ଫତେପୁରରେ ବିଜେଡି ଓ ବିଜେପି ସମର୍ଥିତଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍‌ |

212

କଟକ(ଉତ୍କଳ ନିଉଜ )୦୩/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁର ପଞ୍ଚାୟତ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଏହି ପଞ୍ଚାୟତରେ ଦୁଇ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଉଥିବାର ଦେଖାଦେଇଛି । ଏହି ପଞ୍ଚାୟତରୁ ଯେଉଁ ଦୁଇ ପ୍ରାର୍ଥି ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି ଉଭୟଙ୍କର ରାଜନୀତିରେ ବେଶ ଦବଦବା ରହିଛି । ଏମାନଙ୍କ ମଧ୍ୟରୁ ଜଣେ ରାଜନୀତିରେ ପ୍ରବୀଣ ଓ ଅନ୍ୟଜଣେ ନବୀନ ହେଲେ ମଧ୍ୟ ସାଂଗଠାନିକ ଏବଂ ବ୍ଲକ ସ୍ତରୀୟ ନେତୃତ୍ୱ ନେବାରେ ମାହିର । ବ୍ଲକରେ ଉଭୟଙ୍କର ବେଶ ଲୋକପ୍ରିୟତା ରହିଛି । ପଞ୍ଚାୟତକୁ କିଏ କେମିତି ଦଖଲ କରିବାକୁ ନେଇ ଚାଲିଛି ରାଜନୈତିକ ରଣକୌଶଳ ଓ ଗୋଟିଚାଳନା । ନଗଗଠିତ ଏହି ପଞ୍ଚାୟତକୁ ପ୍ରଥମ ପାଳିରେ ଉଭୟ ସରପଞ୍ଚ ଓ ସମିତି ସହ ବିଜେପି ଅକ୍ତିଆର କରିଥିଲା । ଚଳିତ ନିର୍ବାଚନରେ ପୁଣି ଥରେ ନିଜର ଅକ୍ତିଆରକୁ ନେବାପାଇଁ ଯୁବନେତା ତଥା ମଣ୍ଡଳ ସଭାପତି ପ୍ରଦୀପ ବଳଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ସେହିପରି ପଞ୍ଚାୟତ କ୍ଷମତାରୁ ଦୂରରେ ଥିବା ବିଜେଡି କଳେବଳେ କୌଶଳେ ପଞ୍ଚାୟତ ଦଖଲ କରିବାକୁ ପ୍ରୟାସ ଜାରି ରଖିଛି । ସେଥିପାଇଁ ଦଳର ବରିଷ୍ଠ ତଥା ଅଭିଜ୍ଞ ରାଜନେତା ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ଉଭୟ ନେତାଙ୍କ ହାର-ଜିତ୍ କେବଳ ତାଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବରଂ ଏହା ଉଭୟ ଦଳୟ ସମ୍ମାନ ଉପରେ ଆଞ୍ଚ ଆଣିବାର ସମ୍ଭାବନା ସୃଷ୍ଟି କରିଛି । ପ୍ରଚାର ସମୟରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥି ସୁରେନ୍ଦ୍ର ନାୟକ ଓ ସମିତି ସଭ୍ୟା ପ୍ରାର୍ଥି ମଧୁସ୍ମିତା ନାୟକ ଏବଂ ସମର୍ଥକ ଛନ୍ଦାଚରଣ ନାୟକ, ଉମାକାନ୍ତ ସେଠୀ, ବୁଧିରାମ ଜେନା, ସଂଗୀତା ନାୟକ, ଅନିତା ବେହେରା, କବିତା ଦାସ, ଅନିଲ ଦାସ, ସମ୍ବିତ ପରିଡା, ଦେବାଶିଶ ମହାପାତ୍ର, ଗଙ୍ଗାଧର ଦାସ, ଶ୍ରୀଧର ବାରିକ, ପ୍ୟାରିମୋହନ ସାବତ, ବିବେକାନନ୍ଦ ନାୟକ ପ୍ରମୁଖ ସାମିଲ ହୋଇ ବିଗତ ଦିନମାନଙ୍କରେ ପଞ୍ଚାୟତରେ ସେମିତି କିଛି ବିକାଶ ହୋଇନଥିବା ବେଳେ ପାନୀୟ ଜଳ ପ୍ରକଳ୍ପ, ଅଙ୍ଗନୱାଡି ଗୃହ ନିର୍ମାଣ ଆଦି ବହୁ ଉନ୍ନୟନ କାର୍ଯ୍ୟ ଯାହା ଶାସକ ବିଜେଡି ପକ୍ଷରୁ ହାତକୁ ନିଆଯାଇଥିଲା ସେଗୁଡିକୁ ମାଲିମୋକଦ୍ଦମାରେ ଛନ୍ଦିଦେଇ ଲୋକଙ୍କ ସ୍ୱାର୍ଥ ବିରୋଧି ହୋଇଥିବା ମୁଦ୍ଦା କରିଛି ।

ଏଥର କ୍ଷମତାକୁ ଆସିଲେ ମାଆ ଭଉଣୀଙ୍କ ହାଣ୍ଡିଶାଳକୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସହିତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥି ପ୍ରଦୀପ ବଳ ଓ ସମିତି ସଭ୍ୟା ପ୍ରାର୍ଥି ଝୁନୁଲତା ଦାସ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସରପଞ୍ଚ ଝରଣା ଜେନା, ସମର୍ଥକ ପଞ୍ଚାୟତ ସଭାପତି ପ୍ରଭାତ ବାରିକ, ପ୍ରଫୁଲ ମହାପାତ୍ର ଦୋଳଗୋବିନ୍ଦ ଜେନା, ସୁବାଶ ଚନ୍ଦ୍ର ଜେନା, ପ୍ରଦୀପ ଭୋଇ, ରଞ୍ଜନ ଭୋଇ, ସୁଶିଲ ଓଝା, ଅନନ୍ତ ନାୟକ, ରବିନ୍ଦ୍ର ଜେନା, ପ୍ରଶାନ୍ତ ବାରିକ ଓ ଉମାକାନ୍ତ ବଳ ପ୍ରମୁଖ ପ୍ରଚାରରେ ସାମିଲ ହୋଇ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ପୁଣି ଥରେ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ଆଶର୍ବାଦ କରିବାକୁ ନିବେଦନ କରିଥିଲେ । ବିଶେଷକରି ପରିବାରବାଦ ରାଜନୀତିରେ ବିଶ୍ୱାସ କରି କ୍ଷମତାକୁ ଯେନତେନ ପ୍ରକାରେଣ ଦଶନ୍ଧି ଧରି କରାୟତ କରି ରଖିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟାଖ୍ୟାନ କରିବା କରି ଏକ ସ୍ୱଚ୍ଛ ନିର୍ମଳ ଶାସନ ପାଇଁ ଅଣ୍ଟା ଭିଡିବା ଲାଗି ଆହ୍ୱନ ଦେଇଛନ୍ତି । ତେବେ ଉଭୟ ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ ଲାଗିଥିବା ପ୍ରତିଯୋଗିତାର ଅନ୍ତ କିପରି ହେଉଛି ଏବଂ କାହାକୁ ଜନ ସମର୍ଥନ ମିଳୁଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |