ସନ୍ଥପୁରାରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଲାଗି ଶାନ୍ତି କମିଟି ଗଠିତ |

148

କଟକ (ଉତ୍କଳ ନ୍ୟୁଜ ) ୪-୦୫-୨୦୨୪ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ସନ୍ଥପୁରାରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସବୁଦିନ ପାଇଁ ଏକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଲାଗି ଶାନ୍ତି କମିଟି ଗଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଏବଂ ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଓ ଜିଲ୍ଲା ବିଜେଡି ସମ୍ପାଦକ କମଳାକାନ୍ତଙ୍କ ସହଯୋଗକ୍ରମେ ଏପରି ସଫଳତା ହୋଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଗତ ମାସ ୧୨ ତାରିଖରେ କୌଣସି ଏକ ଘଟଣାକୁ କେନ୍ଦ୍ରକରି ସନ୍ଥପୁରାରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏପରିକି ଥାନା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା । ତେବେ ବିଧାୟକ ବିଷ୍ଣୁୁବ୍ରତଙ୍କ ଉଦ୍ୟମରେ ଏକ ଶାନ୍ତି କମିଟି ଗଠନ କରିବା ଲାଗି ସ୍ଥିର ହୋଇଥିଲା । ଉଭୟ ସଂପ୍ରଦାୟର ଲୋକଙ୍କ ଉପସ୍ଥିତିରେ ଅଘଟଣ କରାଇଥିବା ଯୁବଗୋଷ୍ଠିଙ୍କ ସହିତ ଆମୂଳଚୂଳ ଆଲୋଚନା କରାଯିବା ଲାଗି ସ୍ଥିରିକୃତ ହୋଇଥିଲା । ତଦନୁଯାଇ ଦୁଇଦିନ ତଳେ ବ୍ଲକ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, କମଳାକାନ୍ତ ଲେଙ୍କାଙ୍କ ସମେତ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ, ପୀରହାଟ ଥାନାର ଏସଆଇ ସୁପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ପର୍ଯ୍ୟାଲୋଚନା ପରେ ଅଘଟଣ କରାଉଥିବା କେତେକ ଯୁବକଙ୍କୁ ତାଗିଦ୍ କରାଯାଇଛି । ଆଗାମି ଦିନରେ ସାମାନ୍ୟତମ ବ୍ୟତିକ୍ରମ କଲେ ସେମାନଙ୍‌କ ବିରୋଧରେ ଦୃୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |