ବିଜେପିର ପ୍ରାର୍ଥି ଘୋଷଣାରେ ଅଟକିଛି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ |

68

କଟକ (ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୪ : ବିଜେପିର ପ୍ରାର୍ଥି ଘୋଷଣାରେ ଅଟକିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ । ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଥିବା ବେଳେ ବିଜେପିର ଚୟନ ହୋଇନଥିବାରୁ କର୍ମୀମାନଙ୍କୁ ଦ୍ୱନ୍ଦରେ ପକାଇ ଦେଉଛି । ଏକାଧିକ ଆଶାୟୀ ଥିବା ଏବଂ ସୁଦକ୍ଷ ଦଳଡିଆଁ ନେତାଙ୍କୁ ଅପେକ୍ଷା କରିଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଚର୍ଚ୍ଚାରେ ନୂଆ ପୁରୁଣା ପ୍ରାର୍ଥୀ । ହେଲେ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଅଦ୍ୟାବଧି ଅଙ୍କ ଛିଡ଼ୁନାହିଁ । ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ ଗଠିତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ । କଂଗ୍ରେସ ଦଳରୁ ଆସି ବଦ୍ରିନାରାୟଣ ଧଳ ବିଜେପି ଟିକେଟରେ ଦୁଇ ଥର ହେବ ନିର୍ବାଚନ ଲଢ଼ୁଥିବା ବେଳେ ପରାଜୟ ତାଙ୍କ ପିଛା ଛାଡୁନି । ୨୦୦୯ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବଦ୍ରୀ ୩୯ ହଜାର ୮୪୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢି ୨୮ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ । ଏହା ସତ୍ତ୍ୱେ ମଧ୍ୟ ୨୦୧୯ ନିର୍ବାଚନରେ ଦଳ ପୁଣି ବଦ୍ରୀଙ୍କୁ ଦଳୀୟ ଟିକେଟରୁ ନିର୍ବାଚନ ଲଢ଼ାଇ ଥିଲା । ଏହି ନିର୍ବାଚନରେ ବଦ୍ରି ପୂର୍ବ ତୁଳନାରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହି ନିର୍ବାଚନରେ ବଦ୍ରି ୩୯ ହଜାର ୧୪୧ ଖଣ୍ଡ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ । ଏହି ୨୦୧୯ ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ୭୦୧୮୦ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାବେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ୬୧୩୨୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ତେବେ ବିଜେପି ନେତା ବଦ୍ରି ଧଳଙ୍କ ଏହି ହାରିବା ଟ୍ରାକକୁ ନେଇ ପୁଣି ନିର୍ବାଚନ ଲଢ଼େଇବ ଅଥବା ନୂଆ ମୁହଁ ଦେଇ ଦଳର ସାମର୍ଥ୍ୟ ଅଟକଳ କରିବ ତାକୁ ନେଇ ଏବେ ଦଳିୟ ଚର୍ଚ୍ଚା ଜୋର ଧରିଛି । ଏକଦା ଏହି ବିଧାନସଭା ଆସନକୁ ଟାର୍ଗେଟ କରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତର୍ମାନର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ କଳ ବଳ ପ୍ରୟୋଗ ସତ୍ତ୍ୱେ୍ୱ ମଧ୍ୟ ପରାଜୟ ରୁ ବର୍ତ୍ତି ପାରିନଥିଲେ । ପରେ ମନମୋହନ ଏହି ଆସନ ମୋହ ଛାଡି ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଫୋକସରେ ରଖି ନିର୍ବାଚନ ଲଢ଼ି ଆସୁଛନ୍ତି । ଏପରି ସ୍ଥଳେ ଦଳର ଅନ୍ୟତମ କ୍ୟାଡରଭିତ୍ତିିକ ନେତା ପଞ୍ଚାନନ ରାଉତ ରହିଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରିପାରୁନି ବୋଲି ଚର୍ଚ୍ଚା ହେଉଛି । ହେଲେ ରାଜ୍ୟ ସ୍ତରରେ ନହେଲେ ମଧ୍ୟ କେନ୍ଦ୍ରୀୟ ଲବିରେ ପଞ୍ଚାନନ ଦଳୀୟ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ପଞ୍ଚାନନଙ୍କୁ ଛାଡି ଦେଲେ ଏହି ଆସନରେ ଅନ୍ୟ ଜଣେ ନେତା ଯିଏକି ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନବାଗତ ସୁଧାଂଶୁ ନାୟକଙ୍କୁ ନେଇ ଦଳରେ ଚର୍ଚ୍ଚା ଜୋର ଧରିଛି । ବନ୍ତ ବ୍ଳକରେ ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ସୁଧାଂଶୁଙ୍କ ବେଶ ଦଖଲ ଥିବା ବେଳେ ସେ ବିଜେଡି ଛାଡି ବିଜେପି ରେ ମିଶିଥିବା ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ଯାହାକି ଆଗାମୀ ନିର୍ବାଚନରେ ସେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ନିର୍ବାଚନ ମଣ୍ଡଳୀରେ ବନ୍ତ ବ୍ଳକ ଭଳି ଭଣ୍ଡାରିପୋଖରୀ ବ୍ଲକରେ ସୁଧାଂଶୁଙ୍କର ସେହି ଧରଣର ପ୍ରଭାବ ଥିବା ମନେ କରାଯାଇ ପାରୁ ନାହିଁ । ଏମାନଙ୍କୁ ବାଦ ଦେଇ ଦଳ ଅନ୍ୟଦଳରୁ ଆମଦାନୀ ଅପେକ୍ଷାରେ ଥିବା କିଛି ନେତାଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢ଼ିବା ଲକ୍ଷ୍ୟରେ ବିଜେପି ଥିବା ଯୋଗୁ ଟିକେଟ ଘୋଷଣା ବିଳମ୍ବିତ ହେଉଥିବା ଚର୍ଚ୍ଚା ହେଉଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |