ନିଶାରେ କବଳିତ ବ୍ରହ୍ମପୁର ପଞ୍ଚାୟତ, ପ୍ରତିବାଦ କଲା ପ୍ରଗତିଶୀଳ ମହିଳାମଞ୍ଚ |

48

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୪ : ନିଶାରେ କବଳିତ ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧିନ ବ୍ରହ୍ମପୁର ପଞ୍ଚାୟତ । ଏହାର ପ୍ରତିବାଦରେ ପ୍ରଗତିଶୀଳ ମହିଳାମଞ୍ଚ ତରଫରୁ ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷ. ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସାବବରଙ୍ଗ ଥାନାରେ ଫେରାଦ୍ ହୋଇଛନ୍ତି । ଏହି ପଞ୍ଚାୟତରେ ବହୁଳ ମାତ୍ରାରେ ଚୋରା ମଦ, ବ୍ରାଉନସୁଗାର, ରନ୍ଧା ମଦ, ବିଦେଶୀ ମଦ ବିକ୍ରି ହେଉଥିବା ଏବଂ ଏହାକୁ ବନ୍ଦ କରିବା ସମ୍ପର୍କରେ ଏପରି ପ୍ରତିବାଦ କରାଯାଇଛି । ଏନେଇ ମଞ୍ଚର ପୁଷ୍ପଲତା ଜେନା, ଶକୁନ୍ତଳ ପଲେଇ, ମିନୁଲତା ଜେନା, ଅରୁଣ ନାୟକ, ବାସନ୍ତୀ ଜେନା, ଆରତୀ ଜେନା, ସରୋଜିନୀ ଜେନା, ଭାରତୀ ଜେନା, ସ୍ନେହଲତା ଜେନା ଓ ରୀନା ଜେନା ପ୍ରମୁଖ ଅଧିକାରୀଙ୍କ ଦୃୃଷ୍ଟି ଆକର୍ଷଣ କରିବା ସହିତ ଯଥାଶୀଘ୍ର ନିଶା କାରବାର ବନ୍ଦ କରିବାକୁ ଦାବି କରିଛନ୍ତି । ଏଥିସହ ନିଶା କାରବାରରେ ଜଡିତ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହି ଗ୍ରାମରେ ବହୁଳ ମାତ୍ରା ଚୋରା ମଦ, ରନ୍ଧା ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ତେଜରାତି ପାନ ଦୋକାନରେ ବିକ୍ରି ହେଉଛି । ଗ୍ରାମର ନାବାଳକ ଠାରୁ ଆରମ୍ଭ କରି ବୟସ୍କ ଆଦି ନିଶା ସେବନ କରି ମାତାଲ ସାଜୁଛନ୍ତି । ପୁରୁଷମାନେ ଯାହାବି ରୋଜଗାର କରୁଛନ୍ତି ସେଥିରେ ଅର୍ଦ୍ଧାଧିକ ନିଶାପାଣିରେ ଯାଉଛି । ପିଲାମାନଙ୍କୁ ପାଠ ପଢାଇବା, ମେଡିକାଲ ଖର୍ଚ୍ଚ ବହନ କରିବା ଏପରିକିି ପରିବାରରେ ଦୁଇଓଳିକୁ ଦୁଇମୁଠା ଖାଇବା ବଡ କଷ୍ଟକର ହେଉଛି । ପାରିବାରିକ ଅଶାନ୍ତି ସୃଷ୍ଟି ହେଉଥିବା ବେଳେ ଗ୍ରାମରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରତିବାଦ କଲେ ଅଭିଯୁକ୍ତମାନଙ୍କ ଠାରୁ ନାନାଦି ଧମକ ଚମକ ମିଳୁଛି । ଦୈନନ୍ଦିନ ନିଶା ସେବନ ଫଳରେ କିଡନୀ ରୋଗ ଠାରୁ ଆରମ୍ଭ କରି ହୃଦ୍‌ରୋଗ, ଅଲସର ଓ କ୍ୟାନସର ପରି ମାରାତ୍ମକ ରୋଗରେ ପୀଡିତ ହୋଇ ଅକାରଣରେ ମୃତ୍ୟୁ ବରଣ କରୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ ବିକାଶ ଯୋଜନା କାର୍ଯ୍ୟକାରୀ ହେବାରେ ବିଫଳ ହେଉଛି । ଏତତ୍ ବ୍ୟତିତ ଗ୍ରାମରେ ଚୋରୀ, ଡକାୟତି, ବାଡିବଗିଚାରୁ ଫସଲ ଚୋରୀ ଆଦି ବୃଦ୍ଧି ପାଉଛି । ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |