ବିଜେପିର ପ୍ରାର୍ଥି ଘୋଷଣାରେ ଅଟକିଛି ବାସୁଦେବପୁର ନିର୍ବାଚନ ମଣ୍ଡଳୀ |

123

କଟକ (ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୪ : ବିଜେପିର ପ୍ରାର୍ଥି ଘୋଷଣାରେ ଅଟକିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ । ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଥିବା ବେଳେ ବିଜେପିର ଚୟନ ହୋଇନଥିବା ନେଇ କର୍ମୀମାନଙ୍କୁ ଦ୍ୱନ୍ଦରେ ପକାଇ ଦେଉଛି । ଏକାଧିକ ଆଶାୟୀ ଥିବା ଏବଂ ସୁଦକ୍ଷ ଦଳଡିଆଁ ନେତାଙ୍କୁ ଅପେକ୍ଷା କରିଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କ୍ରମାଗତ ଭାବେ ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ ୨୦୧୯ ନିର୍ବାଚନରେ କଂଗ୍ରେସରୁ ଆସି ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ମାଧବାନନ୍ଦ ମଲ୍ଲିକ ୩୫,୭୭୭ ଖଣ୍ଡ ଭୋଟ ପାଇ ଦଳକୁ ଏକ ସମାନ୍ନ ଜନକ ସ୍ଥିତିକୁ ଆଣିଥିଲେ । ପ୍ରକାଶ ଥାଉକି, ୨୦୦୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଅଶୋକ କୁମାର ସାହୁ ୯,୨୭୭ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ ୭୦,୮୫୬ ଖଣ୍ଡ ଭୋଟ ପାଇ ୬,୮୪୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । କଂଗ୍ରେସର ମାଧବାନନ୍ଦ ମଲ୍ଲିକ ୬୪,୦୧୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ୨୦୧୪ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଦୀନବନ୍ଧୁ ପତି ୧୫,୩୩୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ ୭୭,୭୮୧ ଖଣ୍ଡ ଭୋଟ ପାଇ ୬,୫୦୬ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ହୋଇଥିଲେ । କଂଗ୍ରେସର ମାଧବାନନ୍ଦ ମଲ୍ଲିକ ୭୧୨୭୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସରୁ ନେତା ଆଣି ବିଜେପି ଭରସା କରି ମଧ୍ୟ ପୂର୍ବପରି ତୃତୀୟ ସ୍ଥାନରେ ରହିଯାଇଥିଲା । ତେଣୁ ଆଲୋଚନା ହେଉଛି ଅପେକ୍ଷାକୃତ ଭାବେ ଦୁର୍ବଳ ବିବେଚିତ ହେଉଥିବା ଏହି ଆସନରେ ଦଳ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ଦେବା ନାଁ ଆମଦାନୀ ନେତାଙ୍କୁ ଭରସା କରି ନିର୍ବାଚନ ଲଢିବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି । ଯାହାକି ଏଥର ଏହି ଆସନରେ ନିଜ ଦଳୀୟ କ୍ୟାଡର ନେତା ଦୀନବନ୍ଧୁ ପତିଙ୍କୁ ଟିକେଟ ଦେଇ ନିର୍ବାଚନ ଲଢିବ ନାଁ ୨୦୧୯ ନିର୍ବାଚନରେ ପରାଜିତ ଆମଦାନୀ ନେତା ମାଧବାନନ୍ଦ ମଲ୍ଲିକଙ୍କ ପୁଅ ଉଦୟ ନାରାୟଣ ମଲ୍ଲିକଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନ୍ୟ ଦୁଇଜଣ ନୂତନ ଆମଦାନୀ ନେତା ବାଣିକଲ୍ୟାଣୀ ମହାନ୍ତି ଅଥବା ନରେନ ପଲାଇଙ୍କୁ ନେଇ ଦଳ ଦ୍ୱନ୍ଦରେ ରହିଛି । ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀର ଜନୈକା ନାରୀନେତ୍ରୀ ମଧ୍ୟ ଟିକେଟ୍ ଲବିରେ । ତାଙ୍କୁ ଟିକେଟ୍ ମିଳିବା ଫାଇନାଲ ହେଲେ ସେ ଦଳରେ ମିଶିବେ ବୋଲି ଶୁଣିବାକୁ ମିଳୁଛି । ଦଳୀୟ ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି ଦଳୀୟ ପ୍ରଚାର ପ୍ରଭାବିତ ହେବା ସହିତ ଦଳୀୟ ନେତା ଏବଂ କର୍ମୀ ହତୋତ୍ସାହିତ ହେବାରେ ଲାଗିଛନ୍ତି ବୋଲି କୁହାଯାଇପାରେ । ତେଣୁ ଏହି ଆସନ ପାଇଁ ବିଜେପି ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ଦେବ ନାଁ ଆମଦାନୀ ନେତାଙ୍କୁ ଭରସା କରି ନିର୍ବାଚନ ଲଢିବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ବୋଲି ଆଲୋଚନା ହେଉଛି । ଦେଖିବାକୁ ବାକି ରହିଲା ଏହି ଦୁଇ ଆସନରେ ଶେଷରେ କାହାକୁ ଭରସା କରୁଛି ବିଜେପି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |