ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର |

357

କଟକ (ଉତ୍କ ନ୍ୟୁଜ ) ୨୩-୦୪-୨୦୨୪ : ଭଦ୍ରକ-ଚାନ୍ଦବାଲି ରାସ୍ତାରେ ସୋମବାର ରାତ୍ରି ପ୍ରାୟ ସାଢ଼େ ଦଶଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁରତ ଆହତ ହୋଇଥିବା ସୂଚନା ମିଳିଛି । ତିହିଡ଼ି ଫତେପୁର ଛକ ତାରିଣୀ ମନ୍ଦିର ସମ୍ମୁଖରେ ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ବାଲି ବୋଝେଇ ହାଇୱାକୁ ଏକ ବାଇକ୍ ପଛରୁ ପିଟିଥିଲା । ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ପ୍ରଫୁଲ ବେହେରାଙ୍କ ପୁଅ ସତ୍ୟବ୍ରତ ବେହେରା (୨୮) । ତାଙ୍କ ଘର ପୁରୀ ଜିଲା ଡେଲାଙ୍ଗରେ ବୋଲି ଜଣାଯାଇଛି । ଆହତ ଯୁବକ ହେଉଛନ୍ତି ଶଂଖାଳି ପାଣ୍ଡବଙ୍କ ପୁଅ ଗଣେଣ ପାଣ୍ଡବ (୨୯) । ତାଙ୍କ ଘର ପୀରହାଟ ଥାନା ଅଧୀନ ହରିସିଂହପୁର ପଞ୍ଚାୟତ ମାଣକାହାଣୀ ଗ୍ରାମ ଚଣ୍ଡିସାହିରେ ବୋଲି ଜଣାପଡ଼ିଛି । ସତ୍ୟବ୍ରତ ପୀରହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ଗଣେଶ ମଧ୍ୟ ସେହି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୨ ଆମ୍ବୁଲାନ୍ସର ଡ୍ରାଇଭର ଭାବେ କାର୍ଯ୍ୟକରନ୍ତି । ଉଭୟ ଏକ ବାଇକ୍‌ରେ ତିହିଡ଼ିରୁ ପୀରହାଟ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |