ଦିଅର ଭାଉଜଙ୍କ ବିଜୟ ପାଇଁ ମହରମପୁରକୁ ବିଷ୍ଣୁଙ୍କ ଆଗମନ |

488

କଟକ(ଉତ୍କଳ ନିଉଜ)୦୮/୦୨/୨୦୨୨ : ମହରମପୁର ପଞ୍ଚାୟତ ରାଜନୀତି ଏବେ ହଟଚମଟ ସୃଷ୍ଟି କରୁଛି । ଏହି ପଞ୍ଚାୟତରେ ସରପଞ୍ଚ ସମିତି ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥି ନାମାଙ୍କନ କରିଥିବା ବେଳେ ଏବେ ମୈଦାନରେ ଅଛନ୍ତି ୬ ଜଣ ଲେଖାଏଁ । ଗତ ନିର୍ବାଚନରେ ବିଜେପି ଏହି ପଞ୍ଚାୟତକୁ ଦଖଲରେ ରଖିଥିବା ବେଳେ ଚଳିତ ନିର୍ବାଚନରେ ପୂନଶ୍ଚ ଅକ୍ତିଆର କରିବା ଲାଗି ଅଣ୍ଟା ଭିଡିଛି । ବିଜେଡି ପଞ୍ଚାୟତ ଦଖଲ କରିବାକୁ ସଜବାଜ ହେଉଥିବା ବେଳେ ଦଳୀୟ କନ୍ଦଳ ଅଡୁଆରେ ପକାଇଛି । ବିଜେଡି ସମର୍ଥିତ ପ୍ରାର୍ଥିକୁ ବିରୋଧ କରି ବିଦ୍ରୋହୀ ଗୋଷ୍ଠି ଦବଦବା ଜାହିର କରୁଛି । ସମର୍ଥକମାନଙ୍କୁ ନେଇ ଉଭୟ ବିଜେପି ଓ ବିଜେଡି ବିରୋଧିରେ ଯୁଦ୍ଧଂଦେହି ଡାକରା ଦେଉଛି । ସେପଟେ ବିଜେପି ସମର୍ଥିତ ଦାବିକରି ଦୁଇଜଣ ପ୍ରାର୍ଥି ମଧ୍ୟ ମୈଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଗତ ନିର୍ବାଚନରେ ସରପଞ୍ଚ ଭାବେ ଜିତିଥିବା ଅଲୀଳପ୍ରଭା ରାଉଳ ଏବଂ ତାଙ୍କ ଦିଅର ଶଶାଙ୍କ ଶେଖର ରାଉଳ ବିଜେପି ସମର୍ଥିତ ଯଥାକ୍ରମେ ସମିତି ସଭ୍ୟା ଓ ସରପଞ୍ଚ ପ୍ରାର୍ଥି ଦାବିକରି ମୈଦାନରେ ଉଭା ହୋଇଛନ୍ତି । ଅନ୍ୟପଟେ ବିଜେପିର ବରିଷ୍ଠ ନେତା କରୁଣାକର ମଳିକ ମଧ୍ୟ ଦଳୀୟ କାର୍ଯ୍ୟାଳୟ ଖୋଲିବା ସହ ନିଜକୁ ସମର୍ଥିତ ପ୍ରାର୍ଥି କହି ପ୍ରଚାରରେ କର୍ମୀଙ୍କୁ ଆକୃଷ୍ଠ କରୁଛନ୍ତି । ତେବେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥିମାନଙ୍କର କ୍ୟାମ୍ପନିଂ ଓ ପ୍ରଚାର ମଧ୍ୟ ସେତିକି ସରଗରମ ହେଉଛି । ଏହି ପ୍ରଚାର ପ୍ରସାରରେ ଦିଅର ଭାଉଜଙ୍କ ଯୋଡିକୁ ନେଇ ବେଶ ଚର୍ଚ୍ଚା ଚାଲୁଛି ।

ବିଜେପି ପରି ଏକ ରାଷ୍ଟ୍ରିୟ ଦଳରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ କିପରି ପ୍ରାର୍ଥି କରାଗଲା ବୋଲି ବହୁ ଦଳୀୟ କର୍ମୀ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି । କେବଳ ପ୍ରଶ୍ନ ପଚାରି ନାହାଁନ୍ତି ବରଂ କ୍ଷମତାରେ ଥିବା ସମୟରେ ନିଜ ସ୍ୱାର୍ଥ ଲୋଭରେ ଦଳୀୟ ସ୍ୱାର୍ଥକୁ ଭୁଲିଯାଇ ସମସ୍ତ କର୍ମୀଙ୍କୁ ଜଳାଞ୍ଜଳୀ ଦେଇଛନ୍ତି । ପ୍ରଚାର ମୈଦାନରେ ବିନା ସମର୍ଥକରେ ଏହି ଯୋଡି ଘରଘର ବୁଲୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ଦଳୀୟ ଭିତ୍ତିରେ ବିରୋଧ ମଧ୍ୟ କରାଯାଉଛି । କେତେକ ୱାର୍ଡରେ ଏହି ପ୍ରାର୍ଥିଙ୍କୁ ବିରୋଧ କରି ମେଳି ମଧ୍ୟ ବସିଲାଣି । ତେବେ ଏପରିସ୍ଥିତିରେ ନିର୍ବାଚନ ବୈତରଣୀ କିପରି ପାର ହେବ ସେନେଇ ବିଷ୍ଣୁଙ୍କ ଆଗମନ ହୋଇଛି ଏବଂ ଏକ ଦଳୀୟ ବୈଠକ ଜରିଆରେ କର୍ମୀମାନଙ୍କ ମାନଭଞ୍ଜନ କରିବା ଲାଗି ଉଦ୍ୟମ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଝରଣା ଜେନାଙ୍କ ସମେତ ବ୍ଲକ ସ୍ତରୀୟ କେତେକ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ପାଠକମାନେ ଅଡୁଆରେ ପଡିଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିଷ୍ଣୁଙ୍କ ସମ୍ପର୍କରେ ସ୍ପଷ୍ଟ କରାଗଲା ଯେ, ସେ ହେଉଛନ୍ତି ଖୋଦ୍ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ । ବିଜେପି ଏହି ଗଡ ଜୟ କରିବା ଲାଗି ବିଭିନ୍ନ ପର୍ଯ୍ୟାୟରେ ବରିଷ୍ଟ ନେତାମାନଙ୍କର ଆଗମନ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି କରାଯାଇଛି । ତେବେ ଆଗାମି ଦିନରେ ସଂଗଠନକୁ କିପରି ସଜଡାଯିବ ସେନେଇ ଦିଅର ଭାଉଜ ବେଶ ଚିନ୍ତିତ ଥିବା ବେଶ ଚର୍ଚ୍ଚା ଚାଲିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |