ମଙ୍ଗଳପୁରରେ ବିଜେଡିର ପ୍ରଚାର ଶୁଭାରମ୍ଭ, ସରପଞ୍ଚଙ୍କ ବହିଷ୍କାର ଓ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ମୁଖ୍ୟ ପ୍ରସଙ୍ଗ।

418

କଟକ(ଉତ୍କଳ ନିଉଜ )୦୧/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ମଙ୍ଗଳପୁର ପଞ୍ଚାୟତରେ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ତ୍ରିମୁଖି ଲଢେଇ । ମଙ୍ଗଳବାର ପୂର୍ବାହ୍ନରେ ମଙ୍ଗଳପୁରସ୍ଥିତ ଆରାଧ୍ୟ ଦେବୀ ମଙ୍ଗଳା ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନ କରି ପ୍ରଚାର ଆରମ୍ଭ କରିଛି ବିଜେଡି । ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁମତି ସେଠୀଙ୍କ ସମେତ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ପୁଷ୍ପଞ୍ଜଳୀ ଲେଙ୍କା ଓ ସମିତି ପ୍ରାର୍ଥିନୀ ଶୁଭଦ୍ରା ଶତପଥି ପ୍ରଚାର ମୈଦାନରେ ପାଦ ଥାପିଛନ୍ତି । ମଙ୍ଗଳପୁର ଓ ଗନ୍ଧର୍ବପୋଖରୀ ଗାଁରେ ସେମାନଙ୍କୁ ମହିଳାମାନଙ୍କ ପକ୍ଷରୁ ମିଳିଛି ବିପୁଳ ସମର୍ଥନ । ପ୍ରାର୍ଥିଙ୍କ ସହ ଶତାଧିକ ମହିଳା ସ୍ୱତଃପ୍ରବୃତ ଭାବେ ସାମିଲ ହୋଇ ଘରଘର ବୁଲି ପ୍ରଚାର କରିଥିଲେ । ସେମାନଙ୍କର ଗୋଟିଏ ନାରା ରହିଛି ଦୂର୍ନୀତିମୁକ୍ତ ଓ ଆଦର୍ଶ ପଞ୍ଚାୟତ ଗଢି ତୋଳିବା । ଗତ ପଞ୍ଚାୟତ ନିର୍ବାଚନରେ ଯେତେବେଳେ ମଙ୍ଗଳପୁର ଏକ ନୂତନ ପଞ୍ଚାୟତର ମାନ୍ୟତା ପାଇଲା ସେତେବେଳେ ମଙ୍ଗଳପୁରବାସୀ ଖୁସିରେ ଆତ୍ମହରା ହୋଇ ଯାଇଥିଲେ । ସେମାନଙ୍କର ଆଶା ବିଶ୍ୱାସ ଥିଲା ନବଗଠିତ ଏହି ପଞ୍ଚାୟତରେ ବହୁବିଧ ଉନ୍ନତି ହେବା ସହ ପଞ୍ଚାୟତବାସୀଙ୍କ ମୌଳିକ ସୁବିଧା ହାତପାଆନ୍ତାରେ ମିଳିପାରିବ । ସତକୁ ସତ ପଞ୍ଚାୟତ ଗଠନ ହେଲା ଗାଁ ବୋହୁ ତଥା ବିଜେପି ଓ କଂଗ୍ରେସର ମିଳିତ ମଞ୍ଚର ପ୍ରାର୍ଥିଭାବେ ନିର୍ବାଚନ ଜିତି ସରପଞ୍ଚ ଆସନ ଅଳଂକୃତ କଲେ । ନୂତନ ପଞ୍ଚାୟତର ନୂଆ ସରପଞ୍ଚଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକେ ତାଙ୍କୁ ସୁଯୋଗ ମଧ୍ୟ ଦେଇଥିଲେ । ହେଲେ ଲୋକଙ୍କର ସବୁ ଆଶା ପାଣି ଫୋଟକା ପରି ମେଳେଇଗଲା । ଖୋଦ୍ ସରପଞ୍ଚ ପଞ୍ଚାୟତର ବିକାଶ ତ ଦୂରର କଥା ସରକରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅସମର୍ଥ ହେବା ସହିତ ବହୁ ଦୂର୍ନୀତିରେ ଜଡିତ ଥିବା ଅଭିଯୋଗ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ବହିଷ୍କୃତ ହେଲେ । ବଡ ଦୁଃଖ ଓ ପରିତାପ ବିଷୟ ନୂତନ ପଞ୍ଚାୟତର କାର୍ଯ୍ୟାଳୟ ଗୃହଟିଏ ନିର୍ମାଣ ମଧ୍ୟ ହୋଇପାରିଲା ନାହିଁ । ବିଗତ ୫ ବର୍ଷ ମଧ୍ୟରେ ଏବେ ପଞ୍ଚାୟତବାସୀ ଅନୁତାପ କରୁଛନ୍ତି ଯେ, ଆମେ ବୋଧହୁଏ ଉପଯୁକ୍ତ ପ୍ରାର୍ଥିଙ୍କୁ ବାଛି ନଥିଲୁ ବୋଲି ଏହି ପ୍ରାର୍ଥିନୀମାନେ ପ୍ରଚାର ସମୟରେ ନିଜର ବକ୍ତବ୍ୟ ରଖିଛନ୍ତି । ଖାଲି ସେତିକି ନୁହେଁ ଜନଗଣଙ୍କ ଆଶିର୍ବାଦରୁ କ୍ଷମତାକୁ ଆସିଲେ ସର୍ବ ପ୍ରଥମେ ପଞ୍ଚାୟତ ଗୃହ ନିର୍ମାଣ, ଚିର ଅବହେଳିତ ରାଜବନ୍ଧ ଓ ବଙ୍ଗଳିପଡା ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ, ସମସ୍ତ ସରକାରୀ ଯୋଜନାର ସଠିକ୍ ରୂପାୟନ, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ ସହି ପଞ୍ଚାୟତକୁ ଏକ ଆଦର୍ଶ ଓ ଦୂର୍ନୀତିମୁକ୍ତ ଭାବେ ଗଢି ତୋଳିବା ଶ୍ରୀମତୀ ଲେଙ୍କାଙ୍କର ମୁଖ୍ୟ ମୁଦ୍ଦା ବୋଲି କହିଛନ୍ତି । ପ୍ରାର୍ଥିମାନଙ୍କ ସହିତ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ମହେଶ୍ୱର ବାରିକ, ଉମାକାନ୍ତ ସେଠୀ, କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, ଗଦାଧର ମଳିକ, ଦେବେନ୍ଦ୍ରନାଥ ମହାଳିକ, ମୁକୁନ୍ଦଦେବ ନାୟକ, ରବି ପାଣିଗ୍ରାହୀ, କୈଳାସ ଦାସ, ରାଜେନ୍ଦ୍ର ବଳ, ରବିନ୍ଦ୍ର ଦାସ, ଦିଗମ୍ବର ବଳ, ହରିହର ମଳିକ, ବିକର୍ତ୍ତନ ମଳିକ, ବିଳାସିନୀ ମହାଳିକ, ସ୍ନେହଲତା ମଳିକ, ମୌସୁମୀ ମହାଳିକ, ପୁଷ୍ପାଞ୍ଜଳୀ ମଳିକ, ଚମ୍ପାମଣି ଦାସ, ରୀନା ପଲେଇ, ଲକ୍ଷ୍ମୀପ୍ରିୟା ମହାଳିକ ପ୍ରମୁଖ ପ୍ରଚାର ମୈଦାନରେ ସାମିଲ ହୋଇଥିଲେ।ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |