ମାମିନା ଚିତ୍ତରଞ୍ଜନଙ୍କ ଯୋଡିକୁ ନେଇ ସରଗରମ ଜାମଯୋଡି ରାଜନୀତି |

482

କଟକ(ଉତ୍କଳ ନିଉଜ )୦୨/୦୨/୨୦୧୨ : ରାଜନୀତି ମୈଦାନରେ କେଉଁଠି ଗୋଟିଏ ପରିବାରର ଏକାଧିକ ସଦସ୍ୟ ପ୍ରାର୍ଥି ହୋଇଥିବା ନଜିର ରହିଥିବା ବେଳେ ଆଉ କେଉଁଠି ଦିଅର ଭାଉଜ, ଭାଇଭାଇ ନିର୍ବାଚନ ଲଢୁଥିବା ଆମେ ଦେଖିବାକୁ ପାଇଛୁ । ହେଲେ ସ୍ୱାମୀ ସ୍ତ୍ରୀ ଉଭୟ ଗୋଟିଏ ପଞ୍ଚାୟତରୁ ପ୍ରାର୍ଥି ହୋଇ ନିର୍ବାଚନ ଲଢିବା ଘଟଣା ଟିକିଏ ନିଆରା । ଏହିପରି ନିଆରା ପ୍ରାର୍ଥିତ୍ୱ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଜାମଯୋଡି ପଞ୍ଚାୟତରେ । ପେଷା ନୁହେଁ ବରଂ ସେବା କରିବାର ନିଶାରେ ରାଜନୀତି ମୈଦାନକୁ ଉହ୍ଲାଇ ଆସିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ । ଅନ୍ୟମାନଙ୍କ ପରି ପ୍ରାର୍ଥିହୋଇ ନିର୍ବାଚନ ମୈଦାନକୁ ଆସିଛନ୍ତି ସତ ହେଲେ କୌଣସି ଦଳୀୟ ସମର୍ôଥତ ପ୍ରାର୍ଥିଭାବେ ନୁହେଁ ବରଂ ସ୍ୱାଧିନ ଭାବେ ଏହି ଦୁଇ ପ୍ରାର୍ଥି ପଞ୍ଚାୟତବାସୀଙ୍କ ଆଶିର୍ବାଦ ନେବାକୁ ସଜବାଜ ହୋଇଛନ୍ତି । ଏହି ସସ୍ତ୍ରିକ ହେଲେ ସରପଞ୍ଚ ପ୍ରାର୍ଥି ଚିତ୍ତରଞ୍ଜନ ମଲ୍ଲିକ ଓ ସମିତି ସଭ୍ୟା ପ୍ରାର୍ଥି ମାମିଲା ଲେଙ୍କା । ଉଭୟ ସ୍ୱାମୀ ସ୍ତ୍ରୀ ପଞ୍ଚାୟତବାସୀଙ୍କ ନିକଟରେ ବେଶ ପରିଚିତ ଚେହେରା । ସମସ୍ତଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନେ କ୍ଷମତାରେ ନଥାଇ ମଧ୍ୟ ନିଜ ସାମର୍ଥ୍ୟମତେ ସେବା କରିଆସୁଛନ୍ତି ।

ଲୋକଙ୍କର ଭଲ ପାଇବା ସେମାନଙ୍କୁ ଏହି ମୈଦାନକୁ ଟାଣିଆଣିଛି । ଗତ ନିର୍ବାଚନରେ ମାମିନା ବିଜେଡି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢି ଖୁବ୍ କମ୍ ଭୋଟ ବ୍ୟବଧାନରେ ପରାଜୟ ସ୍ୱିକାର କରିଥିଲେ । ଆଶାଥିଲା ଚଳିତ ନିର୍ବାଚନରେ ଦଳୀୟ ସରପଞ୍ଚ ପ୍ରାର୍ଥିଭାବେ ଲୋକଙ୍କ ସେବା କରିବାର ସୁଯୋଗ ମିଳିବ । ହେଲେ ଦଳ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ବାଧ୍ୟ ହୋଇ ପ୍ରାର୍ଥି ହୋଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାର୍ଥି ହେବାର ଗୋଟିଏ ଉଦ୍ଦେଶ୍ୟ ଯେଉଁମାନେ ତାଙ୍କ ଭଲପାଇ ସମର୍ଥନ କରିବେ ସେମାନେ ଉଭୟ ପଦବୀ ପାଇଁ ମତଦାନ କରିବେ । ଏଥିପାଇଁ ସେମାନେ ନିର୍ବାଚନୀ ଶ୍ୱେତପତ୍ର ମଧ୍ୟ ଜାରି କରିଛନ୍ତି । ଏହି ଶ୍ୱେତପତ୍ରରେ ସେମାନେ ବିଜୟୀ ହେଲେ ମହିଳାମାନଙ୍କୁ ରୋଜଗାର ପାଇଁ ସୁଯୋଗ ସୃଷ୍ଟି କରାଇବା ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ଜରିଆରେ ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା,

ପଞ୍ଚାୟତରେ କୌଣସି କାମ ପାଇଁ ସାଧାରଣ ଲୋକଙ୍କ ଠାରୁ ଟଙ୍କାଟିଏ ବି ଲାଞ୍ଚ ନନେଇ ସେବା ଯୋଗାଇବା, ପଞ୍ଚାୟତରେ ସୈରାତ ନିଲାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ସୁଯୋଗ ଦିଆଯାଇ ରୋଜଗାର ସୃଷ୍ଟି କରିବା ଆଦି ପ୍ରତିଶୃତି ଜାରି କରିଛନ୍ତି । ଏଥିସହ ପଞ୍ଚାୟତରେ ବିଗତ ଦିନରେ ହୋଇଥିବା ବିଭିନ୍ନ ଦୂର୍ନୀତିର ପଦ୍ଦାଫାସ କରିବା ସହ ଏକ ସ୍ୱଚ୍ଛ ଓ ନିର୍ମଳ ପଞ୍ଚାୟତ ଗଠନ କରିବା ସେମାନଙ୍କର ପ୍ରାଥମିକତା ହେବ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |