ଦୌଲତପୁର ବିଜେପିକୁ ଶକ୍ତ ଝଟକା, ଦଳଛାଡି ବିକାଶ ମଞ୍ଚ ଶିବିରରେ ଯୋଗଦାନ କଲେ ମୃତ୍ୟୁଞ୍ଜୟ।

484

କଟକ(ଉତ୍କଳ ନିଉଜ )୦୬/୦୨/୨୦୨୨ : ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳଡିଆଁ ପର୍ବ ମଧ୍ୟ ସେହି ପରିମାଣରେ ଦେଖିବାକୁ ମିଳୁଛି । କିଏ ଦଳରେ ଅସନ୍ତୋଷ ପ୍ରକାଶ କରି ତ ଆଉ କିଏ ପ୍ରାର୍ଥି ହେବା ଆଶାରୁ ବଞ୍ôଚତ ହୋଇ ଘଡିସନ୍ଧି ମୂହୁର୍ତ୍ତରେ ଏପରି ଦଳ ଛାଡିବା ନିଷ୍ପତି ନେଉଛନ୍ତି । କେତେକ ଦଳରେ ଆମଦାନୀ ନେତାଙ୍କ ସହି ପାରୁନାହାଁନ୍ତି ପୁରୁଖା ନେତା ଓ କର୍ମୀମାନେ । ଏହି ଅସନ୍ତୋଷ କେତେକ ଜାଗାରେ ଭିତରେ ଭିତରେ କୋହଳୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତରେ ବିଷ୍ପୋରଣ ରୂପ ନେଇଛି । ପଞ୍ଚାୟତର ବିଜେପି ଦଳକୁ ଆଜି ଏକ ଶକ୍ତ ଝଟକା ଲାଗିଛି । ଦଳର ଟାଣୁଆ ସଂଗଠକ ତଥା ଗତ ପଞ୍ଚାୟତ ନିର୍ବାଚନରେ ନିଜ ପତ୍ନୀଙ୍କୁ ସରପଞ୍ଚ ଭାବେ ମୈଦାନରେ ଛିଡା କରାଇ ବିଜେଡିକୁ କଡ୍ଡା ଟକ୍କର ଦେଇଥିବା ମୃତ୍ୟୁଞ୍ଜୟ ନାରାୟଣ ବଳ ଦଳଛାଡି ବିଜେଡିର ଅନ୍ୟ ଏକ ଗୋଷ୍ଠି ଯାହା ବିକାଶ ମଞ୍ଚ ନାମରେ ନିର୍ବାଚନରେ ପ୍ରାର୍ଥି ଦେଇଛି ଉକ୍ତ ଶିବିରରେ ଯୋଗ ଦେଇଛନ୍ତି । ରବିବାର ସଂଧ୍ୟାରେ ଦୌଲତପୁର ବାସନ୍ତୀ ପଡିଆରେ ଏକ ସମ୍ବାଦଦାତା ସମ୍ମିଳନୀରେ ଏହା ସ୍ପଷ୍ଟ କରାଯାଇଛି । ବିଜେଡିର ବରିଷ୍ଠ ନେତା ହିମାଦ୍ରୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ ଯୁବ ସଂଗଠକ ଅଜୟ ରାଉତଙ୍କ ନେତୃତ୍ୱରେ ଦଳୀୟ ସମର୍ଥିତ ପ୍ରାର୍ଥି ଏବଂ ସମର୍ଥକ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୭ରୁ ୨୦୧୭ ମସିହା ପର୍ଯ୍ୟନ୍ତ ବିଜେପି ପଞ୍ଚାୟତକୁ ଦଖଲ କରିଥିଲା ଯାହାର ମୁଖ୍ୟ ପୁରୋଧା ଥିଲେ ମୃତ୍ୟୁଞ୍ଜୟ । ଏପରିକି ୨୦୧୭ ନିର୍ନାଚନରେ ମଧ୍ୟ ବିଜେପିକୁ ବିଜୟୀ କରି ପାରିନଥିଲେ ମଧ୍ୟ ଭୋଟ ହାର ବଳବତ୍ତର ରଖିବାରେ ସେ ସମର୍ଥ ହୋଇଥିଲେ ।

ସେ ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥିଭାବେ ଆଶାୟୀ ଥିଲେ । ମାତ୍ର ତାଙ୍କୁ ସୁଯୋଗ ନଦେଇ ଜଣେ ଆମଦାନୀ ନେତାଙ୍କୁ ପ୍ରାର୍ଥି କରାଯାଇଥିବାରୁ ସେ ନିରବ ହୋଇ ସୁଯୋଗକୁ ଅପେକ୍ଷା କରିଥିଲେ । ଦୂର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢୁଥିବା ବିକାଶ ମଞ୍ଚକୁ ଅସ୍ତ୍ରଭାବେ ପ୍ରୟୋଗ କରି ନିଜର ପତିଆରା ବଜାୟ ରଖିବା ସହ ବିଜେପି ସମର୍ଥିତ ପ୍ରାର୍ଥିଙ୍କୁ ଧୂଳି ଚଟେଇବା ଉଦ୍ଦେଶ୍ୟରେ ନିଜର ଶତାଧିକ ସମର୍ଥକଙ୍କ ସହ ସାମିଲ ହୋଇଥିବା ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ପଞ୍ଚାୟତର ବିଜେଡିର ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥିଙ୍କ ନାମ ଘୋଷଣା କରିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥି ଘୋଷଣା କରାଯାଇ ନାହିଁ । ତେବେ ଏହି ବିଜେଡି ନେତାଙ୍କ ପକ୍ଷରୁ ୨ୟ ପ୍ରାର୍ଥିଭାବେ ଲକ୍ଷ୍ମୀପ୍ରିୟା ନାୟକ ଓ ସମିତି ସଭ୍ୟା ପ୍ରାର୍ଥିଭାବେ ନନ୍ଦିନୀ ମିଶ୍ରଙ୍କୁ ଚୟନ କରାଯାଇଛି । ଏପରିସ୍ଥଳେ ବିଧାୟକ ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରଚାରରେ ନଆସିବାକୁ ଏହି ସମ୍ବାଦଦାତା ସମ୍ମିଳନୀ ଜରିଆରେ ବିକାଶ ମଞ୍ଚର ନେତୃତ୍ୱ ନେଇଥିବା ଶ୍ରୀ ରାଉତ ନିବେଦନ କରିଛନ୍ତି । ଏହି ମଞ୍ଚ ପକ୍ଷରୁ ଜିଲା ପରିଷଦ ପ୍ରାର୍ଥୀ ଅମୂଲ୍ୟ ମାଝୀଙ୍କୁ ବିପୁଳ ସମର୍ଥନ ଦିଆଯାଇ ବିଧାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ପଣ କରାଯାଇଥିବା କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ବଳ, ଶଶିକାନ୍ତ ନାୟକ, ପୀତାମ୍ବର ବେହେରା, ନରେନ୍ଦ୍ର ମିଶ୍ର, ସୁରେଶ ବିଶ୍ୱାଳ, ଝୁନୁ ଜେନା, ସକୁନ୍ତଳା ନାୟକ, ବସୁଧା ସାହୁ, ସୁଚିତ୍ରା ବଳ, ମୁକ୍ତିକାନ୍ତ ମହାନ୍ତି, ପ୍ରଫୁଲ ଦାସ, ପଞ୍ଚାନନ ବଳ, ସନାତନ ସାହୁ ଓ ଯଶୋବନ୍ତ ବଳ ପ୍ରମୁଖ ଉପସ୍ଥିତ ଥିଲେ । ତିହିଢିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |