌଲତପୁର ରାଜନୀତି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ଏ ସମ୍ପର୍କରେ ସରପଞ୍ଚ ସୁବାଶିନୀ ନାୟକଙ୍କୁ ପଚାରିବାରୁ ତାଙ୍କୁ ରାଜନୈତିକ ହୀନ ଚକ୍ରାନ୍ତରେ ଫସେଇ ଦେବାକୁ ଉଦ୍ୟମ କରାଯାଉଛି ଏବଂ ଏହା ସମ୍ପୂର୍ଣ୍ଣ କପୋଳ କଳ୍ପିତ ଓ ଭିତ୍ତିହୀନ ବୋଲି କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।